ଲଗାଣ ବର୍ଷାରେ ଟ୍ୱିନ ସିଟି ଅବସ୍ଥା ବେହାଲ

Published By : Prameya-News7 Bureau | August 07, 2018 IST

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆହୁରି ୪୮ଘଣ୍ଟା ବର୍ଷିବାର ସମ୍ଭାବନା ରହିଛି । ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପୂର୍ବାହ୍ନ ୯.୩୦ରୁ ଦିନ ୧.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଭୁବନେଶ୍ବର ଏବଂ କଟକ ସମେତ ଉପକୂଳ ଓଡ଼ିଶାରେ ଗତକାଲି ସଂଧ୍ୟାରୁ ପ୍ରବଳ ବର୍ଷା ଲାଗିଛି। ଗତକାଲି ସଂଧ୍ୟାରୁ ମଧ୍ୟରାତ୍ରି ମଧ୍ୟରେ ଭୁବନେଶ୍ବରରେ ୧୦୨ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ ରହିଛି। ଏପରିକି କିଛି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ଏବଂ ରାଜଧାନୀର ପ୍ରମୁଖ ଅଞ୍ଚଳରେ ପାଣିର ସୁଅ ଛୁଟୁଥିବାରୁ ଯାତାୟତରେ ଅସୁବିଧା ଉପୁଜିଛି। ସେହିପରି କଟକ ସହରର ବିଭିନ୍ନ ଗଳି କନ୍ଦିରେ ପାଣି ସୁଅ ଛୁଟିଛି । ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ପମ୍ପ ଲଗାଯାଇଛି । ବର୍ଷା ପାଇଁ ୨୪ ଘଣ୍ଟା ଆଲର୍ଟ ରହିବାକୁ ସିଏମ୍ସିର ସମସ୍ତ କର୍ମଚରୀଙ୍କୁ କୁହାଯାଇଛି । ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲେ ନିରାପତ୍ତା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି । ଲଗାଣ ବର୍ଷା ଯୋଗୁ କଟକ ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଆଜି ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ବର୍ଷା ଓ ପରିବହନ ଧର୍ମଘଟ ଯୋଗୁ ଛୁଟି ଘେଷଣା କରାଯାଇଛି । ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.