ତାଳେଚର କୋଭିଡ଼ ଡାକ୍ତରଖାନକୁ ଆସିବା ବେଳେ ନାଲ୍କୋ ଅଫିସରଙ୍କ ମୃତ୍ୟୁ : ଛାତିଯନ୍ତ୍ରଣା ଯୋଗୁଁ ଆମ୍ବୁଲାନ୍ସରେ ଆସୁଥିଲେ, ମୃତ୍ୟୁର କାରଣ ଅସ୍ପଷ୍ଟ
30/06/2020 at 11:35 AM

ଅନୁଗୁଳ ୩୦।୦୬ : ଅନୁଗୁଳ ନାଲକୋର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଗତ କିଛି ଦିନ ହେଲା କୌଣସି ରୋଗ ନେଇ ଅସୁସ୍ଥ ଥିବା ଜଣାପଡିଥିଲା । ଏମିତିକି ମଝିରେ ମଝିରେ ଛାତିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରୁଥିଲେ । ତେବେ ଆଜି ସକାଳ ୬ଟା ସମୟରେ ହଠାତ୍ ଅସୁସ୍ଥ ଅନୁଭୁବ କରିଥିଲେ, ତାଙ୍କୁ ଚିକିତ୍ସା ପାଇଁ ତାଳଚେର କୋଭିଡ ହସ୍ପିଟାଲକୁ ନିଆଯାଉଥିଲା। କିନ୍ତୁ ରାସ୍ତାରେ ତାଙ୍କର ଅଚାନକ ମୃତ୍ୟୁ ଘଟିଛି । ବର୍ତ୍ତମାନ ତାଙ୍କ ମୃତଦେହକୁ ତାଳଚେର କୋଭିଡ ହସ୍ପିଟାଲର ଭିତର କ୍ୟାମ୍ପସରେ ରଖାଯାଇଛି।
ସୂଚନାଯୋଗ୍ୟ ଯେ, ନାଲକୋର ଏହି ଉଚ୍ଚ ପଦସ୍ଥ ଅଧିକାରୀ ଜଣଙ୍କ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଆଜି ସକାଳେ କୋଭିଡ୍ ହସ୍ପିଟାଲକୁ ତାଙ୍କୁ ନିଆଯାଉଥିଲା। ତେବେ ହସ୍ପିଟାଲକୁ ଆସୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଜିଲ୍ଲା ପ୍ରଶାସନ କି ନାଲକୋ କର୍ତ୍ତୃପକ୍ଷ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କିଛି ସୂଚନା ଦିଆଯାଇନାହିଁ । ସେ କରୋନା ଆକ୍ରାନ୍ତ ନାଁ ତାଙ୍କ ଦେହ ଅସୁସ୍ଥ ଥିଲା ସେ ସମ୍ପର୍କରେ କିଛି ବି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଯେହେତୁ ତାଙ୍କୁ କୋଭିଡ୍ ହସ୍ପିଟାଲରେ ରଖାଯାଇଛି । ମେଡିକାଲରୁ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।