ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବସ୍, ୭ ଯାତ୍ରୀ ଗୁରୁତର
7/01/2020 at 8:18 AM

ଯାଜପୁର ୭।୧: ଯାତ୍ରୀଙ୍କ ଜୀବନ ସହିତ ଖେଳ । କଟକ ଯାଉଥିବା ବସ୍କୁ ଚାଳକ ବଦଳରେ ଚଳାଉଥିଲେ ହେଲପର୍ । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ । ଯାଜପୁର ଜିଲ୍ଳା ଧର୍ମଶାଳା ଥାନା ଅନ୍ତର୍ଗତ ବନ୍ଧଡିହ ମଠସାହି ନିକଟରେ ଆଜି ସକାଳୁ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଛି। ଏହି ବସ୍ରେ ବସିଥିବା ୨୫ଜଣ ଯାତ୍ରୀଙ୍କ ମଧ୍ୟରୁ ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବସ୍ ଚାଳକ ଗାଡି ଚଲାଇବା ବଦଳରେ ହେଲପର ଗାଡି ଚଳାଉଥିଲେ ବୋଲି ଜଣାପଡିଛି। ଏହି କଥା ଜଣାପଡ଼ିବା ପରେ ଯାତ୍ରୀ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। କିଭଳି ୨୫ଜଣ ଯାତ୍ରୀଙ୍କ ଜୀବନ ସହିତ ଖେଳି ହେଲପର ଗାଡ଼ି ଚଳାଉଥିଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ଯାତ୍ରୀବାହୀ ବସ୍ ମା ମଙ୍ଗଳା ୨୫ଜଣ ଯାତ୍ରୀଙ୍କୁ ନେଇ ଗୋଳକୁଣ୍ଡରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ବନ୍ଧଡିହ ମଠସାହି ନିକଟରେ ଥିବା ଆବୁଡ଼ାଖାବୁଡ଼ା ରାସ୍ତାରେ ବସ୍ଟି ଭାରସାମ୍ୟ ହରାଇଥିଲା। ବସ୍ ଚାଳକ ବଦଳରେ ହେଲପର ଗାଡ଼ି ଚଳାଉଥିବାରୁ ଯେତେ ଚେଷ୍ଟା କରିଥିଲେ ହେଁ ସେ ବସ୍କୁ ନିୟନ୍ତ୍ରଣକୁ ଆଣିପାରି ନଥିଲେ। ଶେଷରେ ବସ୍ଟି ତଳକୁ ଓଲଟି ପଡ଼ିଥିଲା। ବସ୍ ଓଲଟି ପଡ଼ିବା ପରେ ବସ୍ ଭିତରେ ଥିବା ୨୫ଜଣ ଯାତ୍ରୀ ଭୟରେ କାନ୍ଦ ବୋବାଳି ଆରମ୍ଭ କରି ଦେଇଥିଲେ। ସ୍ଥାନୀୟଲୋକ ବସ୍ ଓଲଟିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ପାଣି ପିଇବାକୁ ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଡକାଇ ୭ ଜଣ ଗୁରୁତର ଆହତ ଯାତ୍ରୀଙ୍କୁ ସ୍ଥାନୀୟଲୋକେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଛି।