ଜେ.ପି.ନଡ୍ଡା ହେଲେ ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ
17/06/2019 at 8:17 PM

ନୂଆଦିଲ୍ଲୀ ୧୭।୭: ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏହି ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସୋମବାର ଅନୁଷ୍ଠିତ ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ରାଜନାଥ କହିଛନ୍ତି। ପୂର୍ବରୁ ଅମିତ ଶାହ ଏହି ପଦବୀରେ ଅବସ୍ଥାପିତ ଥିଲେ। ତେବେ ସେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଦଳୀୟ ପଦପଦବୀ ଦାୟିତ୍ୱ ତୁଲାଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ କହିଥିଲେ ବୋଲି ରାଜନାଥ କହିଛନ୍ତି।
ସେହି ଅନୁସାରେ ସଂସଦୀୟ ବୌର୍ଡ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଜେ.ପି. ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସର୍ବସମ୍ମତ ମନୋନୀତ କରାଯାଇଛି। ଗତ ସାଧାରଣ ନିର୍ବାଚନରେ ଅମିତ ଶାହ ଦଳର ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ଦଳକୁ ଅପାର ସଫଳତା ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳ ପୁଣି କେନ୍ଦ୍ରରେ ସରକାର ଗଢିଛି। ସେପଟେ ବିଜେପି ଜାତୀୟ ସଭାପତି ଭାବେ ଅମିତ ଶାହଙ୍କ କାର୍ଯ୍ୟକାଳ ଏବେବି ସରିନି। ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିଥିବା ବେଳେ ସେ ପର୍ଯ୍ୟନ୍ତ ନଡ୍ଡା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦଳର ସମସ୍ତ ଦାୟିତ୍ୱ ତୁଲାଇବେ।