ଚାଳକଙ୍କ ଆଖି ଲାଗିଗଲା, ଦୃତ ଗତିରେ ଗଛରେ ପିଟିହେଲା ଭ୍ୟାନ୍ : ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ

Published By : Prameya-News7 Bureau | June 13, 2021 IST

ରାୟପୁର ୧୩/ ୦୬ : ସାମାଜିକ କାର୍ଯ୍ୟକ୍ରମ ସାରି ହସଖୁସିରେ ଫେରୁଥିଲେ । କିନ୍ତୁ ଜଣାନଥିଲା ତାହା ଶେଷ ଯାତ୍ରା ହୋଇଯିବ ବୋଲି । ମାତ୍ର କେଇ ସେକେଣ୍ଡ ମଧ୍ୟରେ ଲିଭିଗଲା ପାଞ୍ଚ ପାଞ୍ଚଟି ଜୀବନ ଦୀପ । ଛତିଶଗଡ ଗରିୟାବନ୍ଦ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଥିବା ସୂଚନା ମିଳିଛି । ମୃତ ମହିଳାମାନେ ସମସ୍ତେ ସମ୍ପର୍କୀୟ ଏବଂ ଗୋଟିଏ ଗାଡିରେ ରାୟପୁରରୁ ଏକ ବିବାହ ଭୋଜି ସାରି ଫେରୁଥିଲେ ।

ସୂଚନା ଅନୁଯାୟୀ, ଏକ ଇକୋ ଭ୍ୟାନରେ ୧୧ ଜଣ ରାୟପୁରରୁ ଗରିୟାବନ୍ଦର ମାଲଗାଓଁକୁ ଫେରୁଥିଲେ । ଗାଡିର ବେଗ ଅଧିକ ଥିଲା ଏବଂ ରାସ୍ତାରେ ଆସିବା ବେଳେ ରାଜିମ ଅଞ୍ଚଳର କୋପରା ନିକଟରେ ଡ୍ରାଇଭରର ଆଖି ଲାଗିଯାଇଥିଲା । ଯାହା ଫଳରେ ଗାଡିଟି ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ ୫ ଜଣ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଗାଡିର ଡ୍ରାଇଭର ଗାଡି ମଧ୍ୟରେ ଚାପି ହୋଇ ରହିଥିଲେ । ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ଗାଡି ମଧ୍ୟରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତଙ୍କୁ ରାଜିମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିବା ସମୟରେ ଗାଡିରେ ଥିବା ସମସ୍ତେ ଶୋଇପଡିଥିଲେ । ଗାଡି ଚଳାଉଥିବା ବ୍ୟକ୍ତିଙ୍କର ମଧ୍ୟ ଆଖି ଲାଖିଯାଇଥିଲା । ଯାହାଫଳରେ ଦୁର୍ଘଟଣା ବେଳେ କେହି କିଛି ଜାଣିପାରିନଥିଲେ । ସୂଚନା ପାଇଁ ଗରିୟାବନ୍ଦର ଅତିରିକ୍ତ ଏସପି ସୁଖନନ୍ଦନ ରାଠୋର ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.