ଧଳା ଚାଦରରେ ଘୋଡେଇ ହୋଇ ରହିଛି କାଶ୍ମୀର : ପ୍ରବଳ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

Published By : Prameya-News7 Bureau | November 03, 2018 IST

ଶ୍ରୀନଗର ୩/୧୧ : ତୁଷାରପାତରେ ଘୋଡେଇ ହୋଇ ରହିଛି ପୁରା କାଶ୍ମୀର | ଜାମ୍ମୁ କାଶ୍ମୀରରେ ପ୍ରବଳ ମାତ୍ରାରେ ତୁଷାରପାତ ହୋଇ ରାସ୍ତାଘାଟ ବନ୍ଦ ହୋଇଯାଇଛି | ରାସ୍ତା ଉପରେ ମଧ୍ୟ ବରଫ ଜମାହେଇ ରହିଥିବାରୁ ଗାଡି ମଟର ଚଳାଚଳ ହୋଇପାରୁନାହିଁ | ଆଜି ସକାଳୁ ତୁଷାରପାତ ସହ ବର୍ଷା ମଧ୍ୟ ହୋଇଛି | କାଶ୍ମୀରର ଯୋଜିଲା ପାସ, ଦ୍ରାସ, କାର୍ଗିଲ, ସୋନମାର୍ଗ, ଗୁଲମାର୍ଗ ଆଦି ଅଂଚଳରେ ତୁଷାରପାତ ସହ ଗତ ୧୨ ଘଣ୍ଟା ହେଲା ବର୍ଷା ମଧ୍ୟ ହେଉଛି । ଏବେ ମଧ୍ୟ ସେଠାରେ ବର୍ଷା ଜାରି ରହିଛି | ତେବେ ଆସନ୍ତାକାଲିଠାରୁ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଦେବ ବୋଲି ପାଣିପାଗ ବିଭାଗ କହିଛି | ଗୁଲମାର୍ଗ ଏବଂ ପହଲମାର୍ଗ ଅଂଚଳର ପାହାଡିଆ ଅଂଚଳକୁ ଯେଉଁ ପର୍ଯ୍ୟଟକମାନେ ଆସିଥିଲେ ସେମାନେ ତୁଷାରପାତ ଯୋଗୁଁ ବହୁ ଆସିବିଧାର ସମ୍ମୁଖୀନ ହୋଇଛନ୍ତି | ଜଣେ ପର୍ଯ୍ୟଟକ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ସେ ସେଠାକୁ ବୁଲାବୁଲି କରିବାକୁ ଯାଇଥିଲେ କିନ୍ତୁ ସବୁ ତାଙ୍କ ଭାବନାରେ ହିଁ ରହିଗଲା | କିନ୍ତୁ ତୁଷାରପାତ ଦେଖି ସେ ବହୁତ ଖୁସି ମଧ୍ୟ ହୋଇଥିବା କହିଛନ୍ତି | ତୁଷାରପାତ ଯୋଗୁଁ କାଶ୍ମୀରର ଏହି ସବୁ ପାହାଡିଆ ଅଂଚଳରେ ଅତ୍ୟଧିକ ଥଣ୍ଡା ପବନ ବହୁଛି | ତେବେ ରାତିରେ ତାପମାତ୍ରା ଆହୁରି କମ ରହୁଛି | ସୂଚନାଯୋଗ୍ୟ ଯେ, ଶ୍ରୀନଗରରେ ବର୍ଷ ତମାମ ତାପମାତ୍ରା ସର୍ବନିମ୍ନ ରହିଥାଏ | କିନ୍ତୁ ବର୍ଷର ଏହି ସମୟରେ ଶ୍ରୀନଗରର ତାପମାତ୍ରା ୧.୮ ଡିଗ୍ରୀ ସେଲସିଅସ ରହିଥାଏ | ତେବେ ଏଥର ପହଲଗ୍ରାମରେ ତାପମାତ୍ରା ୦.୪ ଡିଗ୍ରୀ ସେଲସିଅସ ରହିଥିବାବେଳେ ଗୁଲମାର୍ଗରେ ମାଇନସ ୩ ଡିଗ୍ରୀ ସେଲସିଅସ ରହିଛି | କାର୍ଗିଲର ତାପମାତ୍ରା ମାଇନସ ୪.୮ ରହିଛି ଯାହାକି ପୁରା ରାଜ୍ୟର ସର୍ବନିମ୍ନ ତାପମାତ୍ରା ଏବଂ ସେଠାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି | ତୁଷାରପାତ ଏବଂ ବର୍ଷା ଯୋଗୁଁ ବିମାନ ସେବା ଆଜି ଅପରାହ୍ନ ୩ଟା ଯାଏଁ ବନ୍ଦ ରହିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.