ନୋ ନୀତିଶ, ନୋ ତେଜସ୍ବୀ: ବିହାରରେ ‘ନୋଟା’ରେ ପଡ଼ିଛି ୭ ଲକ୍ଷ ଭୋଟ୍‌

Published By : Prameya-News7 Bureau | November 11, 2020 IST

ପାଟନା ୧୧/୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପୁଣିଥରେ ନୀତିଶ କୁମାରଙ୍କ ସପକ୍ଷରେ ଜନମତ ଯାଇଥିବା ବେଳେ ମହାମେଣ୍ଟ ବିରୋଧୀ ଆସନରେ ସନ୍ତୁଷ୍ଟ ରହିଛି। କିନ୍ତୁ ଏହାରି ଭିତରେ ମତଦାନକୁ ନେଇ ମିଳିଥିବା ରିପୋର୍ଟ ଆଶ୍ଚର୍ଯ୍ୟ କରିଛି। ବିହାର ବିଧାନସଭା ନିର୍ବାଚନରେ ୭ ଲକ୍ଷରୁ ଅଧିକ ଭୋଟର ନୋଟା (ଉପରୋକ୍ତ ମଧ୍ୟରୁ କୌଣସିଟି ବି ନୁହେଁ) ବଟନ୍‌ ଦବାଇଛନ୍ତି। ଏହାର ଅର୍ଥ ୭ ଲକ୍ଷରୁ ଅଧିକ ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରିନାହାନ୍ତି।

ଗତକାଲି ମତଦାନ ଗଣତି ପରେ ଏନଡିଏକୁ ୧୨୫ ସିଟ୍‌ ଯାଇଥିବା ବେଳେ ମହାମେଣ୍ଟ ଖାତାକୁ ଯାଇଛି ୧୧୦ ସିଟ୍‌। ୨୪୩ ବିଧାନସଭା ସିଟ୍‌ ବିଶିଷ୍ଟ ବିହାରରେ ବହୁମତ ସହ ନୀତିଶ କୁମାର ପୁଣିଥ​‌ରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। କିନ୍ତୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୭,୦୬,୨୫୨ ଭୋଟର ଅର୍ଥାତ ମୋଟ ଭୋଟରଙ୍କ ମଧ୍ୟରୁ ୧.୭ ପ୍ରତିଶତ ଲୋକ ନୋଟାକୁ ବିକଳ୍ପ ଭାବେ ବାଛିଛନ୍ତି।

ବିଧାନସଭା ନିର୍ବାଚନରେ ୩ଟି ଚରଣରେ ଚାରି କୋଟି ଭୋଟର ମତ ସାବ୍ୟସ୍ତ କରିଥିଲେ। ମୋଟ ୭ କୋଟି ୩୦ ଲକ୍ଷ ମତାଦାତାଙ୍କ ମଧ୍ୟରୁ କେବଳ ୫୭.୦୭ ମତଦାନ ହୋଇଥିଲା। ସେଥିମଧ୍ୟରୁ  ୧.୭ ପ୍ରତିଶତ ଲୋକ ନୋଟାକୁ ବିକଳ୍ପ ଭାବେ ବାଛିଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ୨୦୧୩ରେ ଇଭିଏମରେ ଯୋଗ ହୋଇଥିଲା ‘ନୋଟା’ ବିକଳ୍ପ। ଇଭିଏମ୍‌ ମେସିନ୍‌ର ଶେଷରେ ‘ନୋଟା’ ଅପ୍ସନ ଥାଏ। ତେବେ ଏହା ପୂର୍ବରୁ ଯେଉଁ ଭୋଟର ପ୍ରାର୍ଥୀଙ୍କୁ ପସନ୍ଦ ନକଲେ ତାଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡ଼ୁଥିଲା। ଯାହାକୁ ଫର୍ମ ୪୯-ଓ ବୋଲି କୁହାଯାଉଥିଲା। ଏହା ଦ୍ବାରା ମତଦାତାଙ୍କ ଗୋପନୀୟତା ଉପରେ ଆଞ୍ଚ ଆସୁଥିଲା। ପରବର୍ତ୍ତୀ ସମୟରେ ଏହି ଅପ୍ସନକୁ ଇଭିଏମ୍‌ରେ ଯୋଗ କରାଯାଇଥିଲା। ତେ​ବେ ବିହାରର ବିଭିନ୍ନ ବିଧାନସଭା ଆସନରେ ବହୁ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ୧୦୦ ଭୋଟ୍‌ରୁ କମ୍‌ ରହିଛି। ଏହି ସବୁ ସିଟ୍‌ରେ ଅଧିକ ଭୋଟର ‘ନୋଟା’ ବିକଳ୍ପ ବାଛିଥିବା ସୂଚନା ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.