ଏହିସବୁ ରାଜ୍ୟରେ ବଢିଲା ଲକ୍‌ଡାଉନ୍ ଏବଂ କଟକଣା, ଜାଣନ୍ତୁ କେଉଁ ରାଜ୍ୟରେ ବଢିଲା କେତେଦିନ

Published By : Prameya-News7 Bureau | May 30, 2021 IST

ନୂଆଦିଲ୍ଲୀ ୩୦।୫: କେରଳ, ତାମିଲନାଡୁ, ମହାରାଷ୍ଟ୍ର ଏବଂ ଗୋଆରେ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍ କିମ୍ବା ଅନ୍ୟାନ୍ୟ କଟକଣାକୁ ସୋମବାରଠାରୁ ଆସନ୍ତା ସପ୍ତାହେରୁ ନେଇ ୧୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସେହିଭଳି ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶ କିଛି କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ରାଜ୍ୟରେ କଟକଣାକୁ ଜୁନ ୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିବାବେଳେ ପୁଡୁଚେରୀ ସରକାର କେନ୍ଦ୍ରଶାସିତ ଅଞ୍ଚଳରେ ଲକଡାଉନ୍ ଜୁନ୍ ୭ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାମିଲନାଡୁ ପୂର୍ବରୁ ହିଁ ଜୁନ୍ ୭ ପର୍ଯ୍ୟନ୍ତ ଲକ୍ ଡାଉନ୍ ବଢାଇସାରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା କହିଛନ୍ତି, ଯଦି ଲୋକମାନେ ସହଯୋଗ କରନ୍ତି ଏବଂ କରୋନା ସଂକ୍ରମଣ ହ୍ରାସ ହୁଏ ତେବେ ଲକ୍ ଡାଉନ୍ କରିବାର ପ୍ରଶ୍ନ ଉଠୁନାହିଁ । କର୍ଣ୍ଣାଟକ ସରକାର ଜୁନ୍ ୭ ପର୍ଯ୍ୟନ୍ତ ଲକଡାଉନ୍ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ର ସରକାର ୧୪ ଅପ୍ରେଲରୁ ଲାଗୁ କଟକଣାରୁ ୧୪ ଦିନ ବଢାଇ ସାରିଛନ୍ତି । ଏହି କଟକଣା ଅବଧି ଜୁନ୍ ୧ ରେ ଶେଷ ହେବ ।

ଗୋଆ ସରକାର ଶନିବାର ଦିନ 'କରୋନା କର୍ଫ୍ୟୁ'କୁ ଜୁନ୍ ୭ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୋମବାରଠାରୁ ଦିଲ୍ଲୀରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଲକଡାଉନ୍ କଟକଣା ଜୁନ୍ ୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଲାଗୁ ଥିବା ଲକଡାଉନ୍ କୁ ଏକ ସପ୍ତାହ ବୃଦ୍ଧି କରିଛନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ରାଜ୍ୟରେ ‘କରୋନା କର୍ଫ୍ୟୁ’ କଟକଣା  ଜୁନ୍ ୧ରୁ ପର୍ଯ୍ୟାୟକ୍ରମେ କୋହଳ କରାଯିବା ସତ୍ତ୍ବେ ସପ୍ତାହାନ୍ତ ଲକଡାଉନ୍ ବଳବତ୍ତର ରହିବ । ଗ୍ରାମ, ବ୍ଲକ, ୱାର୍ଡ ଏବଂ ଜିଲ୍ଲା ସ୍ତରର ବିପର୍ଯ୍ୟୟ ପରିଚାଳନା କମିଟିର ଶନିବାର ସନ୍ଧ୍ୟାରେ ଏକ ଡିଜିଟାଲ ବୈଠକରେ ଚୌହାନ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ୫ ପ୍ରତିଶତରୁ ଅଧିକ ଏବଂ ଏହାଠାରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାମାନଙ୍କ ପାଇଁ 'ଅନଲକ୍' ନିର୍ଦ୍ଦେଶାବଳୀ ରହିବ ।

ହିମାଚଳ ପ୍ରଦେଶ ସରକାର ଶୁକ୍ରବାର କଟକଣାକୁ ଜୁନ୍ ୭ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ଉତ୍ତର-ପୂର୍ବର ଅନେକ ରାଜ୍ୟ ମଧ୍ୟ କଟକଣା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ନାଗାଲାଣ୍ଡରେ ଜୁନ୍ ୧୧ ପର୍ଯ୍ୟନ୍ତ ଏହି ଲକଡାଉନ୍ ବଳବତ୍ତର ରହିବ ।

ଅରୁଣାଚଳ ପ୍ରଦେଶର ୭ଟି ଜିଲ୍ଲାରେ ଜୁନ୍ ୭ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସେହିଭଳି ମଣିପୁର ସରକାର ୧୧ ଜୁନ୍ ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ମିଜୋରାମ ମଧ୍ୟ ଆଇଜୋଲ୍ ନିଗମ ଅଞ୍ଚଳରେ କଟକମାକୁ ଜୁନ୍ ୬ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛି । ମେଘାଳୟ ସରକାର ପୂର୍ବ ଖାସି ହିଲ୍ସ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ୍ କୁ ଏକ ସପ୍ତାହ ପାଇଁ ବଢାଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.