ରଙ୍ଗିଲା ସାର୍ : ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଶିକ୍ଷକ ଗିରଫ

Published By : Prameya-News7 Bureau | August 09, 2020 IST

କୋରେଇ ୦୯।୦୮: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ତାରାକୋଟ ଅଞ୍ଚଳର ଜଣେ ଟ୍ୟୁସନ୍‌ ଶିକ୍ଷକ ଦୀର୍ଘଦିନ ହେବ ଜନୈକ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ । ଯାହାକୁ ନେଇ ଶୁକ୍ରବାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଜଣେ ଅଧିକାରିଣୀ କୋରେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଟ୍ୟୁସନ ଶିକ୍ଷକଙ୍କୁ ଗିରଫ କରିଛି । ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରିବା ସହିତ ଛାତ୍ରୀ ଓ ଅଭିଯୁକ୍ତ ଶିକ୍ଷକଙ୍କ ଡାକ୍ତରୀମାଇନା କରାଯାଇଥିଲା । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାଟି ସମଗ୍ର କୋରେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ଏହି ଥାନା ଅନ୍ତର୍ଗତ ହଳଦୀଗଡ଼ିଆ ପଞ୍ଚାୟତ ଶାଳକଣା ଗ୍ରାମର ବିଶ୍ୱନାଥ ବିଶ୍ୱାଳଙ୍କ ପୁଅ ରମାକାନ୍ତ (୫୪) ।

ସୂଚନାଯୋଗ୍ୟ ଯେ, ରମାକାନ୍ତ ତାରାକୋଟ ଅଞ୍ଚଳର ଜଣେ ଛାତ୍ରୀଙ୍କୁ କିଛି ବର୍ଷ ଧରି ନିୟମିତ ତାଙ୍କ ଘରକୁ ଯାଇ ଟ୍ୟୁସନ କରୁଥିଲେ । ନାବାଳିକାଙ୍କ ସରଳତାର ସୁଯୋଗ ନେଇ ରମାକାନ୍ତ ତାଙ୍କ ସହ ଥଟ୍ଟାମଜା ଆଳରେ ଅସଦାଚରଣ କରୁଥିଲେ । ନାବାଳିକା ଜଣକ ବୁଝିପାରିନଥିଲେ ବି ଏହା ନକରିବା ପାଇଁ ବାରଣ କରୁଥିଲେ । ହେଲେ ରମାକାନ୍ତ ଏହି ପ୍ରବୃତ୍ତିକୁ ଛାଡ଼ି ନପାରି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ । ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷିତା କରିବା ସହିତ ବିଭିନ୍ନ ପ୍ରଲୋଭନ ଦେଖାଇ ଏହି କଥା କାହା ଆଗରେ ନକହିବାକୁ ରମାକାନ୍ତ ତାଙ୍କୁ କହୁଥିଲେ । ଗତ ଜୁଲାଇ ୨୯ ତାରିଖରେ ରମାକାନ୍ତ ଛାତ୍ରୀଙ୍କ ଘରେ ପହଞ୍ଚି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଛାତ୍ରୀ ଜଣକ ଭାରସାମ୍ୟ ହରାଇ ବସିଥିଲେ ବି ଘରେ କହିନପାରି ଜଣେ ସାଙ୍ଗକୁ ଜଣାଇଥିଲେ ।

ଏହାକୁ ନେଇ କେହି ଜଣେ ଚଳିତ ମାସ ୬ ତାରିଖରେ କେନ୍ଦ୍ର ଶିଶୁ ସୁରକ୍ଷା ସମିତିରେ ଅଭିଯୋଗ କରିଥିଲା । କେନ୍ଦ୍ର ଶିଶୁ ସୁରକ୍ଷା ସମିତି ପକ୍ଷରୁ ଏହାର ତଦନ୍ତ ପାଇଁ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୁଲିସ ଓ ଶିଶୁ ସୁରକ୍ଷା ବିଭାଗ ଶାଳକଣା ଗ୍ରାମରେ ପହଞ୍ଚି ଟ୍ୟୁସନ ଶିକ୍ଷକ ରମାକାନ୍ତଙ୍କୁ ଥାନାକୁ ଆଣିବା ସହ ପୀଡ଼ିତା ଛାତ୍ରୀଙ୍କୁ ଥାନାକୁ ଡକାଇଥିଲେ । ଦୀର୍ଘ ସମୟ ପଚରାଉଚରା ପରେ ନାବାଳିକାଜଣକ ପୁଲିସ ନିକଟରେ ତାଙ୍କ ସହିତ ଘଟିଥିବା ପ୍ରତିଟି ଘଟଣା ସମ୍ପର୍କରେ କହିଥିଲେ । ପୁଲିସ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଶିକ୍ଷକ ଓ ପୀଡ଼ିତା ଛାତ୍ରୀଙ୍କୁ ଡାକ୍ତରୀମାଇନା କରାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.