ସ୍ପୋର୍ଟସ ଇଲଷ୍ଟ୍ରେଟେଡ ଟପ-୫୦ରେ ସେରେନା ନମ୍ବର-୧, ଷଷ୍ଠ ସ୍ଥାନରେ ସାରାପୋଭା, ଜଣେ ବି ନାହାନ୍ତି ଭାରତୀୟ
20/07/2019 at 3:53 PM

ଆମେରିକୀୟ ମ୍ୟାଗଜିନ୍ ‘ସ୍ପୋର୍ଟସ୍ ଇଲଷ୍ଟ୍ରେଟେଡ’ ଚଳିତ ବର୍ଷର ଟପ-୫୦ ଫ୍ୟାସନେବଲ ଖେଳାଳିଙ୍କ ସୂଚି ଜାରି କରିଛି। ଏଥିରେ ଟେନିସ୍ ଖେଳାଳି ସେରେନା ୱିଲିୟମସ୍ ଙ୍କୁ ବିଶ୍ୱର ନମ୍ବର ୱାନ୍ ଫ୍ୟାସନେବଲ ଖେଳାଳି ମନୋନୀତ କରାଯାଇଛି। ସେହିପରି ସୂଚୀର ଷଷ୍ଠ ସ୍ଥାନରେ ସାରାପୋଭା ଥିବା ବେଳେ ୩୪ତମ ସ୍ଥାନରେ ସେରେନାଙ୍କ ବଡ ଭଉଣୀ ଭିନସ ଓ ୩୭ତମ ସ୍ଥାନରେ ରହିଛନ୍ତି ରୋଜର ଫେଡରର। ତେବେ ଏହି ସୂଚୀରେ ଜଣେ ବି ଭାରତୀୟ ଖେଳାଳିଙ୍କ ନାମ ନାହିଁ ।

୨୩ଥର ଗ୍ରାଣ୍ଡସ୍ଲାମ ବିଜେତା ସେରେନା ଟେନିସ୍ ବ୍ୟତୀତ ତାଙ୍କର ନିଜସ୍ୱ ବ୍ରାଣ୍ଡ ‘ଏସ୍’ ପାଇଁ ମଧ୍ୟ କାମ କରୁଛନ୍ତି। ଏବେ ଏହି ବ୍ରାଣ୍ଡରେ ସେ ଜ୍ୱେଲରୀ ଓ ବ୍ୟୁଟି ପ୍ରଡକ୍ଟ ମଧ୍ୟ ଲଞ୍ଚ କରିବେ ବୋଲି ଜଣାପଡିଛି। ଫ୍ୟାସନେବଲ ଖେଳାଳି ଚୟନ ନିମନ୍ତେ ମ୍ୟାଗଜିନ ୩ଟି ମାନଦଣ୍ଡ ରଖିଥିଲେ। ଏଥିରେ ଷ୍ଟ୍ରଙ୍ଗ, ସେକ୍ସି ଓ ସେନସେବଲ ୩ଟି ପର୍ଯ୍ୟାୟରେ ମ୍ୟାଗଜିନ ଶୀର୍ଷ ୫୦ ଜଣ ଖେଳାଳିଙ୍କ ଚୟନ କରିଛନ୍ତି।

ସ୍ପୋର୍ଟସ୍ ଇଲଷ୍ଟ୍ରେଟେଡ ଆମେରିକାର ୬୫ ବର୍ଷ ପୁରୁଣା ମ୍ୟାଗଜିନ। ପ୍ରତି ସପ୍ତାହରେ ପ୍ରକାଶ ପାଉଥିବା ଏହି ମ୍ୟାଗଜିନର ସାରା ବିଶ୍ୱରେ ୨.୩କୋଟି ପାଠକ ରହିଛନ୍ତି। ଯେଉମାନଙ୍କ ମଧ୍ୟରୁ ୧.୮ କୋଟି କେବଳ ପୁରୁଷ ହୋଇଥିବା ବେଳେ ୧୦ ଲକ୍ଷ ସବସ୍କ୍ରାଇବର କରିବାରେ ବିଶ୍ୱର ପ୍ରଥମ ମ୍ୟାଗଜିନ ଥିଲା। ଏବେ ମ୍ୟାଗଜିନର ସବସ୍କ୍ରାଇବରଙ୍କ ସଂଖ୍ୟା ପ୍ରାୟ ୩୦ଲକ୍ଷ ପାର କରିଗଲାଣି। ଏହି ସୂଚୀ ପ୍ରକାଶନ ପରେ ସେରେନା କହିଛନ୍ତି ଯେ ଟେନିସ ଓ ଫ୍ୟାସନକୁ ନେଇ ତାଙ୍କର କ୍ୟାରିୟର, ଏଣୁ ଯେବେବି କୋର୍ଟକୁ ଓହ୍ଲାଏ ସବୁ ବେଳେ ଚାହେଁ କନଫିଡେଣ୍ଟ ଦେଖାଯିବାକୁ ଓ ଷ୍ଟେଟମେଣ୍ଟ ହେବାକୁ।

ତେବେ ଟପ ୫୦ ଫ୍ୟାସନେବଲ ଖେଳାଳିଙ୍କ ମଧ୍ୟରେ ୪୧ ଜଣ ପୁରୁଷ ଥିବା ବେଳେ ମାତ୍ର ୯ ଜଣ ମହିଳା ଅଛନ୍ତି। ଏଥିରେ ଆମେରିକାନ ବାସ୍କେଟବଲ ଲିଗ୍ ଏନବିଏର ସର୍ବାଧିକ ୧୯ ଜଣ ଖେଳାଳିଙ୍କ ନାମ ରହିଛି। ସେହିପରି ଫୁଟବଲରଙ୍କ ମଧ୍ୟରେ କ୍ରିଷ୍ଟିଆନୋ ରୋନାଲ୍ଡୋ, ହେକ୍ଟର ବେଲେରିନ ଓ ନେମାର ଅଛନ୍ତି। ସ୍କିଂରେ ଲିଣ୍ଡସେ ୱାନ୍, ଗଲ୍ଫରେ ମିସେଲ ବେଇ, ଫର୍ମୂଲା-ୱାନରେ ଲୁଇସ୍ ହେମିଲ୍ଟନ, ଆଥଲେଟିକରେ ଡିନା ଏସର ସ୍ମିଥ ଓ ବେସ୍ ବଲରେ ବ୍ରାଇସ୍ ହାର୍ପର ସୂଚିରେ ସ୍ଥାନ ପାଇଛନ୍ତି। ଆମେରିକାର ୱାର୍ଲଡ ଚାମ୍ପିୟନ ହୋଇଥିବା ମହିଳା ଫୁଟବଲ ଟିମ କ୍ୟାପ୍ଟେନ୍ ମେଗନ୍ ରେପିନୋ ସୂଚିର ୪୮ତମ ସ୍ଥାନରେ ଅଛନ୍ତି।