କରୋନା ଟିକା: ଇମରଜେନ୍ସି ଲାଇସେନ୍ସ ପାଇଁ ଆବେଦନ କରିପାରେ ସେରମ ଇନଷ୍ଟିଚ୍ୟୁଟ୍

Published By : Prameya-News7 Bureau | October 30, 2020 IST

ନୂଆଦିଲ୍ଲୀ ୩୦/୧୦: କେବେ ଆସିବ କରୋନା ଟିକା। ଏହାର ଦାମ୍ କେତେ ରହିବ, ପୁଣି ଏହା କ’ଣ ସମସ୍ତଙ୍କୁ ମିଳିବ। କରୋନା ଟିକାକୁ ନେଇ ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି। ତେବେ କରୋନା ଟିକାକୁ ନେଇ ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦାର ପୁନାଓ୍ବାଲା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ବ୍ରିଟେନରେ ଟିକାର ଆଡଭାନ୍ସ ଟ୍ରାଏଲ ଚାଲିଛି। ଯଦି ବ୍ରିଟେନ ଡାଟା ସେୟାର କରିବ ତାହେଲେ ଇମରଜେନ୍ସି ଲାଇସେନ୍ସ ପାଇଁ ସେରମ ଇନଷ୍ଟିଚ୍ୟୁଟ୍ ଆବେଦନ କରିପାରେ। ଏ ବର୍ଷ ଡିସେମ୍ବର ସୁଦ୍ଧା ଟିକା ପ୍ରସ୍ତୁତ କରିବା ସମ୍ଭାବନା ଥିବା ମଧ୍ୟ ସେ କହିଛନ୍ତି। ଏହା ସହ ସେ କହିଛନ୍ତି ଟିକା ପ୍ରସ୍ତୁତ ହେବା ବ୍ରିଟେନର ଟେଷ୍ଟିଂ ଓ ଡିସିଜିଆଇ ମଞ୍ଜୁରୀ ଉପରେ ନିର୍ଭର କରେ।

ପୁନାଓ୍ବାଲା କହିଛନ୍ତି ଯଦି ମନ୍ତ୍ରାଳୟ ମଞ୍ଜୁରୀ ମିଳେ ତାହେଲେ ଟେଷ୍ଟିଂ ଭାରତରେ କରାଯିବ ଓ ଯଦି ସଫଳ ରହେ ତାହେଲେ ଭାରତରେ ଡିସେମ୍ବର ମଧ୍ୟ ସୁଦ୍ଧା ଭାକସିନ ଆସିଯିବ। ଯଦି ଇମରଜେନ୍ସି ଲାଇସେନ୍ସ ଆବେଦନ  ନ କରାଯାଏ ତାହେଲେ ଜାନୁଆରୀ ସୁଦ୍ଧା ଟ୍ରାଏଲ ପାଇଁ ଅପେକ୍ଷା କରିବାକୁ ହେବ। ଏହା ସହ ବ୍ରିଟେନ ଟ୍ରାଏଲକୁ ମଧ୍ୟ ଜାନୁଆରୀରେ ଲଞ୍ଚ କରାଯାଇପାରିବ।

ଟିକା ମୂଲ୍ୟକୁ ନେଇ ସରକାରଙ୍କ ସହ କଥାବାର୍ତା ଚାଲିଛି। ଖୁବ ଶୀଘ୍ର ଏ ବାବଦରେ ସବିଶେଷ ତଥ୍ୟ ଜଣାପଡ଼ିଯିବ। ତେବେ ଖୁବ୍ କମ୍ ମୂଲ୍ୟ​‌ରେ ଉପଲବ୍ଧ ହୋଇପାରେ ବୋଲି ଅନୁମାନ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୬୦-୭୦ ମିଲିଅନ ଡୋଜନ ନିର୍ମାଣ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରତି ମାସରେ ୧୦୦ ମିଲିଅନ ଡୋଜ ନିର୍ମାଣକୁ ଆଗକୁ ବଢ଼ାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.