Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

କୋଭିଡ଼-୧୯ ଭ୍ୟାକ୍ସିନ୍ ପ୍ରସ୍ତୁତି ଦୌଡ଼ରେ ୭ ଭାରତୀୟ କମ୍ପାନୀ, ଖୁବଶୀଘ୍ର ଆସିପାରେ ଫଳାଫଳ

20/07/2020 at 11:02 AM

ନୂଆଦିଲ୍ଲୀ ୨୦।୦୭: କରୋନା ଭାଇରସ୍‌ର ପ୍ରତିଷେଧକ ଟିକା ପ୍ରସ୍ତୁତିରେ ବିଶ୍ୱର ବିଭିନ୍ନ ଦେଶ ଲାଗିଥିଲା ବେଳେ ଭାରତର ୭ଟି ଔଷଧ କମ୍ପାନି ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଏଗୁଡ଼ିକ ମଧ୍ୟରେ ଅଛନ୍ତି ଭାରତ ବାୟୋଟେକ, ସେରମ ଇନ୍‌ଷ୍ଟିଚ୍ୟୁଟ, ଜାଇଡସ୍‌ କାଡିଲା, ପାନାସିଆ ବାୟୋଟେକ, ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍‌ସ, ମିନଭାକ୍ସ ଏବଂ ବାୟୋଲୋଜିକାଲ-ଇ । ସାଧାରଣତଃ ଟିକା ପ୍ରସ୍ତୁତି ପାଇଁ ବହୁବର୍ଷ ଲାଗିଥାଏ । ତା’ଛଡ଼ା ତାକୁ ପରୀକ୍ଷା ନିରୀକ୍ଷା କରିବା ଲାଗି ଆହୁରି କିଛି ବର୍ଷ ସମୟ ଲାଗେ । କିନ୍ତୁ କରୋନା ମହାମାରୀ ଯେଭଳି କାୟା ମେଲାଇ ଚାଲିଛି ସେଥିପାଇଁ ବିଭିନ୍ନ କମ୍ପାନି ପକ୍ଷରୁ ଯେତେଶୀଘ୍ର ସମ୍ଭବ ଅର୍ଥାତ କିଛି ମାସ ଭିତରେ ଟିକା ପ୍ରସ୍ତୁତି କରିବା ଲାଗି ପ୍ରୟାସ କରାଯାଉଛି ।

ଭାରତ ବାୟୋଟେକ ପକ୍ଷରୁ ବିକଶିତ ଟିକା ‘କୋଭାକ୍ସିନ’ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷା ଲାଗି ଅନୁମତି ପ୍ରଦାନ କରାଯାଇଛି । କମ୍ପାନିର ହାଇଦ୍ରାବାଦ ଲାବରେଟୋରୀରେ ଏହି ଟିକା ପ୍ରସ୍ତୁତ କରାଯାଇଛି । ଗତ ସପ୍ତାହରେ ଏହାର ପ୍ରଥମ ମାନବୀୟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇସାରିଛି । ରୋହତକ୍‌ର ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଏହାର ପରୀକ୍ଷା କରାଯାଇଛି । ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ଓ ପୁନେସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି (ଏନ୍‌ଆଇଭି) ସହାୟତାରେ କମ୍ପାନି ଏହି ଟିକା ପ୍ରସ୍ତୁତ କରିଛି ।

