ଗ୍ରେଟ୍‌ ଏସକେପ୍‌: ରାତ୍ରି ଭୋଜନ ସମୟରେ ଜେଲ୍‌ରୁ ଚମ୍ପଟ ମାରିଲେ ୭ କଏଦୀ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୭: ଗାର୍ଡଙ୍କ ମୁହଁକୁ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ଫିଙ୍ଗି ଜେଲରୁ ଚମ୍ପଟ ମାରିଲେ ୭ ବିଚାରଧୀନ କଏଦୀ। ୫ ଗାର୍ଡ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ କଏଦୀଙ୍କୁ ଖୋଜିବା ପାଇଁ ପୋଲିସ ନାକେଦମ ହୋଇଗଲାଣି। ସହର ସାରା ନାକାବନ୍ଦୀ କରାଯାଇଥିବା ବେଳେ ଜିଲ୍ଲାରେ ପୋଲିସ ଛାଉଣୀ ହୋଇଥିବା ଜଣାପଡ଼ିଛି । ସେପଟେ କଏଦୀଙ୍କୁ ଖୁବ ଶୀଘ୍ର ଖୋଜି ବାହାର କରାଯିବ ବୋଲି ଅତିରିକ୍ତ ପୋଲିସ ଡିଜି କହିଛନ୍ତି।

ଘଟଣାଟି ରବିବାର ସନ୍ଧ୍ୟାରେ ଅରୁଣାଚଳପ୍ରଦେଶର ପାସିଘାଟ ଜେଲ୍‌ରେ ଘଟିଛି। ସନ୍ଧ୍ୟା ୬.୩୦ରେ ରାତ୍ରି ଭୋଜନ ପାଇଁ ସମସ୍ତ ୯୪ ଜଣ କଏଦୀଙ୍କୁ ସେଲ୍‌ରୁ ବାହାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ଜଣ ହଠାତ ସେଠାରେ ମୁତୟନ ଗାର୍ଡଙ୍କ ଉପରେ ଲଙ୍କା ଗୁଣ୍ଡ, ମୋଲମରିଚ ଗୁଣ୍ଡ ଏବଂ ଲୁଣରେ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ୫ ଜଣଙ୍କ ମୁହଁ, କାନ, ଆଖିରେ କ୍ଷତି ପହଞ୍ଚିଥିବା ବେଳେ ସେମାନଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫେରାର ୭ କଏଦୀ ହେଉଛନ୍ତି- ଅଭିତିଜ ଗୋଗୋଇ, କାଲୋମ ଅପଙ୍ଗ, ତାରୋ ହମାମ, ତାଲୁମ ପାନିୟାଙ୍ଗ, ସୁଭାଷ ମଣ୍ଡଳ, ରାଜା ତାୟେଙ୍ଗ ଏବଂ ଦାନୀ ଗାମଲିନ୍‌।  ଚମ୍ପଟ ମାରିଥିବା ୭ ଜଣଙ୍କ ବିରୋଧରେ ବାକି ଥିବା ମାମଲା ସଂଗ୍ରହ ଚାଲିଛି । ଜିଲ୍ଲାରେ ପୋଲିସ ଆଲର୍ଟ ଥିବା ବେଳେ ଯେଉଁଠୁ ସେମାନଙ୍କ ପତ୍ତା ମିଳିବ ସେମାନଙ୍କୁ ତୁରନ୍ତ ଗିରଫ କରିନିଆଯିବ ବୋଲି ଅତିରିକ୍ତ ପୋଲିସ ମହାନିର୍ଦେଶକ ରବିନ୍ଦ୍ର ସିଂହ ଯାଦବ କହିଛନ୍ତି ।

ସେପଟେ କଏଦୀଙ୍କ ଆକ୍ରମଣର ଶିକାର ହୋଇ ୫ ଜଣ ସୁରକ୍ଷାକର୍ମୀ ରାଜେଶ ଲେଗୋ, ଆରକେ କମ୍ଭାରୀ, ଓ ତାଇଙ୍ଗ, ତାତୁଙ୍ଗ ଏବଂ ତାପି ତଲି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ କଏଦୀ ଲେଗୋଙ୍କ ମୁଣ୍ଡକୁ ଏକ ତାଲାରେ ପ୍ରହାର କରିଥିବାରୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.