କରୋନା ବ୍ୟାପିବାର ପ୍ରାୟ ୮ମାସ ପରେ କଟକରେ ହେବ ସେରୋ ସର୍ଭେ, ଆସନ୍ତା ୨ରୁ ୫ ଯାଏଁ ଚାଲିବ

Published By : Prameya-News7 Bureau | October 28, 2020 IST

କଟକ ୨୮।୧୦: କରୋନା ମହାମାରୀ ବ୍ୟାପିବାର ପ୍ରାୟ ୮ ମାସ ପରେ ସେରୋ ସର୍ଭେ ଲାଗି ଅଣ୍ଟା ଭିଡିଛି ସିଏମସି ପ୍ରଶାସନ । ଆସନ୍ତା ମାସ ୨ ତାରିଖରୁ କଟକରେ ଆରମ୍ଭ ହେବ ସେରୋ ସର୍ଭେ । ଏହା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ସିଏମସିର ୨୫ଟି ଓ୍ବାର୍ଡରେ ଥିବା ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡିକୁ ଚିହ୍ନଟ କରାଯାଇଛି । ଉକ୍ତ ଓ୍ବାର୍ଡଗୁଡିକର ଅତି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବିଭିନ୍ନ ବର୍ଗର ଲୋକଙ୍କଠାରୁ ନମୂନା ସଂଗ୍ରହ କରିବେ ସର୍ଭେ ଟିମ୍‌ । ତେବେ ଏହି ସର୍ଭେ ପ୍ରକ୍ରିୟାରେ ନାବାଳକ ତଥା ଗର୍ଭବତୀମାନଙ୍କୁ ସାମିଲ କରାଯିବ ନାହିଁ ।

{"id":352198,"sizeSlug":"large"}

ସର୍ଭେ ପାଇଁ ୫ଟି ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍‌ରେ ୫ ଜଣ ଲେଖାଏଁ ସଦସ୍ୟ ରହିବେ । ପ୍ରତ୍ୟେକ ଟିମ୍‌କୁ ୫ଟି ଲେଖାଏଁ ଓ୍ବାର୍ଡର ଦାୟିତ୍ବ ଦିଆଯାଇଛି । ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ସର୍ଭେ । ସେରୋ ସର୍ଭେ ଲାଗି ସକାଳ ୮ଟାରୁ ଅପରାହ୍ନ ୫ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି । ଏହି ୪ ଦିନ ଭିତରେ ସିଏମସିର ସ୍ବତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀମାନେ ବିଭିନ୍ନ ଲୋକଙ୍କଠାରୁ ରକ୍ତ ନମୂନା ସଂଗ୍ରହ କରିବେ । ତେବେ ଯେଉଁ ବ୍ୟକ୍ତି ମାନେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରିଆସିଛନ୍ତି, ସେମାନଙ୍କଠାରୁ ପ୍ରଥମେ ନମୂନା ସଂଗ୍ରହ କରାଯିବ । ପରେ କଟକର ବିଭିନ୍ନ ସ୍ଥାନରୁ ସାଧାରଣ ଲୋକଙ୍କଠାରୁ ରକ୍ତ ନମୂନା ସଂଗ୍ରହ କରିବ ସେରୋ ସର୍ଭେ ଟିମ୍‌ ।

{"id":352199,"sizeSlug":"large"}

ଏହା ଭିତରେ କଟକ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଟପିଛି । କିନ୍ତୁ ସେହି ତୁଳନାରେ ଆରୋଗ୍ୟ ହାର ମଧ୍ୟ ବେଶ୍ ଭଲ ରହିଛି । ମଙ୍ଗଳବାର ସୁଦ୍ଧା ମୋଟ୍ ସଂକ୍ରମିତଙ୍କ ଭିତରୁ ୨୪ ହଜାର ୩୮ ଜଣ ସୁସ୍ଥ ହୋଇସାରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ତେବେ ପ୍ରଶ୍ନ ହେଉଛି ସୁସ୍ଥ ହାର ଭଲ ଥିବା ବେଳେ କାହିଁକି ଏ ସେରୋ ସର୍ଭେ । ବିଶେଷଜ୍ଞଙ୍କ ମତରେ ପ୍ରାୟ ୮ମାସ ପର୍ଯ୍ୟନ୍ତ କଟକ ସହର ଓ ଜିଲ୍ଲାର ବାସିନ୍ଦାମାନେ କରୋନା ମହାମାରୀ ସହିତ ଲଢେଇ ଜାରି ରଖିଛନ୍ତି । ତେଣୁ ଏହି ସମୟ ଭିତରେ ସେମାନଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କେତେ ପରିମାଣରେ ବୃଦ୍ଧି ପାଇଛି, ତାହା ଜାଣିବା ଜରୁରୀ  । ଯାହାଦ୍ବାରା ଆଗକୁ କୋଭିଡ୍ ମୁକାବିଲା ପାଇଁ ଉଚିତ୍ ପଦକ୍ଷେପ ନିଆଯାଇପାରିବ । ପୂର୍ବରୁ କଟକ ଜିଲ୍ଲାର ବଡମ୍ବା ଅଞ୍ଚଳରେ ସେରୋ ସର୍ଭେ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.