ରାଜଧାନୀରେ ବେଧଡକ ଚାଲିଛି ଦେହବେପାର, ରୂପଜୀବୀ କିଛି ଦିନରେ ପାଲଟୁଛନ୍ତି ରାଣୀ ମହୁମାଛି, ଚାହିଦା ଅନୁସାରେ ଗ୍ରାହକଙ୍କୁ ଯୋଗାଉଛନ୍ତି ସେବା
23/11/2020 at 9:57 AM

ଭୁବନେଶ୍ୱର,୨୩/୧୧: ଭୁବନେଶ୍ୱର ଜମୁଛି ଅନୈତିକ କାର୍ଯ୍ୟ । ଚାହିଦା ଦେଖି ସପ୍ଲାଏ କରୁଛନ୍ତି ଦଲାଲ୍ମାନେ। ସହରକୁ ଆଜି ଯିଏ ରୂପଜୀବୀ ହୋଇ ଆସୁଛି କିଛିଦିନ ପରେ ସେ ରାଣୀ ମହୁମାଛି ହୋଇଯାଉଛି । ନିଜେ ଯୁବତୀଙ୍କୁ ରଖି ଆରମ୍ଭ କରିଦେଉଛନ୍ତି ବେପାର। ଗ୍ରାହକଙ୍କୁ ଅଳ୍ପ ଟଙ୍କା ଓ ପୂର୍ଣ୍ଣ ସୁରକ୍ଷାର ସହ ସନ୍ତୁଷ୍ଟ କରିବାକୁ ସମ୍ପୂର୍ଣ୍ଣ ଉଦ୍ୟମ କରୁଛନ୍ତି। ସହରର ଏମିତି କେଉଁ ଅଞ୍ଚଳ ନାହିଁ ଯେଉଁଠି ରୂପଜୀବୀମାନେ ବେପାର କରୁନାହାନ୍ତି । ପୋଲିସ୍ର ଢିଲା ଓ ଖାମଖିଆଲି ଗୁଣ ପାଇଁ ସହରର କୋଣ ଅନୁକୋଣରେ ଏବେ ଅନୈତିକ କାର୍ଯ୍ୟ ବଢି ଚାଲିଛି ।
ରାଜ୍ୟ ବାହାରୁ ଭୁବନେଶ୍ୱରକୁ ମାଳମାଳ ରୂପଜୀବୀ ଆସି ଏଠାରେ ଦେହ ବ୍ୟବସାୟ କରୁଛନ୍ତି। ଦଲାଲମାନେ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ, ତାସ୍କେଣ୍ଟ, ନେପାଳ ଓ ବାଂଲାଦେଶରୁ ଯୁବତୀଙ୍କୁ ଆଣି ବିଭିନ୍ନ ମସାଜ୍ ପାର୍ଲରରେ ରଖି ଅନୈତିକ କାର୍ଯ୍ୟରେ ଲିପ୍ତ କରାନ୍ତି। କିନ୍ତୁ ପୋଲିସ୍ ଭୟରେ ଏ ସବୁ କାମ ଲୁଚା ଛପାରେ ଚାଲେ। ସେଥିପାଇଁ ଦାମ୍ ମଧ୍ୟ ଅଧିକ ରହୁଥିଲା । ଗ୍ରାହକ ପିଛା ୫ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଥିଲା ଦାମ୍। କିନ୍ତୁ ୨୦୧୯ ଅଗଷ୍ଟ ମାସ ଠାରୁ ପୋଲିସ୍ ଏ ସବୁ ଅନୈତିକ କାର୍ଯ୍ୟ ଉପରୁ ନଜର ହଟାଇ ଦେଇଛି। ପାର୍ଲରରେ ଆଉ ଚଢଉ ହେଉନି କି ଆଗଭଳି ଆଉ ଗିରଫଦାରୀ କରାଯାଉ ନାହିଁ । ଯାହାର ଫାଇଦା ଉଠାଇଛନ୍ତି ଦେହ ବ୍ୟବସାୟୀ ଓ ଯୌନକର୍ମୀ । ପୂର୍ବ ଅପେକ୍ଷା ଦେହ ବେପାରରେ ଅନେକ ପରିବର୍ତ୍ତନ ଆସିଛି । ବାଂଲାଦେଶ ଓ ପଶ୍ଚିମବଙ୍ଗରୁ ଆସୁଥିବା ରୂପଜୀବୀ ୧୦ରୁ ୧୫ ଦିନ କାମ କରିବା ପରେ ଏଟାରେ ପାଲଟି ଯାଉଛନ୍ତି ରାଣୀ ମହୁମାଛି ।
