ସର୍ବକାଳୀନ ରେକର୍ଡ: ପ୍ରଥମ ଥର ୪୩ ହଜାର ଛୁଇଁଲା ସେନସେକ୍ସ, ୧୨ ହଜାର ଉପରେ ନିଫ୍ଟି

Published By : Prameya-News7 Bureau | November 10, 2020 IST

ନୂଆଦିଲ୍ଲୀ ୧୦/୧୧ : ମଙ୍ଗଳବାର ସେୟାର ବଜାରରେ ସେନସେକ୍ସ ଏବଂ ନିପ୍ଟି ଅଚାନକ ବୃଦ୍ଧି ପାଇ ସର୍ବକାଳୀନ ଶୀର୍ଷରେ ପହଞ୍ଚିଛି ।  ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୁଯାୟୀ ସେନସେକ୍ସ ୬୮୦.୨୨ ପଏଣ୍ଟ ବୃଦ୍ଧି ପାଇ ୪୩୩୧୬.୪୪ରୁ ଆରମ୍ଭ ହୋଇ ୪୩.୨୭୭.୬୫ରେ ଶେଷ ହୋଇଛି । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୭୦.୦୫ ପଏଣ୍ଟ ବୃଦ୍ଧି ପାଇ ୧୨୬୪୩.୯୦ରୁ ଆରମ୍ଭ ହୋଇ ୧୨୬୩୧.୧୦ରେ ଶେଷ ହୋଇଛି ।

ତେବେ ବଜାଜ ଫାଇନାନ୍ସ ସେନସେକ୍ସ ବୃଦ୍ଧିରେ ପ୍ରମୁଖ ଭୁମିକା ଗ୍ରହଣ କରିଛି । ଏହାର ସେୟାର ପାଖାପାଖି ୯ ପ୍ରତିଶତ ବଢିଛି । ସେହିପରି ଇଣ୍ଡସଇଣ୍ଡ ବ୍ୟାଙ୍କ୍, ଏଲ ଆଣ୍ଡ ଟି, ବଜାଜ ଫିନସର୍ଭ, ଏଚଡିଏଫସି, ଏସବିଆଇ, ଆଇସିଆଇସିଆଇ, ଏଚଡିଏଫସି, ଓଏନଜିସି ଏବଂ ଆକ୍ସିସ୍ ବ୍ୟାଙ୍କା ସେୟାର ମଧ୍ୟ ଆଶାନୁରୂପ ଭାବେ ବୃଦ୍ଧି ପାଇଛି ।  

ଅନ୍ୟ ପକ୍ଷରେ ମହିନ୍ଦ୍ରା, ଏଚସିଏଲ ଟେକ୍, ଇନଫୋସିସ୍, ନେଷ୍ଟଲ ଇଣ୍ଡିଆ, ସନ ଫାର୍ମା ଏବଂ ଟିସିଏସର କାରବାର ଲାଲବୁନ୍ଦାରେ ବନ୍ଦ ହୋଇଛି । ବାୟୋଟେକ ଏବଂ ଫାଇଜର କମ୍ପାନୀ ପକ୍ଷରୁ କୋଭିଡ୍ ଭ୍ୟାକସିନର ୩ୟ ପର୍ଯ୍ୟାୟ ଟ୍ରାଏଲ ଚାଲୁ ରହିଥିବାରୁ ନିବେଶକ ମାନେ ଏହି କମ୍ପାନୀ ଗୁଡିକରେ ନିବେଶ କରିବାକୁ ଆଶା ରଖିଛନ୍ତି । ସାରା ବିଶ୍ବରେ ବଜାର କାରବାର ବୃଦ୍ଧି ଏବଂ ବିହାରରେ ଏନଡିଏର ଲିଡ୍ ସେନସେକ୍ସ ଏବଂ ନିଫ୍ଟି ବୃଦ୍ଧିରେ ଆହୁରି ସହାୟକ ହୋଇପାରେ ବୋଲି ରିଲାଏନ୍ସ ସିକ୍ୟୁରିଟିର ବ୍ୟବସାୟ ମୁଖ୍ୟ ଅର୍ଜୁନ ୟସ ମହାଜନ କହିଛନ୍ତି ।

ଅନ୍ୟ ପକ୍ଷରେ ମହାମାରୀ ସମୟରେ ଆଇଟି ଏବଂ ଫାର୍ମା କମ୍ପାନୀ ମାନେ ପ୍ରଚୁର ଲାଭ କରିଛନ୍ତି । ସୋମବାର ଫାଇଜର ଏବଂ ବାୟୋଟେକ ଫାର୍ମା କମ୍ପାନୀ ଦାବି କରିଛନ୍ତି ଯେ ତାଙ୍କ ଦ୍ବାରା ଟ୍ରାଏଲ କରାଯାଉଥିବା ଭ୍ୟାକସିନ କରୋନା ରୋଗୀଙ୍କୁ ପ୍ରାୟ ୯୦ ପ୍ରତିଶତ ରୋକିବାରେ ସହାୟକ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.