ଇସଲାମାବାଦରେ ଭାରତୀୟ ହାଇକମିଶନଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି : ବିଲଡିଂ ଉପରେ ଉଡିଲା ଡ୍ରୋନ୍‌, ପାକିସ୍ତାନକୁ ଟାର୍ଗେଟ୍‌ କଲା ଭାରତ

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୦୨/ ୦୭ : ପାକିସ୍ତାନର ଡ୍ରୋନ ଗତିବିଧି ବୃଦ୍ଧିପାଇବାରେ ଲାଗିଛି । ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନ ବିଲ୍ଡିଂ ଉପରେ ଡ୍ରୋନ୍‌ ଦେଖିବାକୁ ମିଳିଥିଲା । ଏହାକୁ ନେଇ ସିଧାସଳଖ ପାକିସ୍ତାନକୁ ଘେରିଛି ଭାରତ । ସୁରକ୍ଷା ବ୍ୟବସ୍ଥାରେ ଏହା ଏକ ବ୍ୟତିକ୍ରମ ବୋଲି କଡା ଭାଷାରେ ପାକିସ୍ତାନକୁ ଭାରତ ଜବାବ ଦେଇଛି । ଏହା ପୂର୍ବରୁ ଆଜି ଅର୍ଥାତ ଶୁକ୍ରବାର ସକାଳେ ଜାମ୍ମୁର ଅରନିଆ ସେକ୍ଟରରେ ଗୋଟିଏ ଡ୍ରୋନ୍ ଦେଖିବାକୁ ମିଳିଥିଲା ।

ମିଳିଥିବା ସୂଚନା ଅନୁସାରେ, ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସ ମଧ୍ୟରେ ରବିବାର ରାତିରେ ଗୋଟିଏ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା । ଘଟଣାକୁ ଗୁରୁତର ସହ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିବା ସହିତ ପାକିସ୍ତାନ ସରକାର ଠାରୁ ଜବାବ ତଲବ କରିଛନ୍ତି ଭାରତ ସରକାର । ଭାରତୀୟ ବିଦେଶ ମନ୍ତ୍ରାଳୟ ଆଜି ସନ୍ଧ୍ୟାରେ ଏହି ମୁଦ୍ଦାକୁ ନେଇ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ବୟାନ ଜାରି କରିବା ନେଇ ସୂଚନା ମିଳିଛି ।

ଏହା ପୂର୍ବରୁ ଗତ ରବିବାର ଦିନ ଜାମ୍ମୁର ଏୟାରବେସ୍‌ରେ ଡ୍ରୋନ ସାହାଯ୍ୟରେ IED ବିସ୍ଫୋରଣ କରାଯାଇଥିଲା । ଏୟାରବେସ ମଧ୍ୟରେ ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିଲା । ଏ ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ହୋଇଥିଲା । ଗତ କିଛି ଦିନ ଧରି ଅସ୍ତ୍ରଶସ୍ତ୍ର ନେବା ଆଣିବା କରିବା ଏବଂ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଡ୍ରୋନ୍‌ ବ୍ୟବହାର କରୁଛନ୍ତି ଆତଙ୍କବାଦୀ । ତେଣୁ ଜାମ୍ମୁ ଏୟାରବେସ୍‌ରେ ଯେଉଁ ଡ୍ରୋନ୍‌ ଆକ୍ରମଣ ହୋଇଥିଲା ତାହା ମଧ୍ୟ ସୀମା ଆରପଟୁ ଅର୍ଥାତ ପାକିସ୍ତାନ ପଟୁ ହିଁ ଆସିଥିଲା । ଏଥିରେ ଆତଙ୍କବାଦୀମାନଙ୍କ ସଂପୃକ୍ତି ଥିବା ଦାବି କରାଯାଇଥିଲା । ଏହା ବ୍ୟତିତ ଆତଙ୍କବାଦୀମାନେ ମିଲିଟାରୀ ଷ୍ଟେସନ୍‌ ମଧ୍ୟରେ ଡ୍ରୋନ୍‌ ସାହାଯ୍ୟରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ।  କିନ୍ତୁ ଏଥିରେ ସଫଳ ହୋଇନଥିଲେ ଆତଙ୍କୀ ।

ଜାମ୍ମୁ ଆକ୍ରମଣ ପରେ ଏବେ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନ ଅଟ୍ଟାଳିକାରେ ଡ୍ରୋନ୍‌ ଦେଖିବାକୁ ମିଳିଛି । ଶୁକ୍ରବାର ସକାଳେ ଜାମ୍ମୁର ଅରନିୟା ସକ୍ଟେରରେ ମଧ୍ୟ ଡ୍ରୋନ ଦେଖିବାକୁ ମିଳିଥିଲା । ଡ୍ରୋନ୍‌ଟି ସୀମା ପାର କରିଭାରତ ମଧ୍ୟକୁ ପ୍ରବେଶ କରିନଥିଲା କିନ୍ତୁ  ପାକିସ୍ତାନ ପଟେ ଥାଇ ଭାରତ ଉପ​‌ରେ ନଜର ରଖିଥିଲା । ଏହା ଦେଖି ସୀମାରେ ମୁତୟନ ହୋଇଥିବା ଭାରତୀୟ ଜବାନମାନେ ଡ୍ରୋନ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଡ୍ରୋନଟି ସେଠାରୁ ଗାଏବ ହୋଇଯାଇଥିଲା । ସୀମାରେ ଭାରତୀୟ ଜବାନମାନେ ସତର୍କ ରହିଛନ୍ତି ଏବଂ ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବିଏସ୍‌ଏଫ୍ ପ୍ରବକ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.