ସେୟାର ବଜାରରେ ଧିମା ଆରମ୍ଭ, ସେନସେକ୍ସ ଏବଂ ନିଫ୍ଟି କାରବାର ସାମାନ୍ୟ ହ୍ରାସ
14/01/2021 at 2:55 PM

ନୂଆଦିଲ୍ଲୀ ୧୪/୦୧ : ବୁଧବାର ନୂଆ ରେକର୍ଡ ସହ ଆରମ୍ଭ ହୋଇଥିବା ସେୟାର ବଜାର ଗୁରୁବାର ସାମାନ୍ୟ ହ୍ରାସ ପାଇଛି । ଅନ୍ତରାଷ୍ଟ୍ରୀୟ ବଜାର ଏବଂ ଘରୋଇ ବଜାରରେ କାରବାରରେ ମିଶ୍ରିତ ଫଳାଫଳ ହେତୁ ସେନସେକ୍ସ ଏବଂ ନିଫ୍ଟିରେ ମଧ୍ୟ ସେଭଳି ପ୍ରଭାବ ଦେଖାଯାଉଛି । ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୬୦ ଅଙ୍କ ହ୍ରାସ ପାଇ ୪୯,୪୩୨.୮୩ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୫ ଅଙ୍କ ହ୍ରାସ ପାଇ ୧୪,୫୫୦.୫୦ରେ ଖୋଲିଥିଲା ।
ଟେକ୍ ଏବଂ ଆଇଟି ସେକ୍ଟରଗୁଡିକର କାରବାରରେ ସାମାନ୍ୟ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଥିଲା । ଟିସିଏସ୍, ଟେକ୍ ମହିନ୍ଦ୍ରା, ଇମ୍ଫୋସିସ୍ ଏବଂ ଏଚସିଏଲ୍ ସେୟାର ହ୍ରାସ ପାଇଛି । ଫାଇନାନ୍ସ ଏବଂ ଏନର୍ଜି ସେକ୍ଟରଗୁଡିକର କାରବାର ସାମାନ୍ୟ ବୃଦ୍ଧି ପାଇଛି ।
ଏଚସିଏଲ୍ ଟେକ୍ର ସେୟାର କ୍ଷତି ସହିତ ଆରମ୍ଭ ହୋଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ କମ୍ପାନୀର ସେୟାର ପ୍ରାୟ ୩.୫୬ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ଇଣ୍ଡସଇଣ୍ଡ ବ୍ୟାଙ୍କରେ କାରବାର ବୃଦ୍ଧି ପାଇଛି । ଇଣ୍ଡସଇଣ୍ଡ ବ୍ୟାଙ୍କର ସେୟାର କାରବାର ଆରମ୍ଭରୁ ପ୍ରାୟ ୨.୭୮ ପ୍ରତିଶତ ବୃଦ୍ଧି ପାଇଛି ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଇଟିସି, ମହିନ୍ଦ୍ର ଆଣ୍ଡ୍ ମହିନ୍ଦ୍ରା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ବଜାଜ୍ ଅଟୋ, ଓଏନଜିସି, କୋଟାକ ମହିନ୍ଦ୍ରା ବ୍ୟାଙ୍କର ସେୟାର ବୃଦ୍ଧି ପାଇଛି । ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟିରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଆଇଟିସି, ଇଣ୍ଡିଆନ ଅଏଲ ଏବଂ ବଜାଜ ଅଟୋର ସେୟାର ବୃଦ୍ଧି ପାଇଛି । ସେନସେକ୍ସ ସହ ଜଡିତ ୩୦ ରୁ ୧୦ ଏବଂ ନିଫ୍ଟି ସହ ଜଡିତ ପ୍ରାୟ ୫୦ କମ୍ପାନୀ ମଧ୍ୟରୁ ୨୨ଟି କମ୍ପାନୀର ସେୟାର ବୃଦ୍ଧି ପାଇଛି ।