ରାଜ୍ୟରେ ଖୋଲିବ ଆଉ ୭ଟି କୋଭିଡ୍ ହସ୍ପିଟାଲ : କଟକରେ ୪, ଖୋର୍ଦ୍ଧାରେ ୨ ଏବଂ କୋରାପୁଟରେ ଖୋଲିବ ଗୋଟିଏ

Published By : Prameya-News7 Bureau | September 05, 2020 IST

ଭୁବନେଶ୍ୱର ୦୫।୦୯ :  କରୋନା ଯୁଦ୍ଧ ଜିତିବାକୁ ରାଜ୍ୟ ସରକାର ଆଉ  ୭ଟି କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ଯାଉଛନ୍ତି । କରୋନା ସଂକ୍ରମଣ ବଢ଼ୁଥିବାରୁ କଟକ ଓ ଭୁବନେଶ୍ୱରରେ ୬ଟି କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇଛି । ପ୍ରଥମ କରି କଟକର ଏସସିବି ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟ କରିବ । ଏହାସହ କୋରାପୁଟ ମେଡିକାଲ କଲେଜରେ ଗୋଟିଏ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲାଯିବ । ଅନୁମତି ମିଳିବା ପରେ ତତ୍କାଳ ଏ ଦିଗରେ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ମୁତାବକ, କଟକ ଏସ୍‌ସିବିରେ ୨ଟି କୋଭିଡ୍‌ ହସ୍ପିଟାଲ ଖୋଲିବ । ଗୋଟିଏ କୋଭିଡ୍‌ ହସ୍ପିଟାଲ ବର୍ତ୍ତମାନର ମେଡିସିନ୍‌ ବିଭାଗ ବିଲ୍ଡିଂରେ ପ୍ରତିଷ୍ଠା ହେବ । ଏହା ୨୦୦ ଶଯ୍ୟା ବିଶିଷ୍ଟ ହେବ । ୧୮୬ଟି  ସାଧାରଣ ବେଡ୍‌ ସହ ୧୪ଟି ମେଡିସିନ୍‌ ଆଇସିୟୁ (ଏମଆଇସିୟୁ)  ବେଡ୍‌ ରହିବ । ଏହାସହ  ଆଉ ୨୫ଟି ନୂଆ ଆଇସିୟୁ ରହିବ । ଏଭଳି ଭାବେ ମୋଟ ୩୯ଟି ଆଇସିୟୁ ବ୍ୟବସ୍ଥା ରହିବ ଏଠାରେ । ଅନ୍ୟପକ୍ଷରେ ଏଥିପାଇଁ ନୂଆ ମେଡିସିନ୍‌ ବ୍ଲକକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ।

ଏସସିବିରେ ଗର୍ଭବତୀ/ପ୍ରସୂତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପାଇଁ ସରକାର ଅନୁମତି ଦେଇଛନ୍ତି ।  ଏଥିରେ ୩୦ ବେଡ୍‌ ସହ ୧୦ଟି ଲେବର ଟେବୁଲ୍‌, ୨ଟି ଓଟି ଟେବୁଲ୍‌ ବ୍ୟବସ୍ଥା ରହିବ । ଏଠାରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ଦ୍ୱାର ରଖାଯିବ ।

 କୋରାପୁଟ ମେଡିକାଲ କଲେଜରେ ଏକ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ଅନୁମତି ମିଳିଛି । ମେଡିକାଲ କଲେଜର ସର୍ଜରୀ ୱାର୍ଡର ଗୋଟିଏ ଅଂଶରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବ । ଏଥିରେ ୬୫ ସାଧାରଣ ବେଡ୍‌ ଓ ୫ଟି ଆଇସିୟୁ ବେଡ୍‌ ରଖାଯିବ ।

