କ୍ରାଇଷ୍ଟଚର୍ଚ୍ଚ ମସଜିଦରେ ଗୁଳିମାଡ ; ୪୦ ମୃତ, ଅଳ୍ପକେ ବର୍ତ୍ତିଲେ ବାଂଲାଦେଶୀ କ୍ରିକେଟ୍ ଖେଳାଳୀ
15/03/2019 at 9:48 AM

ଓ୍ବେଲିଙ୍ଗ୍ଟନ୍ ୧୫|୩ : ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚର ଦୁଇ ମସଜିଦରେ ଆଖିବୁଜା ଗୁଳିମା ହୋଇଛି । ଏଥିରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହି ମସଜିଦ୍ ରେ ଗୁଳିକାଣ୍ଡ ପରେ ଅନ୍ୟ ଏକ ମସଜିଦ୍ ରେ ମଧ୍ୟ ଗୁଳିକାଣ୍ଡ ହୋଇଛି । ପୋଲିସ ସଂପୃକ୍ତ ଅଞ୍ଚଳକୁ ସିଲ୍ କରିଦେଇଛି ।
ଘଟଣା ପରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲ ବନ୍ଦ କରିଦିଆଯାଇଛି । ଲୋକଙ୍କୁ ଘରୁ ବାହାରକୁ ବାହାରି ପାଇଁ ବାରଣ କରାଯାଇଛି । କୌଣସି ସଂଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ପୋଲିସକୁ ଖବର ଦେବାକୁ କୁହାଯାଇଛି ।
ଗୁଳିକାଣ୍ଡ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାର ଅନୁସାରେ ଜଣେ ଲୋକ କଳା ପୋଷାକ ପିନ୍ଧି ମସ୍ଜିଦ୍ ଅଲ୍ ନୂର୍ ପ୍ରବେଶ କରିବାର ସେ ଦେଖିଥିଲେ। ତା’ପରେ ସେ ଏକାଧିକ ଗୁଳି ଫୁଟିବାର ଶବ୍ଦ ଶୁଣିଲେ। ପରେ ପରେ ଲୋକେ ଛାନିଆରେ ମସ୍ଜିଦ୍ରୁ ଦୌଡ଼ି ଆସୁଥିବାର ଦେଖିଲେ। ସେ କହିଛନ୍ତି ସେ ସାହାଯ୍ୟ କରିବା ପାଇଁ ମସ୍ଜିଦ୍ ଭିତରକୁ ଧାଇଁ ଗଲେ, କିନ୍ତୁ ଚାରିଆଡ଼େ ଲୋକମାନେ ମରି ପଡିଥିବା ଦେଖିଥିଲେ।

ନ୍ୟୁଜିଲାଣ୍ଡ ଇତିହାସରେ ଏହା ଏକ କଳାଦିନ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । ନ୍ୟୁଜିଲାଣ୍ଡ ପୋଲିସର ବୟାନ ଅନୁସାରେ କ୍ରାଇଷ୍ଟଚର୍ଚ୍ଚରେ ସ୍ଥିତି ଗମ୍ଭୀର ରହିଛି । ଗୁଳିମାଡ଼ ପରେ ଆଖପାଖରେ ଥିବା ସମସ୍ତ ମସଜିଦକୁ ଖାଲି କରିଦିଆଯାଇଛି । ମସଜିଦକୁ ଯିବା ପାଇଁ ସମସ୍ତଙ୍କୁ ମନା କରାଯାଇଛି । ଏହି ଘଟଣା ପରେ ପରେ ସହରର ସମସ୍ତ ସ୍କୁଲ୍ ବନ୍ଦ ରଖାଯାଇଛି। ମାମଲାରେ ୪ଜଣଙ୍କୁ ଗିରଫ କରି ନ୍ୟୁଜିଲାଣ୍ଡ ପୋଲିସ ଛାନଭିନ୍ କରୁଛି । ଘଟଣାସ୍ଥଳକୁ ପୋଲିସ କର୍ଡନ କରିଛି ।
ତେବେ ଗୁଳିଳକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ବେଳେ ବାଂଲାଦେଶ କ୍ରିକେଟ୍ ଟିମ୍ ଆଜି ପ୍ରାକ୍ଟିସ ପରେ ମସଜିଦକୁ ନମାଜ ପାଠ କରିବାକୁ ଯାଇଥିଲେ । ଦୁର୍ବୁତମାନେ ମସଜିଦ ଉପରକୁ ଗୁଳିମାଡ କରିବା ସମୟରେ ଭିତରେ ଥିଲେ ବାଂଲାଦେଶ କ୍ରିକେଟ୍ ଟିମ୍ ଖେଳାଳି । ତେବେ ବାଂଲାଦେଶ କ୍ରିକେଟ୍ ଟିମ୍ ଖେଳାଳି ସୁରକ୍ଷିତ ଥିବା ଜଣାପଡିଛି । ଖେଳାଳିମାନେ ପାର୍କ ରାସ୍ତା ଦେଇ ଦୌଡି ଦୌଡି ନିଜକୁ ବଞ୍ଚାଇଥିଲେ । ଏହି ଘଟଣା ପରେ ନ୍ୟୁଜିଲାଣ୍ଡ-ବାଂଲାଦେଶ ମଧ୍ୟରେ ଖେଳା ଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ରଦ୍ଦ କରି ଦିଆଯାଇଛି ।