କୋଚିଂ ନେବାକୁ ଯାଉଥିଲେ, ବ୍ରିଜ୍‌ ଉପରେ ହେଲା ଦୁର୍ଘଟଣା, ଅକାଳରେ ଚାଲିଗଲେ ଅଙ୍କିତ୍‌

Published By : Prameya-News7 Bureau | October 27, 2021 IST

ପାଟନା, ୨୭/୧୦: ‘ଦ୍ରୁତ ଗତି ମହା ବିପତ୍ତି’ ରୋଡ୍‌ ସେଫ୍ଟି ପାଇଁ ଏହା ଏକ ବର୍ତ୍ତା । ହେଲେ ଆଜିର ଯୁବପୀଢ଼ି ଏହାକୁ ବେଖାତିର କରି ହାଇସ୍ପିଡ୍‌ରେ ଗାଡ଼ି ଚଳାଉଛନ୍ତି । ଯେଉଁଥି ପାଇଁ ଅକାଳରେ ମୂଲ୍ୟବାନ ଜୀବନ ଚାଲିଯାଉଛି । ଏମିତି ଏକ ଦୁର୍ଘଟଣା ଘଟିଛି ବିହାରର ଚିଟ୍‌କୋହରା ଓଭରବ୍ରିଜ୍‌ ଉପରେ । ଯାହାଫଳରେ ବାଇକ୍‌ ଚାଳକଙ୍କ ଜୀବନ ଯାଇଥିବା ବେଳେ ପଛରେ ବସିଥିବା ତାଙ୍କ ସାଙ୍ଗ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, ଗାର୍ଦାନିବାଘ ପୋଲିସ୍‌ ଥାନା ଅଧିନ ଏହି ବ୍ରିଜ୍‌ ଉପରେ ଦୁର୍ଘଟଣା ଘଟିଛି । ଏଥିରେ ଆହତ ଏବଂ ମୃତକଙ୍କ ପରିଚୟ ପାଇଛି ପୋଲିସ୍‌ । ମୃତକ ଶାହପୁର ପାଇପ୍ରାର ଅଙ୍କିତ କୁମାର (୧୯) ହୋଇଥିବା ବେଳେ ଆହତ ପାଟନା ଫୁଲୱାରିଶରିଫର ହର୍ଣ୍ଣିଚକର ମନୀଷ କୁମାର (୧୮) ବୋଲି ଜଣାପଡିଛି। ବାଇକ୍‌କୁ ଅଙ୍କିତ୍‌ ଚଲାଉଥିଲେ । ବୋରିଙ୍ଗ୍‌ ରୋଡ୍‌ ସ୍ଥିତ କୋଚିଂ ସେଣ୍ଟରକୁ ଯାଉଥିବା ବେଳେ ବାଟରେ ମନୀଷଙ୍କୁ ନେଇଥିଲେ ।

ସକାଳୁ ମର୍ଣ୍ଣିଂୱାକ୍‌ କରିବାକୁ ଯାଉଥିବା ସମୟରେ କିଛି ଲୋକ ଓଭର୍‌ବ୍ରିଜ୍‌ରେ ବାଇକ୍‌ଟି ଚୁର୍‌ମାର ହୋଇ ପଡ଼ିଥିବାର ଦେଖିଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣାର ଅଧ ଘଣ୍ଟା ପରେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲା ପୋଲିସ୍‌ । ବାଇକ୍‌ଟି ଏତେ ଜୋର୍‌ରେ ଓଭରବ୍ରିଜ୍‌ରେ ବାଡ଼େଇ ହୋଇଯାଇଥିଲା ଯେ, ପଛରେ ବସିଥିବା ମନୀଷ ଉପରକୁ ଉଡ଼ି ଓଭରବ୍ରିଜ୍‌ ତଳକୁ ଖସି ପଡ଼ିଥିଲେ । ହେଲେ ଅଙ୍କିତ୍‌ଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମନୀଷଙ୍କୁ ପୋଲିସ୍‌ ସ୍ଥାନୀୟ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣା ପଡ଼ିଛି । କିନ୍ତୁ ତାଙ୍କ ପରିବାର ଲୋକ କୌଣସି ଚାରି ଚକିଆ ଗାଡ଼ି ସେମାନଙ୍କୁ ପଛ ପଟରୁ ଧକା ଦେଇ ଚାଲିଯାଇଥିବା ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.