ଏହି ମହୁମାଛିମାନେ ନିଜ ଅଧିନରେ ୫ରୁ ୧୦ ରୂପଜୀବୀଙ୍କୁ ରଖି ବେପାର କରୁଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ମାତ୍ର ୧ ହଜାର ଓ ୨ ହଜାର ଟଙ୍କାରେ ସେବା ଦେଉଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଘର ଭଡା ନେଇ ଏମାନେ ରହୁଛନ୍ତି। ଗ୍ରାହକ ଯୋଗାଡ ପାଇଁ ନିଆଯାଉଚି ସୋସିଆଲ ମିଡିଆର ସାହାଯ୍ୟ। ଅନ୍ଲାଇନ୍ରେ ହୋଟେଲ୍ ରୁମ୍ ନେଇ ସେଠାରେ ଧନ୍ଦା ଚାଲୁଛି। ପୂର୍ବାପେକ୍ଷା ଦାମ୍ କମ୍ ଥିବାରୁ ଗ୍ରାହକମାନଙ୍କ ଭିଡ଼ ବି ଲାଗୁଛି ।
ନିୟମ ଅନୁସାରେ, ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ତଥ୍ୟ ପୋଲିସ୍ ପାଖରେ ରହିବା କଥା। ବିଦେଶୀ ନାଗରିକ କେଉଁ ଭିସାରେ ଏଠାକୁ ଆସିଛନ୍ତି । ଏଠାରେ କ’ଣ କରୁଛନ୍ତି ? କେଉଁଠି ରହୁଛନ୍ତି? ଯେଉଁ କାର୍ଯ୍ୟ କରିବାକୁ ଆସିଛନ୍ତି ଆଉ କ’ଣ କରୁଛନ୍ତି? ମାତ୍ର କେବଳ ଛାତ୍ରଛାତ୍ରୀମାନଙ୍କୁ ଛାଡି ଦେଲେ ବାକି କାହା ବିଷୟରେ ପୋଲିସ୍ ପାଖରେ କିଛି ଖୋଜ୍ ଖବର ନାହିଁ ।
ଗତ ଫେବ୍ରୁଆରୀରେ ଥାଇଲାଣ୍ଡରୁ ୨୨ ଜଣ ଯୁବତୀ ଟୁରିଷ୍ଟ ଭିସାରେ ଭୁବନେଶ୍ୱର ଆସିଥିଲେ । ଏବେ ଏମାନେ ବିଭିନ୍ନ ମସାଜ୍ ସେଣ୍ଟରରେ କାମ କରୁଥିବା ସୂଚନା ମିଳିଛି । ମାତ୍ର ଏମାନଙ୍କ ବିଷୟରେ ପୋଲିସ୍ ପାଖରେ କୌଣସି ଖବର ନାହିଁ । ତା ଉପରେ ଲକ୍ଡାଉନ୍, ସଟଡାଉନ୍ ଓ କୋଭିଡ୍ କଟକଣା ଏମାନଙ୍କ ପାଇଁ କଙ୍କଡାକୁ ଗୋଳିପାଳି ସୁହାଇଲା ଭଳି ସୁଯୋଗ ଦେଇଛି।
ରାଜ୍ୟରେ ୧୦ ହଜାରରୁ ଅଧିକ ଯୌନକର୍ମୀ
ସରକାରଙ୍କ ପାଖରେ ଏମାନଙ୍କ ସଂପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନାହିଁ। ସରକାରୀ ରିପୋର୍ଟ କହୁଛି ମାତ୍ର ୨୨ ଟି ଜିଲ୍ଳାରେ ୧୦ହଜାର ୨୧୦ ଜଣ ଯୌନକର୍ମୀ ଅଛନ୍ତି। ଏହି ୨୨ ଟି ଜିଲ୍ଳା ମଧ୍ୟରୁ ବାଲେଶ୍ୱରରେ ଜିଲ୍ଲାରେ ସର୍ବାଧିକ ୧ ହଜାର ୫୦ ଜଣ ଯୌନକର୍ମୀ କାର୍ଯ୍ୟ କରୁଛନ୍ତି। କଟକରେ ୨୫୦ ଓ ଖୋର୍ଦ୍ଧାରେ ୬୧୦ ଜଣ, ଯାଜପୁରରେ ୭ ଶହ, ପୁରୀରେ ୨୫୦ ଜଣ ଯୌନକର୍ମୀ ଅଛନ୍ତି ବୋଲି ସରକାର କହୁଛନ୍ତି। ପୋଲିସ୍ର ରିପୋର୍ଟ ଅନୁସାରେ, କେବେଳ ମାଳିସାହିରେ ଅଛନ୍ତି ୫ ଶହରୁ ଅଧିକ ଯୌନକର୍ମୀ। ସେହିପରି ୨୦୧୫ରୁ ୨୦୧୮ ମଧ୍ୟରେ କମିଶନରେଟ୍ ପୁଲିସ୍ ୨ ହଜାର ଯୌନ କର୍ମଚୀଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ସେମାନଙ୍କ ଘରକୁ ପଠାଇବାକୁ ବ୍ୟବସ୍ଥା କରିଛି।