‘ବାଗବାନ’ ସ୍କ୍ରିନ୍ ରାଇଟର୍ ଶାଫିକ୍ ଅନସାରୀଙ୍କ ପରଲୋକ

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ ୦୩/୧୧: 'ବାଗବାନ୍'ର ସ୍କ୍ରିନ୍ ରାଇଟର୍ ଶାଫିକ୍ ଅନସାରୀଙ୍କ ଦେହାନ୍ତ ହୋଇଛି। ସେ ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତାଙ୍କ ପୁଅ ମୋହସିନ୍ ଅନସାରୀ ତାଙ୍କ ବାପାଙ୍କ ମୃତ୍ୟୁର ଦୁଃଖଦ ଖବରକୁ ନିଶ୍ଚିତ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ଆସିବା ପରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି।

ଶାଫିକ୍ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ନିଜ ପରିବାର ସହିତ ରହୁଥିଲେ। ୧୯୭୪ ମସିହାରେ ଶାଫିକ୍ ଅନସାରୀ ସ୍କ୍ରିନ୍ ରାଇଟର୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଫିଲ୍ମ ‘ଦୋସ୍ତ’ର ସ୍କ୍ରିପ୍ଟ ଲେଖିଥିଲେ। ଅଭିନେତା ଧର୍ମେନ୍ଦ୍ର ଏବଂ ଶତ୍ରୁଘ୍ନ ସିହ୍ନା ଏହି ଫିଲ୍ମରେ ଏକାଠି କାମ କରିଥିଲେ। ଏହା ପରେ ସେ ୧୯୯୦ ମସିହାରେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଫିଲ୍ମ 'ଦିଲ କା ହିରା' ଏବଂ ପରେ ଫିଲ୍ମ 'ଇଜ୍ଜତଦାର' ପାଇଁ ସ୍କ୍ରିପ୍ଟ ଲେଖିଥିଲେ। ପରେ ପରେ ସେ 'ପ୍ୟାର ହୁଆ ଚୋରୀ-ଚୋରୀ' ଫିଲ୍ମର ସ୍କ୍ରିପ୍ଟ ଲେଖିଥିଲେ, ଯେଉଁଥିରେ ମିଥୁନ ଏବଂ ସାଉଥ ଅଭିନେତା ଗୌତମ ଥିଲେ।

୨୦୦୩ ମସିହାରେ ସେ ଫିଲ୍ମ ନିର୍ମାତା ବି.ଆର ଚୋପ୍ରାଙ୍କ ସହ 'ବାଗବାନ୍' ଫିଲ୍ମ ପାଇଁ ସଂଳାପ ଏବଂ ସ୍କ୍ରିପ୍ଟ ଲେଖିଥିଲେ। ଲୋକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ। ଫିଲ୍ମଟି ଏକ ସୁପର ଡୁପର ହିଟ୍ ହୋଇଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ହେମା ମାଳିନୀ, ସଲମାନ ଖାନ, ମହିମା ଚୌଧୁରୀଙ୍କ ସହ ଅନେକ ଷ୍ଟାର ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.