ପରିବାରର ୪ ସଦସ୍ୟଙ୍କୁ ମଞ୍ଚୁରିଆନ୍‌ ସୁପ୍‌ରେ ବିଷ ଦେଲେ ଚାକର ଦମ୍ପତି, କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | January 09, 2021 IST

ଜୟପୁର ୦୯/୦୧: ଧନ ଲୋଭରେ ଚାକର ମାଲିକକୁ ମାରିବାକୁ ପଛାଏନି। ଏମିତି ଦୃଶ୍ୟ ବହୁ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳେ। ଚାକର ମାଲିକ ଓ ତାର ପରିବାରକୁ ମାରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରେ। ସେହିଭଳି ଗୋଟିଏ ଘରେ କାମ କରୁଥିବା ଚାକର ଦମ୍ପତି ମାଲିକ ସମେତ ପରିବାରର ୪ ସଦସ୍ୟଙ୍କୁ ମାରିବାକୁ ଖାଦ୍ୟରେ ବିଷ ମିଶାଇଥିବା ଜଣାପଡ଼ିଛି। ମଞ୍ଚୁରିଆନ୍‌ ସୁପ୍‌ରେ ବିଷ ମିଶାଇ ପିଇବାକୁ ଦେବାରୁ ପରିବାରର ୪ ସଦସ୍ୟ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭବାନୀୟ ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି।

ବିଷ ମିଶା ସୁପ୍‌ ପିଇବା ପରେ ପରିବାରର ଘନଶ୍ୟାମ, ଶୁଭମ, ଜୟେଶ ଓ ନେହା ଅସୁସ୍ଥ ହୋଇପଡ଼ିଥିଲେ। ସେପଟେ ବିଷ ଦେଇ ଫେରାର ହୋଇଯାଇଛନ୍ତି ଚାକର ଦମ୍ପତି। ପରିବାରର ୪ ସଦସ୍ୟଙ୍କୁ ସଂଗେସଂଗେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ସରଦାରପୁରା ଥାନା ଅଧିକାରୀ ହସ୍ପିଟାଲରେ ପହଞ୍ଚିଥିଲେ। ଅସୁସ୍ଥଙ୍କ ପାଖରୁ ପୁରା ଘଟଣାକ୍ରମ ଶୁଣିବା ପରେ ସିସିଟିଭି ଫୁଟେଜ୍‌ ଆଧାରରେ ଚାକର ଓ ଚାକରାଣୀର ଫଟୋ ପାଇଛି। ନେପାଳୀ ସମୁଦାୟର ଚାକର ଦମ୍ପତି ମୋହନ ଓ କମଳାକୁ ପୋଲିସ ଖୋଜୁଛି।

ତେବେ କୌଣସି ଏକ ଘଟଣା ଭିଆଇବା ଲକ୍ଷ୍ୟରେ ସେମାନେ ପରିବାର ସଦସ୍ୟଙ୍କୁ ବିଷ ଦେଇଛନ୍ତି। ମୋଟା ଅଙ୍କର ଧନ କମାଇବା ହେଉ କିମ୍ବା ଅଳଙ୍କାର ହଡ଼ପ କରିବା ପାଇଁ ସେମାନେ ଏମିତି କରିଥାଇପାରନ୍ତି ବୋଲି ଥାନାଧିକାରୀ ହନୁମାନ ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.