ଦୂର ହେବ ଭ୍ୟାକସିନ୍‌ ଅଭାବ ! ସିରମ୍‌ ଏବଂ ଭାରତ ବାୟୋଟେକ୍‌‌ର ବଡ଼ ଘୋଷଣା

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨/୫: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ବିଭିନ୍ନ ରାଜ୍ୟରେ ଭ୍ୟାକସିନ୍‌ ଅଭାବ ଦେଖାଦେଇଛି। ସିରମ ଇନଷ୍ଟିଚ୍ୟୁଟ୍‌ ଏବଂ ଭାରତ ବାୟୋଟେକ୍‌ ନିଜର ଭ୍ୟାକସିନ ଉତ୍ପାଦନକୁ ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ଏଥିରେ ସିରମ ଇନଷ୍ଟିଚ୍ୟୁଟ୍‌ ଅଗଷ୍ଟ ଶେଷ ସୁଦ୍ଧା କିମ୍ବା ଆରମ୍ଭରୁ ମାସକୁ ୧୦ କୋଟି କୋଭିସିଲ୍ଡ ଟିକା ଉତ୍ପାଦନ ନେଇ କହିଥିବା ବେଳେ ଭାରତ ବାୟୋଟେକ୍‌ ୭.୮ କୋଟି କୋଭାକ୍ସିନ୍‌ ଟିକା ତିଆରି ନେଇ ପ୍ରତିଶ୍ରୁତି ଦେଇଛି।

ବୁଧବାର ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଡ୍ରଗ୍ସ କଂଟ୍ରୋଲର ଜେନେରାଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଜୁନ, ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ କରାଯିବାକୁ ଥିବା ଟିକା ଉତ୍ପାଦନ ନେଇ ତଥ୍ୟ ମଗାଯାଇଥିଲା। ଏହାର ଜବାବରେ ଦୁଇ କମ୍ପାନୀ ପକ୍ଷରୁ ଉତ୍ପାଦନ ବୃଦ୍ଧିକୁ ନେଇ ତଥ୍ୟ ଦିଆଯାଇଥିବା ଜଣାପଡ଼ିଛି।

ଭାରତ ବାୟୋଟେକ୍‌ ନିର୍ଦେଶକ ଡାକ୍ତର ଭି କୃଷ୍ଣା ମୋହନ ସରକାରଙ୍କୁ ଜଣାଇଛନ୍ତି ଜୁଲାଇରେ କୋଭାକ୍ସିନ୍‌ର ଉତ୍ପାଦନ ୩.୩୨ କୋଟି ଏବଂ ଅଗଷ୍ଟରେ ୭.୮୨ କୋଟି ହୋଇଯିବ। ଏହା ସେପ୍ଟେମ୍ବର ମାସରୁ ଚାଲୁ ରହିବ। ସେହିଭଳି ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୋଭିସିଲ୍ଡ ଉତ୍ପାଦନ ଅଗଷ୍ଟରେ ୧୦ କୋଟି ପର୍ଯ୍ୟନ୍ତ ବଢ଼ିବ ବୋଲି କୁହାଯାଇଛି। ତେବେ ଏହି ଉତ୍ପାଦନ ସେପ୍ଟେମ୍ବର ମାସରୁ ଲଗାତାର ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.