ସିରିଜ୍ ଦୁର୍ଘଟଣା କଲେ ଡାକ୍ତର, କାର୍‌ରେ ଜଣଙ୍କ ପରେ ଜଣଙ୍କୁ ଦେଲେ ଧକ୍କା

Published By : Prameya-News7 Bureau | January 31, 2021 IST

ଝାରସୁଗୁଡ଼ା,୩୧/୦୧: ଝାରସୁଗୁଡ଼ାର ଜଣେ ଡାକ୍ତର କାର୍‌ରେ ଦ୍ରୁତ ଗତିରେ ଆସି ସିରିଜ୍ ଦୁର୍ଘଟଣା ଘଟାଇଛନ୍ତି । ସେ ଜଣକ ପରେ ଜଣକୁ ଧକ୍କା ଦେଇଛନ୍ତି। ଏହି ଦୁର୍ଘଟଣାରରେ ୨ ଜଣ ଆହତ ହୋଇଥିବା ବେଳେ ଜଣଙ୍କୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ପଠାଯାଇଛି। ଘଟଣାସ୍ଥଳରେ ଟାଉନ ପୋଲିସ ପହଁଚି କାର୍‌କୁ ଜବତ କରି ଡାକ୍ତରଙ୍କୁ ଅଟକ ରଖିଛି।

ସୂଚନାଅନୁସାରେ, ଶନିବାର ଅପରାହ୍ନ ୫ଟାରେ ମଙ୍ଗଳ ବଜାର ଅର୍ବାନ ପିଏଚ୍‌ସିରେ ନିଯୁକ୍ତ ଥିବା ଡାକ୍ତର ମନୋରଞ୍ଜନ କଣ୍ଡରା ତାଙ୍କ କାର୍‌ ଯୋଗେ ବେହାରାମାଲ ପଟୁ ଆସୁଥିଲେ । ପ୍ରଥମେ ସେ ଏଲ୍‌ଆଇସି କାର୍ଯ୍ୟାଳୟ ସମ୍ମୁଖରେ ଓଏମ୍‌ପି ଚେକ୍‌ ଗେଟ୍‌ରେ ନିକଟରେ ରହୁଥିବା ଲଳିନ୍ଦ୍ର ମାଝୀଙ୍କୁ ଧକ୍କା ଦେଇଥିଲେ । ସେଠାରୁ କାର୍‌ଟିକୁ ଦ୍ରୁତଗତିରେ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ମୋହନ ହୋଟେଲ ପାଖରେ ବାଇକ୍‌ରେ ଯାଉଥିବା ବେହେରାମାଲ ଅଘରିଆପଡ଼ାର ନରେଶ ରଜକଙ୍କୁ ଧକ୍କା ଦେଇଥିଲେ ।

ଏହାପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା କାର୍‌କୁ କାବୁ କରିବା ସହିତ ଡାକ୍ତରଙ୍କୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ଟାଉନ ପୋଲିସ୍‌ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ନେଇଥିଲା । ଲଳିନ୍ଦ୍ର ମାଝୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଝାରସୁଗୁଡ଼ା ଟାଉନ ପୋଲିସ୍‌ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଡାକ୍ତରଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.