ଅନ୍ୟତମ ଫାର୍ମା କମ୍ପାନି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଚଳିତବର୍ଷ ଶେଷ ସୁଦ୍ଧା ଟିକା ପ୍ରସ୍ତୁତିରେ ସକ୍ଷମ ହୋଇପାରିବ ବୋଲି ଦୃଢ଼ ଆଶାବାଦୀ ରହିଛି । କମ୍ପାନିର ସିଇଓ ଅଦର ପୁନାୱାଲା କହିଛନ୍ତି ଯେ ସେମାନେ ଏବେ ‘ଅଷ୍ଟ୍ରାଜେନେକା ଅକ୍ସଫୋର୍ସ ଟିକା’ ପ୍ରସ୍ତୁତିରେ ଲାଗିଛନ୍ତି । ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି । ଆସନ୍ତା ମାସରେ ସେମାନେ ମାନବୀୟ ପରୀକ୍ଷା କରିବେ । ସେମାନଙ୍କର ଦୃଢ଼ ବିଶ୍ୱାସ ରହିଛି କି ଚଳିବର୍ଷ ଶେଷ ବେଳକୁ ସେମାନେ ଅଷ୍ଟ୍ରାଜେନେକା ଅକ୍ସଫୋର୍ଡ ଟିକା’ ପ୍ରସ୍ତୁତ କରିପାରିବେ । ଏଥିସହ କମ୍ପାନି ମଧ୍ୟ ଆମେରିକୀୟ ସଂସ୍ଥା କୋଡାଜେନିକ୍ସ ସହ ମିଶି ଆଉ ଏକ ଟିକା ପ୍ରସ୍ତୁତି କରୁଛି । ଏହାର ପରୀକ୍ଷା ଏପର୍ଯ୍ୟନ୍ତ କରାଯାଇନାହିଁ ।

ଜାଇଡସ୍‌ କାଡିଲା କହିଛି କି କମ୍ପାନି ଏବେ ଜାଇକୋଭ-ଡି ଟିକା ପ୍ରସ୍ତୁତି ଆରମ୍ଭ କରିଛି । ଆଗାମୀ ୭ ମାସରେ ଏହାର ସମସ୍ତ ପରୀକ୍ଷା ଶେଷ କରାଯିବ । ଗତ ସପ୍ତାହରେ କମ୍ପାନି ପ୍ରଥମ ମାନବୀୟ ପରୀକ୍ଷା କରିଥିଲା । ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ କମ୍ପାନି ପକ୍ଷରୁ ପ୍ରସ୍ତୁତ ଟିକାର ସମସ୍ତ ପରୀକ୍ଷା ଆଗାମୀ ୭ ମାସ ଭିତରେ ଶେଷ କରାଯିବ । ଏହା ପରେ ବଜାରରେ ଟିକା ଉପଲବ୍ଧ ହେବ ବୋଲି କମ୍ପାନିର ଅଧ୍ୟକ୍ଷ ପଙ୍କଜ ଆର. ପଟେଲ କହିଛନ୍ତି ।

ଗତ ଜୁନରେ ପାନାସିଆ ବାୟୋଟେକ କହିଥିଲା କି ଆମେରିକାର ରେଫାନା ଆଇଏନ୍‌ସି ସଂସ୍ଥା ସହାୟତାରେ ଆର‌୍ୟାଲାଣ୍ଡରେ କମ୍ପାନି ପକ୍ଷରୁ କୋଭିଡ ଟିକା ବିକାଶିତ କରିବା କାର୍ଯ୍ୟ ଜାରି ରହିଛି । କମ୍ପାନି ସମସ୍ତ କ୍ଲିନକାଲ ପରୀକ୍ଷାରେ ସଫଳ ହେବା ପରେ ପ୍ରଥମେ ୫୦ କୋଟି ଡୋଜ୍‌ ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । ତେବେ ଆସନ୍ତାବର୍ଷ ସୁଦ୍ଧା କମ୍ପାନି ପ୍ରାୟ ୪ କୋଟି ଡୋଜ୍‌ ଟିକା ପ୍ରସ୍ତୁତ କରିବ ବୋଲି ଆଶା ରଖିଥିବା କହିଛି ।

ନ୍ୟାସନାଲ ଡାଏରୀ ଡେଭେଲପମେଣ୍ଟ ବୋର୍ଡ (ଏନ୍‌ଡିଡିବି)ର ସହାୟକ ସଂସ୍ଥା ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍‌ସ କୋଭିଡ-୧୯ ଟିକା ପ୍ରସ୍ତୁତ କରିବା ଲାଗି ଅଷ୍ଟ୍ରେଲିଆର ଗ୍ରିଫିଥ ବିଶ୍ୱବିଦ୍ୟାଳୟ ସହିତ ବୁଝାମଣା କରିଛି । ସେହିଭଳି ମିନ୍‌ଭାକ୍ସ ଓ ବାୟୋଲୋଜିକାଲ-ଇ ଭଳି ଅନ୍ୟତମ ଫାର୍ମା କମ୍ପାନି ମଧ୍ୟ କୋଭିଡ-୧୯ ମୁକାବିଲା ପାଇଁ ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ବିଶେଷଜ୍ଞମାନଙ୍କ ମତରେ ଯେପର୍ଯ୍ୟନ୍ତ ଟିକା ପ୍ରସ୍ତୁତ କରା ନଯାଇଛି ସେପର୍ଯ୍ୟନ୍ତ କରୋନା ମୁକାବିଲା କରିବା କିମ୍ବା ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା କଷ୍ଟକର ହୋଇପଡ଼ିବ । ତାକୁ ଦୃଷ୍ଟିରେ ରଖି କମ୍ପାନିମାନେ ଟିକା ପ୍ରସ୍ତୁତିରେ ଜୋର୍‌ସୋରରେ ଲାଗିପଡ଼ିଛନ୍ତି ।

ଟିକା ପ୍ରସ୍ତୁତି ସରିବା ପରେ ତାକୁ ୪ଟି ପର୍ଯ୍ୟାୟରେ ପରୀକ୍ଷା କରାଯାଇଥାଏ । ପ୍ରଥମେ ପ୍ରାଣୀମାନଙ୍କ ଶରୀରରେ ଏହାର ପ୍ରି-କ୍ଲିନିକାଲ ଟେଷ୍ଟିଂ କରାଯାଏ । ପ୍ରଥମ ପର୍ଯ୍ୟାୟରେ ଅଳ୍ପ କିଛି ମଣିଷଙ୍କ ଶରୀରରେ ଟିକାର ସାମାନ୍ୟ ଡୋଜ୍‌ ପରୀକ୍ଷା ହୁଏ । ଏହାର ନିରାପତ୍ତା ଓ ମଣିଷ ଶରୀରରେ ତାର କିଭଳି ପ୍ରତିକ୍ରିୟା ଦେଖିବାକୁ ମିଳୁଛି ତାହା ଜାଣିବା ଲାଗି ଏଭଳି ପରୀକ୍ଷା କରାଯାଏ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ନିରାପତ୍ତାକୁ ସୁନିଶ୍ଚିତ କରାଯାଏ । ତୃତୀୟ ପର୍ଯ୍ୟାୟରେ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କ ଶରୀରରେ ତାର ପରୀକ୍ଷା ହୁଏ । ସେହି ସମୟରେ ଏହାର ରୋଗ ପ୍ରତିରୋଧକ ଶକ୍ତି ଓ ଏହାର ପ୍ରଭାବ ସମ୍ପର୍କରେ ଜାଣିବାକୁ ଏପରି କରାଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ସୂଚନା ଅନୁସାରେ ସମଗ୍ର ବିଶ୍ୱରେ ଏବେ ବିଭିନ୍ନ କମ୍ପାନି ଓ ଦେଶ ପକ୍ଷରୁ ୧୪୦ ପ୍ରକାର ଟିକା ପ୍ରସ୍ତୁତ କରାଯାଉଛି । ସେଥିରୁ ୨୪ଟି ଟିକା ବିଭିନ୍ନ ପର୍ଯ୍ୟାୟରେ ମାନବୀୟ ପରୀକ୍ଷା ସ୍ତରରେ ପହଞ୍ଚିପାରିଛି।

   Related Posts