ସମ୍ବଲପୁରରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ: ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଅଇଁଠାପାଲି ପୋଲିସ
25/07/2019 at 6:47 PM

ସମ୍ବଲପୁର୨୫|୭: ସମ୍ବଲପୁରରେ ପୁଣି ଗଡ଼ିଲା ମୁଣ୍ଡ । ଜନଗହଳି ପୂର୍ଣ୍ଣ ଫାଟକ ଦୁର୍ଗା ମଣ୍ଡପ ସାମ୍ନାରେ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ସ୍ଥାନୀୟ ଅଂଚଳରେ ଦୀର୍ଘ ଦିନ ଧରି ଆତଙ୍କରାଜ୍ ଚଳାଇଥିବା ଏଇ ଦୁର୍ବୃତ୍ତମାନେ ନିଶାଦ୍ରବ୍ୟ ଚୋରା ଚାଲାଣ, ଦାଦାବଟି ଆଦାୟ ଭଳି ଅପରାଧରେ ଜଡ଼ିତ ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣାରେ ୭ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ଅଇଁଠାପାଲି ପୋଲିସ ।

ଆଜି ସମୟ ସକାଳ ୯ଟା । ରାସ୍ତା ଉପରେ ଆରମ୍ଭ ହୋଇଯାଇଥିଲା ଲୋକଙ୍କ ଗହଳିଚହଳି । ହେଲେ ହଠାତ୍ ୭-୮ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ଚଳାଇଥିଲେ ଆତଙ୍କରାଜ । ଜନ ଗହଳି ଭିତରେ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲା ପୂରା ଅଂଚଳ । ରକ୍ତ ବୁଡ଼ୁଜୁଡ଼ୁ ଅବସ୍ତାରେ ଯୁବକ ଜଣକ ସେଇଠାରେ ହିଁ ଟଳିପଡ଼ିଥିଲେ । ସମ୍ବଲପୁର ଫାଟକ ଦୁର୍ଗା ମଣ୍ଡପ ସାମ୍ନାରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ସାରା ସହରରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଯୁବକଙ୍କ ନାଁ ସନ୍ତୋଷ ପଟ୍ଟନାୟକ । ସ୍ଥାନୀୟ ଅଇଁଠାପାଲି ଛକରେ ସେ ଛୋଟମୋଟ ବ୍ୟବସାୟ କରି ନିଜ ପରିବାର ଚଳାଉଥିଲେ । ଗଲା ଶୀତଳଷଷ୍ଠୀ ଯାତ୍ରା ସମୟରେ କିଛି ଅସାମାଜିକଙ୍କ ସହ ସନ୍ତୋଷର ଗଣ୍ଡଗୋଳ ହୋଇଥିଲା । ସେଇମାନେ ହିଁ ସନ୍ତୋଷକୁ ହତ୍ୟା କରିଥାଇପାରନ୍ତି ବୋଲି କହୁଛନ୍ତି ସନ୍ତୋଷଙ୍କ ପରିବାର ଲୋକ ।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସନ୍ତୋଷ ହତ୍ୟାକାଣ୍ଡରେ ସଂପୃକ୍ତ ଦୁର୍ବୃତ୍ତମାନେ ଦୀର୍ଘ ଦିନ ଧରି ସ୍ଥାନୀୟ ଅଂଚଳରେ ଆତଙ୍କରାଜ୍ ଚଳାଇଥିଲେ । ନିଶାଦ୍ରବ୍ୟ କାରବାର ଓ ଦାଦାବଟି ଆଦାୟ ଭଳି ଅପରାଧରେ ସେମାନଙ୍କ ସଂପୃକ୍ତି ରହିଛି । ତେବେ ହତ୍ୟା ଘଟଣାକୁ ନେଇ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଅଇଁଠାପାଲି ପୋଲିସ ।

ସମ୍ବଲପୁରରେ ନିଶାଦ୍ରବ୍ୟ କାରବାର ବଢ଼ିବା ସହ ଅବାଧ ମଦ ବିକ୍ରି ସହରବାସୀଙ୍କ ଚିନ୍ତାର କାରଣ ହୋଇଛି । ସେପଟେ ସମ୍ବଲପୁର ଏସପି ସଞ୍ଜୀବ ଆରୋରା କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ନୂଆ ଏସପି ନିଯୁକ୍ତ ହୋଇନାହାନ୍ତି । ପୋଲିସର ପାଟ୍ରୋଲିଂ ମଧ୍ୟ ଢ଼ିଲା ପଡ଼ିଛି । ଯାହାର ସୁଯୋଗ ନେଇ ଅପରାଧୀମାନେ ଅଧିକ ସକ୍ରିୟ ହୋଇଥିବା କୁହାଯାଉଛି ।