ଅତିଶୀଘ୍ର ଆସିବ କରୋନା ଭାକସିନ୍ ! କୋଭିସିଲ୍ଡର ବ୍ୟବହାର ପାଇଁ ସରକାରଙ୍କୁ ଅନୁମତି ମାଗିଲା ସେରମ୍ ଇନଷ୍ଟିଚ୍ୟୁଟ

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ, ୦୭|୧୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦୈନିକ ସଂକ୍ରମିତ ମଧ୍ୟ ପୂର୍ବାପେକ୍ଷା କମ୍ ଚିହ୍ନଟ ହେଉଛନ୍ତି । ଏହାସତ୍ତ୍ୱେ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନାହିଁ । ଭାକସିନ୍ ଜରୁରୀ ହୋଇପଡିଛି । କେବେ ଭାକସିନ୍ ଆସିବ ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଏହାମଧ୍ୟରେ ଫାଇଜର ପରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାକସିନର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି । ଏହାସହ ସେରମ ଇନଷ୍ଟିଚ୍ୟୁଟ୍ ଡିଜିସିଆଇ ସମ୍ମୁଖରେ ଆବେଦନ କରିଥିବା ପ୍ରଥମ ସ୍ୱଦେଶୀ କମ୍ପାନୀ ହୋଇଛି ।

ସୂଚନାନୁସାରେ, ସେରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆ ଦେଶର ଆବଶ୍ୟକତା ତଥା ଜନତାଙ୍କ ହିତ ଦୃଷ୍ଟିରୁ କୋଭିସିଲ୍ଡ ଭାକସିନକୁ ମଞ୍ଜୁରୀ ଦେବା ପାଇଁ ଅନୁରୋଧ କରିଛି । ଏହାପୂର୍ବରୁ ଶନିବାର ଆମେରିକୀୟ କମ୍ପାନୀ ଫାଇଜର ଡିଜିସିଆଇଙ୍କୁ ନିଜର ଟିକାକୁ ମଞ୍ଜୁରୀ ଦେବାକୁ ଆବେଦନ କରିଥିଲା ।

ସୂତ୍ରାନୁସାରେ, ସେରମ ଇନଷ୍ଟିଚ୍ୟୁଟ୍ ଡିଜିସିଆଇଙ୍କ ନିକଟରେ ଆବେଦନ କରି କହିଛି ଯେ, ଭାକସିନର କ୍ଲିନିକାଲ ପରୀକ୍ଷଣରେ ୪ଟି ବିଭିନ୍ନ ତଥ୍ୟକୁ ଆଧାର କରାଯାଇଛି । ଏହି ଭାକସିନ୍ ଗୁରୁତର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏହି ୪ଟି ତଥ୍ୟରୁ ଦୁଇଟି ୨ଟି ବ୍ରିଟେନର ହୋଇଥିବା ବେଳେ ଗୋଟିଏ ବ୍ରାଜିଲ ଓ ଅନ୍ୟଟି ଭାରତର ଅଟେ ।

ସୂଚନାଯୋଗ୍ୟ, ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାଓ୍ୱାଲା ପୂର୍ବରୁ କହିଥିଲେ ଯେ, କୋଭିସିଲ୍ଡ ୯୦ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏହାସହ ଟିକାକୁ ବହୁତ ଶୀଘ୍ର ଲୋକଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ସେ କହିବା ସହ ୧୦ କୋଟି ଡୋଜ୍ ପାଇଁ ଆଷ୍ଟ୍ରାଜେନେକା ସହ ଚୁକ୍ତି ହୋଇଥିବା ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.