IMDର ଆକଳନ : ଚଳିତ ବର୍ଷ ଭୟଙ୍କର ବାତ୍ୟା ସାଙ୍ଗକୁ ହେବ ହାଡଭଙ୍ଗା ଶୀତ

Published By : Prameya-News7 Bureau | October 16, 2020 IST

ଭୁବନେଶ୍ବର ୧୬।୧୦: ବର୍ଷ ସରିବାକୁ ଆଉ କେଇଟା ମାସ ବାକି ଅଛି । ଏହି ସମୟରେ ଭାରତୀୟ ପାଣିପାଗ ବିଭାଗ ଦେଇଥିବା ଏକ ସୂଚନା ଲୋକଙ୍କୁ ଆଶଙ୍କିତ କରିଛି । ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମହାସାଗରରେ ସୃଷ୍ଟି ହେଉଥିବା କିଛି ବିଶେଷ ସ୍ଥିତି କାରଣରୁ ଭାରତର କେତେକ ଭାଗରେ ଭୟଙ୍କର ବାତ୍ୟା ଏବଂ ପ୍ରଚଣ୍ଡ ଶୀତପ୍ରବାହ ଅନୁଭୂତ ହେବ।

ପାଣିପାଗ ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଚଳିତ ଅକ୍ଟୋବର ଏବଂ ନଭେମ୍ବର ମାସରେ ବଙ୍ଗୋପସାଗର ଉପରେ ଘନଘନ ବାତ୍ୟା ସୃଷ୍ଟି ହୋଇପାରେ। ସେହିପରି ଦେଶର କିଛି ଅଂଶରେ ଅସହନୀୟ ଶୀତପ୍ରବାହ ଅନୁଭୂତ ହେବ । ସୂଚନା ଅନୁଯାୟୀ ୨୦୨୦ ମସିହା ଅଗଷ୍ଟରୁ ପ୍ରଶାନ୍ତ ମହାସାଗର ଉପରେ ‘ଲା ନିନା’ ସୃଷ୍ଟି ହୋଇଛି। ଏହା ପୂର୍ବରୁ ଅପେକ୍ଷାକୃତ ଦୁର୍ବଳ ଥିଲା କିନ୍ତୁ ଏବେ ଏହା ଅଧିକ ତୀବ୍ର ହୋଇସାରିଲାଣି । ଏହାର ପ୍ରଭାବରେ ବାତ୍ୟା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ବିଶେଷ କରି ବଙ୍ଗୋପସାଗରରେ ଜଳପତ୍ତନ ତାପମାତ୍ରା ଚାପ ତାରତମ୍ୟ ଦେଖାଦେବ, ଯାହା ବାତ୍ୟା ରୂପ ନେଇପାରେ ।

ସେହିପରି ‘ଲା ନିନା’ର ପ୍ରଭାବରେ ଭାରତର କିଛି ଭାଗରେ ଘନଘନ ଏବଂ ପ୍ରଚଣ୍ଡ ଶୀତପ୍ରବାହ ଅନୁଭୂତ ହେବ । ଏହି କାରଣରୁ ରାଜସ୍ଥାନ, ପଞ୍ଜାବ, ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଏବର୍ଷ ଭୟଙ୍କର ଥଣ୍ଡା ପଡିବ ଏବଂ ଏହି କାରଣରୁ ହେଉଥିବା ମୃତ୍ୟୁ ସଂଖ୍ୟା ବି ବୃଦ୍ଧିପାଇବ । ପ୍ରଚଣ୍ଡ ଶୀତ ଯୋଗୁ ଶକ୍ତି, କୃଷି, ସ୍ୱାସ୍ଥ୍ୟ ଏବଂ ପରିବହନ ଭଳି କିଛି କ୍ଷେତ୍ର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ ।

ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଚଳିତ ବର୍ଷଠାରୁ ପ୍ରଥମ କରି କେଉଁ କେଉଁ କ୍ଷେତ୍ର ପ୍ରଚଣ୍ଡ ଶୀତପ୍ରବାହ ଯୋଗୁଁ ପ୍ରଭାବିତ ହେବ ତାହାକୁ ନେଇ ନିଜର ଆକଳନ ଜାରି କରିବ । ପ୍ରଚଣ୍ଡ ଶୀତ ଯୋଗୁ ବିଦ୍ୟୁତ୍‌ ଶକ୍ତିର ଉପଯୋଗ ବୃଦ୍ଧି ପାଇପାରେ ଏବଂ ଅନେକ ଲୋକ ଅସୁସ୍ଥ ହୋଇପାରନ୍ତି । ତେଣୁ ଏଭଳି ସମସ୍ୟାର ମୁକାବିଲାରେ ବିଭାଗ ଦ୍ବାରା ଜାରି କରାଯିବାକୁ ଥିବା ଆକଳନ ସହାୟତା କରିବ ବୋଲି ମହାପାତ୍ର ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.