Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିୱାନ ଭିତରେ କମ୍ବଳରେ ଗୁଡାହୋଇ ୭ ମାସ ରହିଥିଲା ମହିଳାଙ୍କ ଶବ : ଘରେ ତାଲା ପକାଇ ପୁଅ ଗାୟବ

4/02/2019 at 1:12 PM

ଭୋପାଲ ୪/୨ : ଭୋପାଲର ବିଦ୍ୟାନଗର ଅନ୍ତର୍ଗତ ବିଡିଏ କମ୍ପ୍ଲେକ୍ସ ଫ୍ଲାଟରୁ ରବିବାର ଦିନ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି | ଶବ ପାଖାପାଖି ୬/୭ ମାସ ପୁରୁଣା | ଶବ କଙ୍କାଳରେ ପରିଣତ ହୋଇସାରିଥିଲା | ଶବକୁ ଏକ କମ୍ବଳରେ ଗୁଡ଼ାଇ କାଠର ଦିୱାନ ଭିତରେ ରଖାଯାଇଥିଲା | ଏହା ଉପରେ ଆହୁରି ପୁରୁଣା ଲୁଗାପଟା ରଖି ଦିୱାନକୁ ବନ୍ଦ କରି ଦିଆଯାଇଥିଲା |

ଏସଡ଼ିପିଓ କହିଛନ୍ତି ଯେ, ଶବଟି ଏହି ଫ୍ଲାଟରେ ରହୁଥିବା ସଡକ ପରିବହନ ନିଗମରେ କିରାଣୀ ଥିବା ବିମଳା ଶ୍ରୀବାସ୍ତବଙ୍କର ବୋଲି ସନ୍ଦେହ କରାଯାଉଛି | ସେହି ଫ୍ଲାଟରେ ମହିଳାଙ୍କ ୩୧ ବର୍ଷ ବୟସ୍କ ପୁଅ ଅମିତ ଶ୍ରୀବାସ୍ତବ ମଧ୍ୟ ମା’ଙ୍କ ସହ ରହୁଥିଲା | ପଡୋଶୀଙ୍କୁ ପଚରାଉଚୁରା କରିବା ପରେ ଜଣାପଡିଥିଲା ଯେ, ଅମିତ ମଧ୍ୟ ପାଖାପାଖି ୬/୭ ମାସ ହେଲା ଗାୟବ ଅଛି |


ଫ୍ଲାଟର ବର୍ତମାନ ମାଲିକ ରାମବୀର ସିଂ ନେହେରୁ ନଗରରେ ରହୁଥିଲେ | ରାମବୀର ସିଂଙ୍କ ପୁଅ ତାଙ୍କର ସମ୍ପର୍କୀୟ ଏବଂ ଦୁଇଜଣ ଶ୍ରମିକଙ୍କ ସହ ଘର ସଫା କରିବା ପାଇଁ ପହଂଚିଥିଲେ । ସେତେବେଳେ ଯାଇ ଘଟଣା ସମ୍ପର୍କରେ ଜଣାପଡିଥିଲା |
ସେମାନେ ଯେତେବେଳେ ଫ୍ଲାଟର ତାଲା ଖୋଲିଲେ ସେତେବେଳେ ଭିତରୁ ଦୁର୍ଗନ୍ଧ ବାହାରିଥିଲା | ଗନ୍ଧ ଦିୱାନରୁ ଭିତରୁ ଆସୁଥିବାରୁ ସେମାନେ ଦିୱାନକୁ ଖୋଲି ଦେଖିବାରୁ ଭିତରେ କିଛି ଲୁଗାପଟା ଥିବା ଦେଖିଥିଲେ | ଲୁଗାପଟା ହଟାଇ ଦେଖିଲାବେଳକୁ ଏକ କମ୍ବଳରେ ଶବ ଗୁଡା ହୋଇ ରହିଥିବା ଦେଖିଥିଲେ | ଏହା ଦେଖି ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ରିପୋର୍ଟ ଆସିଲେ ଜଣାପଡିବା ଶବ କାହାର |


ଫ୍ଲାଟର ମାଲିକ ରାମବୀର ସିଂ କହିଛନ୍ତି ଯେ, ୨୦୧୮ ଜୁନ ୨ ତାରିଖରେ ବିଡିଏରୁ ସେ ଏହି ଫ୍ଲାଟର ରେଜିଷ୍ଟ୍ରେସନ କରିଥିଲେ | ରେଜିଷ୍ଟ୍ରି କରିବାର ୧୫ ଦିନ ପୂର୍ବରୁ ରାମବୀରଙ୍କ ପୁଅ ବିମଳା ଶ୍ରୀବାସ୍ତବଙ୍କ ଘରକୁ ଯାଇ ତାଙ୍କ ସହମତି ଆଣିଥିଲା | ଫ୍ଲାଟର ସଉଦା ୬ଲକ୍ଷ ଟଙ୍କାରେ ହୋଇଥିଲା | ଅଢେଇ ଲକ୍ଷ ଟଙ୍କା ବିମଳାଙ୍କ ପୁଅ ଅମିତ ଦେଇଥିଲେ ଏବଂ ବାକି ଟଙ୍କା ବିଡିଏକୁ ଦେଇଥିଲେ ବୋଲି କହିଛନ୍ତି ରାମବୀର ସିଂ | ଏହାପରେ କିନ୍ତୁ ଅମିତ ଘର ଖାଲି କରିନଥିଲା |


ଫ୍ଲାଟଟି ଦ୍ୱିତୀୟ ମହଲାରେ ରହିଛି | ଫ୍ଲାଟ ବିମଳାଙ୍କ ନାଁରେ ଥିଲା | ସ୍ୱାମୀଙ୍କ ମୃତ୍ୟୁ ପରେ ବିମଳା ପୁଅ ଅମିତ ସହ ସେହି ଫ୍ଲାଟରେ ରହୁଥିଲେ | ବିଦ୍ୟାନଗରରେ ରାମବୀରଙ୍କ ଏକ ହୋଟେଲ ଅଛି | ଅମିତ ଗତବର୍ଷ ଜୁନ ମାସରେ ରାମବୀରଙ୍କୁ ଏହି ଫ୍ଲାଟ ବିକ୍ରି କରି ଦେଇଥିଲା |


ସୂଚନାଯୋଗ୍ୟ ଯେ, ବିମଳାଙ୍କ କିଡନୀ ଜନିତ ରୋଗ ହୋଇଥିଲା | ତାଙ୍କର ଗୋଟିଏ କିଡନୀ ଖରାପ ହୋଇଯାଇଥିଲା | ଯେଉଁଥିପାଇଁ ଅମିତ ସବୁବେଳେ ଡିପ୍ରେସନରେ ରହୁଥିଲା | ବିମଳାଙ୍କ ଚିକିତ୍ସା ପାଇଁ ସେ ସବୁବେଳେ ସମ୍ପର୍କୀୟଙ୍କୁ ଆର୍ଥିକ ସାହାଯ୍ୟ ମାଗୁଥିଲା | ଦିୱାନରୁ ମିଳିଥିବା ଶବ ବିମଳାଙ୍କର ହୋଇଥିବ ବୋଲି ସନ୍ଦେହ କରାଯାଉଛି |

   Related Posts