ପୂର୍ତ୍ତ ବିଭାଗ ନାଁରେ ଗୁରୁତର ଅଭିଯୋଗ, ବିନା ସୂଚନାରେ ଲୋକଙ୍କ ଜମି ଉପରେ ବଳପୂର୍ବକ କରୁଛି ରାସ୍ତା ନିର୍ମାଣ, ଧାରଣାରେ ବସିଲେ ପରିବାର ଲୋକ

Published By : Prameya-News7 Bureau | January 05, 2021 IST

ଝାରସୁଗୁଡା ୦୫।୦୧: ଝାରସୁଗୁଡା ଜିଲ୍ଲାରେ ସରକାରୀ ନିର୍ମାଣ ସଂସ୍ଥା ପୂର୍ତ୍ତ ବିଭାଗ ନାଁରେ ଆସିଛି ଗୁରୁତର ଅଭିଯୋଗ। ପୂର୍ତ୍ତ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ଘରୋଇ ଜମି ଉପରେ କୌଣସି ସୂଚନା ନଦେଇ ନିର୍ମାଣ କରୁଛି ରାସ୍ତା। ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି। ଶେଷରେ ପୀଡିତ ପରିବାର ଲୋକ ଉକ୍ତ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଛନ୍ତି।

ଏଭଳି ଏକ ରାସ୍ତା ପତ୍ରାପାଲିରୁ ହଲକାଢିପା ପର୍ଯ୍ୟନ୍ତ ୩ ବର୍ଷ ତଳେ ବିଶ୍ୱବ୍ୟାଙ୍କ ସହାୟତାରେ ନିର୍ମାଣ ହୋଇଥିଲା। ରାସ୍ତାଟି ଖୁନାପାଲି ମୌଜା, ଖାତା ନମ୍ବର ୩୩ ଓ ପ୍ଲଟ ନମ୍ବର ୯୨୫ ଓ ୧୧୪୩ରୁ ୩୮.୦୨  ଡିସିମିଲ ଜମି ଉପରେ ନିର୍ମିତ। ଏହି ରାସ୍ତା ଜଣେ ବ୍ୟକ୍ତିଗତଙ୍କ ମାଲିକାନାରେ ରହିଛି। ବ୍ୟକ୍ତିଙ୍କ ଜମି ଉପରେ ନିର୍ମାଣ ସରିଛି କଂକ୍ରିଟ ରାସ୍ତା। ବ୍ୟକ୍ତିଗତ ମାଲିକାନାରେ ଥିବା ଜମିର ମାଲିକ ଇବ ଗାଁର ନିରଞ୍ଜନ ମାଳି।

ଗତ ୩ ବର୍ଷ ମଧ୍ୟରେ ପୂର୍ତ୍ତ ବିଭାଗ, କୋଲାବିରା ପୋଲିସ, କୋଲାବିର ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟକୁ ଧାଇଁ ଧାଇଁ ନିଜ ଜମିର ପ୍ରାପ୍ୟ ସଂପର୍କରେ କୌଣସି ପ୍ରତିଶ୍ରୁତି ନ ପାଇବାରୁ ବାଧ୍ୟ ହୋଇ ଆଜିଠାରୁ ସେହି ରାସ୍ତାକୁ ନିଜ ପରିବାର ସହ ବନ୍ଦ କରିଛନ୍ତି। ନିରଞ୍ଜନଙ୍କ ସହ ତାଙ୍କ ସ୍ତ୍ରୀ, ଦୁଇଟି ନାବାଳକ ପୁତ୍ର ସହ ଭଉଣୀ ରାସ୍ତା ଅବରୋଧ କରି ଏହି ଆନ୍ଦୋଳନକୁ ଜାରି ରଖିବେ ବୋଲି କହିଛନ୍ତି। ଆଜି ଦିନ ତମାମ୍ ଏହି ପରିବାରର ଲୋକେ ରାସ୍ତା ଉପରେ ଧାରଣାରେ ବସି ରହିଥିଲେ ମଧ୍ୟ ତାଙ୍କ ନିକଟକୁ ପୁର୍ତ୍ତ ବିଭାଗ ପକ୍ଷରୁ କୌଣସି ଅଧିକାରୀ ଆଲୋଚନା ପାଇଁ ଆସି ନଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.