ଅମ୍ଫାନ ରଚିଛି ତାଣ୍ଡବଲୀଳା : ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି, କାନ୍ଥ ପଡି ଜଣେ ଶିଶୁ ମୃତ

Published By : Prameya-News7 Bureau | May 20, 2020 IST

ଭୁବନେଶ୍ୱର ୨୦/୦୫ :ବାତ୍ୟା ଅମ୍ଫାନ୍‌ ପ୍ରଭାବରେ ରାଜ୍ୟର ଉତ୍ତର ଓ ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷକରି ବାଲେଶ୍ବର, ଭଦ୍ରକ, ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହୋଇଛି । କେଉଁଠି ଗଛ ଭାଙ୍ଗିଛି ତ ଆଉ କେଉଁଠି ଇଲେକ୍ଟ୍ରି ଖୁଣ୍ଟ ଓପୁଡି ପଡିଛି । ସେହିଭଳି ଏହି ସବୁ ଜିଲ୍ଲା କଚ୍ଚା ଘର ଓ ଆଜବେଷ୍ଟସ୍‌ ଘର ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଛି । ତେବେ ବାତ୍ୟା ଅମ୍ଫାନ ଯୋଗୁଁ କାନ୍ଥ ପଡିଯିବାରୁ ତିହିଡିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଖବର ମିଳିଛି । …  

{"id":273079,"sizeSlug":"large"}

ଉପୁଡିଲା ଗଛ । ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ । ଓଲଟିଛି ଡଙ୍ଗା । ଉଡିଛି ଚାଳଛପର ଘର ।  ଅମ୍ଫାନ କରିଛି ଏପରି ତାଣ୍ଡବଲୀଳା । ବାତ୍ୟା ଅମ୍ଫାନ୍ ଯୋଗୁଁ ଉତ୍ତର ଓଡ଼ିଶା ସମେତ ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏ ହେଉଛି ଜଗତସିଂହପୁର ତିର୍ତ୍ତୋଲ, ଏରସମା ଓ କୁଜଙ୍ଗ ଅଞ୍ଚଳର ଦୃଶ୍ୟ । ପ୍ରବଳ ପବନ ସାଙ୍ଗକୁ ବର୍ଷା ଯୋଗୁଁ ବଡବଡ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ ସହ ଅନେକ ଚାଳଘର ନଷ୍ଟ ହୋଇଛି । କଟକ-ପାରାଦ୍ବୀପ ରାସ୍ତାର ଅନେକ ସ୍ଥାନରେ ଗଛ ପଡି ଅବରୋଧ ହୋଇଛି ।

{"id":273085,"sizeSlug":"large"}

ଏଠାରେ ପବନର ବେଗ ଘଣ୍ଟାପ୍ରତି ପାଖାପାଖି ୧୦୦ କିଲୋମିଟର ଥିବାବେଳେ ଗଷ୍ଟିଙ୍ଗ ୧୩୫ କିଲୋମିଟର ଥିଲା । ଏରସମାର ୩ ଟି ପଞ୍ଚାୟତର ୧୫ରୁ ଅଧିକ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ତିର୍ତ୍ତୋଲ ମଣିଜଙ୍ଗା ଗାଁରେ ବଡ ଚାକୁଣ୍ଡା ଗଡ ଉପୁଡି ପଡିବାରୁ ୩ଟି କୋଠାଘର କ୍ଷତିଗ୍ରସ୍ତ ହୋଇଛି । ପାରାଦୀପ ମାଛଧରା ବନ୍ଦରରେ ବୋଟ୍‌ ବୁଡିଯାଇଛି । ମତ୍ସଜୀବୀଙ୍କ ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି । ସହରର ବଡବଡ ହୋଡିଂ ଉଡି ରାସ୍ତାରେ ପଡିଛି ।

