ପଛକୁ ହଟିଲେନି ସରକାର, ଭାଙ୍ଗିଲା ପ୍ରଦର୍ଶନକାରୀଙ୍କ ମନୋବଳ, ଖାଲି ହେବାରେ ଲାଗିଛି ସାହିନବାଗ

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୦୭।୦୩- ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ସାହିନବାଗରେ ଗତ ୮୪ ଦିନ ହେବ ପ୍ରଦର୍ଶନକାରୀ ଡେରା ପକାଇଛନ୍ତି। ପ୍ରାୟ ତିନି ମାସ ହେବ ଏଠାରେ ଜମି ରହିଥିବା ପ୍ରଦର୍ଶନକାରୀ ନୋଏଡା ଓ ଫରିଦାବାଦ ଲିଙ୍କ୍ ରୋଡକୁ ବନ୍ଦ କରି ରଖିଛନ୍ତି। ଏହା ସତ୍ଵେ ବି ସରକାର ସିଏଏ ଉପରେ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନାହାନ୍ତି। ଦୀର୍ଘ ସମୟ ବିତିବା ପରେ ଏବେ ସାହିନବାଗରେ ପ୍ରଦର୍ଶନକାରୀଙ୍କ ଭିଡ କମିବାରେ ଲାଗିଛି। ଘଟଣାସ୍ଥଳରେ ଦିନ ବେଳେ ପୂର୍ବଭଳି ଭିଡ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ଲୋକ ଏହା ପଛର ଥିବା ଭିନ୍ନ ଭିନ୍ନ କାହାଣୀ କହୁଛନ୍ତି।

କଣ ପ୍ରଦର୍ଶନକାରୀଙ୍କ ମନୋବଳ ଭାଙ୍ଗିଲା ?

ସାହିନବାଗରେ ଧାରଣାସ୍ଥଳରେ ଦିନ ବେଳେ ବହୁତ କମ ଲୋକ ନଜର ଆସୁଛନ୍ତି, ମାତ୍ର ସନ୍ଧ୍ୟା ହେଲେ ଏଠାରେ ଭିଡ ଜମିବାରେ ଲାଗିଛି। ଶୁକ୍ରବାର ଅପରାହ୍ନରେ ଧାରଣାସ୍ଥଳରେ କେବଳ ୭୦ ରୁ ୮୦ ଲୋକ ନଜର ଆସିଥିଲେ ଯାହା କିଛି ଦିନ ପୂର୍ବେ ୫୦୦ ରୁ ୬୦୦ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଅନେକ ଥର ଧାରଣାସ୍ଥଳରେ ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମୁଥିଲା। ପ୍ରଦର୍ଶନ ସମର୍ଥନରେ ବାହାରୁ ମଧ୍ୟ ଲୋକେ ସାହିନବାଗକୁ ଧାଇଁ ଆସୁଥିଲେ। ଗତ ଦିନରେ ଯେବେ ସୁପ୍ରିମକୋର୍ଟର ମଧ୍ୟସ୍ଥ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବାକୁ ଆସିଥିଲେ ସେହି ସମୟରେ ଲୋକଙ୍କ ମଧ୍ୟରେ ଫାଟ ଥିବା ଦେଖିବାକୁ ମିଳିଥିଲା। ମଧ୍ୟସ୍ଥ ବୁଝାଇବା ପରେ କିଛି ପ୍ରଦର୍ଶନକାରୀ ରାସ୍ତା ଖୋଲିବାକୁ ପ୍ରସ୍ତୁତ ଥିଲେ ତ ଆଉ କିଛି ବନ୍ଦ ରଖିବା ଜିଦରେ ଅଟଳ ଥିଲେ।

{"id":234650,"sizeSlug":"large"}

ଗତ ପ୍ରାୟ ତିନି ମାସ ହେବ ସିଏଏ ଓ ଏନଆରସି ଆଇନକୁ ପ୍ରତ୍ୟାହାର ନେଇ ଚାଲିଥିବା ଏହି ପ୍ରଦର୍ଶନରେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ନା ପ୍ରଦର୍ଶନକାରୀଙ୍କ ଦାବିକୁ ଗ୍ରହଣ କରିବା ନେଇ ସରକାରଙ୍କ ପକ୍ଷରୁ କୌଣସି ସଙ୍କେତ ମିଳିଛି। ବୋଧହୁଏ ଏହି କାରଣରୁ ସାହିନବାଗରେ ଡେରା ପକାଇଥିବା ପ୍ରଦର୍ଶନକାରୀଙ୍କ ଧୈର୍ଯ୍ୟଚ୍ୟୁତ୍ ହୋଇ ସାରିଛି ଏବଂ ଜଣେ ପରେ ଜଣେ ଧାରଣାସ୍ଥଳରୁ ଛତ୍ରଭଙ୍ଗ ଦେବାରେ ଲାଗିଛନ୍ତି।

ଏହା ପୂର୍ବରୁ ସୁପ୍ରିମକୋର୍ଟ ପ୍ରଦର୍ଶନକାରୀଙ୍କୁ ତାଗିଦ୍ କରି କହିଥିଲେ ଯେ, ପ୍ରଦର୍ଶନ କାରିବାକୁ ସମସ୍ତଙ୍କର ଅଧିକାର ରହିଛି, ମାତ୍ର ଏହି ପରି କେହି ସଡକକୁ ଘେରି ବସି ପାରିବେ ନାହିଁ। କୋର୍ଟ ପ୍ରଦର୍ଶନକାରୀଙ୍କ ସହିତ ଆଲୋଚନା ପାଇଁ ମଧ୍ୟସ୍ଥତା କମିଟି ଗଠନ କରିଥିଲେ। ଏହି ମଧ୍ୟସ୍ଥ କମିଟି ଅନେକ ଥର ସାହିନବାଗ ଯାଇ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସଡକ ଖୋଲି ଦିଅନ୍ତୁ ଏବଂ ଧାରଣା ଲାଗି ଅନ୍ୟ କୌଣସି ଜାଗା ଚୟନ କରିବାକୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.