ଫେଥ ଆଉଟରିଚ ସଂସ୍ଥାର ସମ୍ପାଦକ ଜନ ବ୍ରିଜ ବିରୋଧରେ ଯୌନ ନିର୍ଯ୍ୟାତନା ମାମଲା: ରାଜ୍ୟ ଶିଶୁ ଅଧିକାର କମିଶନଙ୍କ ତଦନ୍ତ ଆରମ୍ଭ
8/09/2020 at 5:22 PM

ଝାରସୁଗୁଡା ୦୮।୦୯: ଫେଥ ଆଉଟ୍ ରିଚ୍ର ସମ୍ପାଦକ ଜନ ବ୍ରିଜଙ୍କ ପାଇଁ ବଢିଲା ଅଡୁଆ। ଝାରସୁଗୁଡା ସ୍ଥିତ ଫେଥ୍ ଆଉଟରିଚ ସଂସ୍ଥାର ସମ୍ପାଦକ ଜନ ବ୍ରିଜ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗକୁ ଗୁରୁତର ସହ ନେଇଛି NCPCR। ଗତ ମାସ ୨୧ ତାରିଖ ସମ୍ପୂର୍ଣ୍ଣ ଘଟଣା ଉପରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଏବଂ ରାଜ୍ୟ ଶିଶୁ ଅଧିକାର କମିଶନଙ୍କ ଠାରୁ ରିପୋର୍ଟ ତଲବ କରିଥିଲେ ।
ଗତ ସୋମବାର ରାଜ୍ୟ ଶିଶୁ ଅଧିକାର କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଝାରସୁଗୁଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସର୍କିଟ ହାଉସ ଠାରେ ଜିଲ୍ଲାପାଳ, ଏସପି,ଡିସିପିଓ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଏବଂ ସଭ୍ୟ ସହ ଆଲୋଚନା କରିଛନ୍ତି। ଘଟଣାଟି ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ଏବଂ ଫେଥ୍ ଆଉଟରିଚ ସଂସ୍ଥା ବେଆଇନ ଭାବେ ହଷ୍ଟେଲ ଚଳାଉଥିବା କହିଛନ୍ତି କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ଝାରସୁଗୁଡା କକ୍ସ କଲୋନୀରେ ଥିବା ଫେଥ ଆଉଟରିଚ ସଂସ୍ଥା ବିରୋଧରେ ଜିଲ୍ଲା ପ୍ରଶାସନ ଖୋଲତାଡ଼ ଆରମ୍ଭ କରିଛି ଏବଂ ପ୍ରଶାସନ ପକ୍ଷରୁ ଫେଥ ଆଉଟରିଚ ସଂସ୍ଥାକୁ ସିଲ କରା ଯାଇଛି।
ନିରୀହ ଗରିବ ଆଦିବାସୀ ପିଲାମାନଙ୍କୁ ନିଜ ସଂସ୍ଥାରେ ରଖି ପାଠ ପଢାଇବା ଆଳରେ ବିଭିନ୍ନ ଦେଶରୁ ଅନୁଦାନ ସଂଗ୍ରହ କରି ମଉଜ କରୁଥିଲା ଏହି ସଂସ୍ଥା। ସୂଚନାଯୋଗ୍ୟ, ଗିରଫ ଜନ ବ୍ରିଜ ଇଂଲଣ୍ଡର ମୂଳ ବାସିନ୍ଦା । ମାତ୍ର ୧୯୯୨ରେ ସେ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ। ଜନର କଳାକାର ନାମାର ପେଡ଼ିକୁ ଫେଥ ଆଉଟ ରିଚର କର୍ମଚାରୀ ମାନେ ହିଁ ଖୋଲି ଥିଲେ । ବ୍ୟାପକ ଆର୍ଥିକ ଅନିୟମିତତା ହେଉଥିବା ଓ ଯୌନ କଳେଙ୍କାରୀରେ ଲିପ୍ତ ଥିବା ସମ୍ବନ୍ଧରେ ସେମାନେ ନିଉଜିଲ୍ୟାଣ୍ଡର ଫେଥ ଆଉଟରିଚ ସମ୍ପାଦକ ଆନେ କିଙ୍ଗଠାରେ ଅଭିଯୋଗ କରିଥିଲେ । ଏହା ସମେତ ଫେଥଆଉଟ ରିଚ ଓ ଜନ ବ୍ରିଜ କୁ ଅନୁଦାନ ଯୋଗାଉଥିବା ବିଭିନ୍ନ ବିଦେଶୀ ସଂସ୍ଥାକୁ ମଧ୍ୟ ଜନର କଳା ସାମ୍ରାଜ୍ୟ ବିଷୟରେ ଜଣାଇଥିଲେ । ଅଭିଯୋଗ ପାଇବାପରେ ନିଉଜିଲ୍ୟାଣ୍ଡ ଫେଥ ଆଉଟରିଚର ସମ୍ପାଦକ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଜଣାଇଥିଲେ।
ସେହିଠାରୁ ଜନର କଳା କାରବାରର ତଦନ୍ତ ଆରମ୍ଭ ହୋଇଛି । ୨୦୧୫ ମସିହାରେ ଜନ ନିଜ ସଂସ୍ଥାର ଜଣେ ଅନ୍ତେବାସୀ ନାବାଳକକୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ନାବାଳକ ଜଣକ ସଂସ୍ଥାରୁ ବାହାରିବା ପରେ ଗତ ମାସ ୧୪ ତାରିଖ ଦିନ ନାବାଳକର ପରିବାର ଝାରସୁଗୁଡ଼ା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ଝାରସୁଗୁଡ଼ା ପୋଲିସ ପ୍ରାଥମିକ ତଦନ୍ତ କରିବା ପରେ ଅଭିଯୋଗର ସତ୍ୟତା ଥିବା ଜାଣିପାରି ଥିଲା। ଏହାପରେ ଅଭିଯୁକ୍ତଙ୍କ ଜନ ପି ବ୍ରିଜ ବିରୋଧରେ ନାବାଳକ ଯୌନ ଉତ୍ପୀଡନ ନିରୋଧ ଆଇନର ୧୦ ପୋକ୍ସୋ ୩୪୧ ଆଇପିସି ଓ ଆଦିବାସୀ ଉତ୍ପୀଡନ ନିରୋଧ ଆଇନର ୩ ଧାରା ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ୨୦୧୮ରେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ ସେଣ୍ଟର୍ରେ ଚାଲିଥିବା ବେଆଇନ ଧର୍ମାନ୍ତରୀକରଣ ଓ ଯୁବତୀ ଚାଲାଣ ପ୍ରସଙ୍ଗ ରାଜ୍ୟ ରେ ହଇ ଚଇ ସୃଷ୍ଟି କରିଥିଲା । ରାଜ୍ୟରେ ଥିବା ଗୁଡ୍ ନିଉଜ ଇଣ୍ଡିଆର ସମସ୍ତ ଶାଖା କୁ ସିଲ କରିଦିଆଯାଇଥିଲା । ଏଣୁ ଝାରସୁଗୁଡ଼ା ଫେଥ ଆଉଟ ରିଚ ସଂସ୍ଥା ବିରୁଦ୍ଧରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।