{"id":273080,"sizeSlug":"large"}

ଭଦ୍ରକ ଧାମରା ଅଞ୍ଚଳରେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ତେଣୁ ଅନେକ ସ୍ଥାନରେ ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଧାମରା ବନ୍ଦର ନିକଟରେ ଥିବା ଅନେକ ମାଛଧରା ଡଙ୍ଗା ଓଲଟି ପଡିଥିବା ଦେଖିବାକୁ ମିଳିଛି । ଗେଲପୁରର ବାବା ଗେଲେଶ୍ବରଙ୍କ ମନ୍ଦିରର ମୁଖଚାଳ ଭାଙ୍ଗି ତଳେ ପଡିଛି । ଭଦ୍ରକ ଜିଲ୍ଲାର ଅନେକ ସ୍ଥାନରେ ବଡବଡ ଗଛ ଉପୁଡି ରାସ୍ତା ଉପରେ ତ ଆଉ କେଉଁଠି ଘର ଉପରେ ପଡିଥିବା ଦେଖିବାକୁ ମିଳିଛି । ଓଡ୍ରାଫ୍‌ ଟିମ୍‌ ରାସ୍ତା ଉପରୁ ଗଛକାଟି ସଫା କରିବାରେ ଲାଗିପଡିଛନ୍ତି । ଜିଲ୍ଲାରେ ବିଦ୍ୟୁତ ଓ ଟେଲିଫୋନ୍‌ ସରବରାହ ବାଧାପ୍ରାପ୍ତ ହୋଇଛି । ବାଲେଶ୍ବର ଜିଲ୍ଲାରେ ବି ବିଭିନ୍ନ ଅଞ୍ଚଳରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ବିଭିନ୍ନ ଛାତଘରର କାଚ ଭାଙ୍ଗିବା ସହ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ ବାହାରେ ଥିବା ଚାରିଚକିଆ ଗାଡିଗୁଡିକ କ୍ଷତିଗ୍ରସ୍ତ ହୋଇଛି ।

{"id":273081,"sizeSlug":"large"}

କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ, ମହାକାଳପଡା, ପଟ୍ଟାମୁଣ୍ଡାଇ, ରାଜନଗର ଅଞ୍ଚଳକୁ ପ୍ରଭାବିତ କରିଛି ଅମ୍ଫାନ୍‌ । ଅନେକ ସ୍ଥାନର ଗଛ ଉପୁଡି ରାସ୍ତା ଓ ଘର ଉପରେ ପଡିଥିବା ବେଳେ କଚ୍ଚା ଘର ଓ ଆଜବେଷ୍ଟସ୍‌ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା ଓ ସମୁଦ୍ର ଜୁଆର ଯୋଗୁଁ ରାଜନଗର ବ୍ଲକ ପୁରୁଷୋତ୍ତମପୁର ଗାଁ ନିକଟ ଲୁଣା ବନ୍ଧ ଡେଇଁ ଗାଁ ଭିତରକୁ ପାଣି ପଶିଛି । ଫଳରେ ଗାଁର ପ୍ରାୟ ୬୨ଟି ପରିବାର ଜଳମଗ୍ନ ହୋଇଛନ୍ତି । ଲୋକ ବନ୍ଧ ଉପରେ ବାଲି ବସ୍ତା ପକାଇ ପାଣିକୁ ଅଟକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ସେହିଭଳି ପଟ୍ଟାମୁଣ୍ଡାଇ ତାଳଚୁଆ ମେରାଇନ ଥାନା ଦୁଆର ମୁହଁରେ ଲହଡି ମାରିଛି ନର୍ଦ୍ଦମା ପାଣି । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପର ବର୍ଯ୍ୟବସ୍ତୁ ଭାସିଆସି ଥାନା ଭିତରେ ପଶିବାରୁ ଏକପ୍ରକାର ଜଳବନ୍ଦୀ ପାଲଟିଛନ୍ତି ଥାନା କର୍ମଚାରୀ ।

{"id":273082,"sizeSlug":"large"}

ବାତ୍ୟା ଅମ୍ଫାନ ପୁରୀ ଜିଲ୍ଲାର ନିମାପଡା, ଗୋପ, କୋଣାର୍କ ଅଞ୍ଚଳରେ ପ୍ରଭାବ ପକାଇଛି । ନିମାପଡା, କୋଣାର୍କ ଏବଂ ଚାରିଛକ ରାସ୍ତାରେ ସ୍ଥାନେ ସ୍ଥାନେ ବିଦୁତ ଖୁଣ୍ଟ ଓ ଗଛ ଉପୁଡି ପଡିଥିବାରୁ ରାସ୍ତା ଅବରୋଧ ହୋଇଛି । ଗଣଶିକ୍ଷା ମନ୍ତ୍ରୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ମେସିନ୍‌ ଲଗାଇ ଅଗ୍ନିଶମ ବିଭାଗ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଗୁଡିକୁ ସଫା କରୁଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ସୁକିନ୍ଦା ଓ କାଳିଆପାଣି ଅଞ୍ଚଳରେ ବ୍ୟାପକ ଗଛ ଉପୁଡିଥିବା ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲ୍ଲାରେ ବି ଅମ୍ଫାନ୍‌ ଯୋଗୁଁ କେତେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଓ ପବନ ଯୋଗୁଁ ଭଦ୍ରକ ତିହିଡି ଦକ୍ଷିଣପାରି ଗାଁରେ କାନ୍ଥ ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଏଥିରେ ଶିଶୁର ମା ଆହତ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.