ରାଜଧାନୀରେ କରୋନା ସଂକ୍ରମଣ ବ୍ୟାପି ଚାଲିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଗୁରୁତର କୋଭିଡ୍‌ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ ମିଳିବ । କ୍ୟାପିଟାଲ ହସ୍ପିଟାଲର କ୍ୟାବିନିରେ କୋଭିଡ୍‌ ସଂକ୍ରମିତଙ୍କ ପାଇଁ ୩ରୁ ୫ଟି ଆଇସିୟୁ ବେଡ୍‌ ବ୍ୟବସ୍ଥା ରଖାଯିବ । ସଂକ୍ରମଣ ଯେପରି ଅଣକୋଭିଡ୍‌ ରୋଗୀଙ୍କୁ ନ ବ୍ୟାପିବ, ସେଥିପାଇଁ କ୍ୟାବିନରେ ପାର୍ଟିସନ କରାଯିବ । ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ହସ୍ପିଟାଲ ନିର୍ଦ୍ଦେଶକ ଅଧିକ ଆଇସିୟୁ ବେଡ୍‌ ସହ ସାଧାରଣ ବେଡ୍‌ ବ୍ୟବସ୍ଥା କରିପାରିବେ ।

ଭୁବନେଶ୍ୱରସ୍ଥିତ ଆଦିତ୍ୟ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଆଉ ୨୫ଟି ଆଇସିୟୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇଛି । ଏଠାରେ ପୂର୍ବରୁ ୩୦ଟି ଆଇସିୟୁ ଅଛି । ଏବେ ୨୧ଟି ଏଚ୍‌ଡିୟୁକୁ ଆଇସିୟୁରେ ପରିଣତ କରାଯିବ । ଏହାସହ ହସ୍ପିଟାଲରେ ଆଉ ୪ଟି ନୂଆ ଆଇସିୟୁ ପ୍ରତିଷ୍ଠା ହେବ । ଏହାକୁ ମିଶାଇ ହସ୍ପିଟାଲରେ ମୋଟ ଆଇସିୟୁ ସଂଖ୍ୟା ୫୫କୁ ବୃଦ୍ଧି ପାଇବ । ଆସନ୍ତା ୭ ଦିନ ଭିତରେ ହସ୍ପିଟାଲରେ ନୂଆ ଆଇସିୟୁ କାର୍ଯ୍ୟକ୍ଷମ ହେବ ।

ରାଜଧାନୀର ଡୁମୁଡୁମାରେ ଥିବା କିଡ୍‌ସ ହସ୍ପିଟାଲରେ ଏକ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲିବ । ଏଥିରେ ୬୬ଟି ସାଧାରଣ ବେଡ୍‌, ପ୍ରସୂତିଙ୍କ ପାଇଁ ୪ଟି ବେଡ୍‌, ନବଜାତ ଶିଶୁଙ୍କ ପାଇଁ ୬ଟି ଆଇସିୟୁ, ୩୪ଟି ଆଇସିୟୁ (୧୦ଟି ଭେଣ୍ଟିଲେଟର ସହ) ରହିବ । ଏହାବାଦ୍‌ ଗୋଟିଏ ଓଟି ଏବଂ ଲେବର ରୁମ୍‌ ରହିବ ।

କଟକ ରିଙ୍ଗ୍‌ରୋଡ୍‌ ପାଖ କାଠଗୋଲା ସାହିରେ ଥିବା ସୃଷ୍ଟି ହସ୍ପିଟାଲରେ ମଧ୍ୟ ଏକ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ଅନୁମତି ମିଳିଛି । ଏଠାରେ ୬୦ଟି ସାଧାରଣ ବେଡ୍‌ ରହିବ । ୧୫ଟି ଆଇସିୟୁ ବ୍ୟବସ୍ଥା ରଖାଯିବ । ଆଇସିୟୁ ସଂଖ୍ୟା ୫୦କୁ ବୃଦ୍ଧି କରାଯାଇପାରେ । ଡାଏଲେସିସ୍‌ ପାଇଁ ୨ଟି ବେଡ୍‌ ରହିବ ।

କଟକ ତୁଳସୀପୁରସ୍ଥିତ ସନ୍‌ ହସ୍ପିଟାଲରେ ମଧ୍ୟ କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ଅନୁମତି ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏଠାରେ ୧୦୫ଟି ସାଧାରଣ ବେଡ୍‌, ୩୦ଟି ଆଇସିୟୁ ଓ ୨୦ଟି ଏଚଡିୟୁ ସୁବିଧା ରଖାଯିବ । ଆବଶ୍ୟକ ହେଲେ ଆଇସିୟୁ ସଂଖ୍ୟାକୁ ୫୦କୁ ବୃଦ୍ଧି କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.