ଧୋତି-କୁର୍ତ୍ତା ପିନ୍ଧିଥିବା ବୃଦ୍ଧଙ୍କୁ ଶତାବ୍ଦୀ ଏକ୍ସପ୍ରେସରୁ ଓହ୍ଲାଇଦେଲେ ଟିଟିଇ, ପାଖରେ ଥିଲା କନଫର୍ମ ଟିକେଟ୍
6/07/2019 at 10:28 AM

ଇଟଓ୍ବା ୬|୭: ପାଖରେ କନଫର୍ମ ଟିକେଟ୍ ଥାଇ ବି ଶତାବ୍ଦୀ ଏକ୍ସପ୍ରେସରେ ଯାଇପାରିଲେନି ଜଣେ ବୃଦ୍ଧ । ଉତ୍ତରପ୍ରଦେଶର ଇଟୱା ଷ୍ଟେସନରେ ଏହି ବୃଦ୍ଧ ଜଣଙ୍କୁ ଟ୍ରେନରୁ ଓହ୍ଲାଇଦେଲେ ଟିଟିଇ ।

୧୮୯୩ର କଥା । ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ଦକ୍ଷିଣ ଆଫ୍ରିକାରେ ଟ୍ରେନ୍ ରେ କେବଳ ଏଇଥିପାଇଁ ଓହ୍ଲାଇଦିଆଯାଇଥିଲା କାହିଁକି ନା’ ସେ ଅଶ୍ବେତ ଥିଲେ । ସ୍ବାଧୀନତାର ୭୦ବର୍ଷ ପରେ ଏମିତି କିଛି ଘଟଣା ରିପିଟ୍ ହୋଇଛି ଉତ୍ତର ପ୍ରଦେଶରେ । ଯେଉଁଠି ଜଣେ ୭୨ବର୍ଷିୟ ବୃଦ୍ଧଙ୍କୁ ଟିଟିଇ ଟ୍ରେନ୍ ରୁ ଏଇଥି ପାଇଁ ଓହ୍ଲାଇଦେଲେ କାହିଁକି ନା ତାଙ୍କ ପାଦରେ ହାଓ୍ବାଇ ଚପ୍ପଲ ଆଉ ଦେହରେ ଥିଲା ଧୋତିକୁର୍ତ୍ତା ।

ଗତ ଗୁରୁବାର ଉତ୍ତରପ୍ରଦେଶର ଇଟାଓ୍ବା ଷ୍ଟେସନରେ ଶତାବ୍ଦୀ ଏକ୍ସପ୍ରେସରେ ଗାଜିଆବାଦ ଯିବାକୁ ଚଢ଼ିଥିଲେ ୭୨ବର୍ଷ ବୟସ୍କ ରାମଉଦ୍ଧବ ଦାସ । ତାଙ୍କ ପାଖରେ ଶତାବ୍ଦୀ ଏକ୍ସପ୍ରେସର ସି-୨ କୋଚ୍ ରେ କନଫର୍ମ ଟିକେଟ୍ ବି ଥିଲା । ଏହା ପରେ ବି ଟ୍ରେନ୍ ରେ ଥିବା ଟିଟିଇ ଜଣକ ରାମଉଦ୍ଧବଙ୍କୁ ଟ୍ରେନ୍ ରୁ ଓହ୍ଲାଇଦେଇଥିଲେ । ଏହାକୁ ନେଇ ରାମଉଦ୍ଧବ ରେଲଓ୍ବେ ଥାନାରେ ଅଭିଯୋଗ କରିଥିଲେ । ସେତେବେଳକୁ ଷ୍ଟେସନ ଛାଡ଼ି ସାରିଥିଲା ଶତାବ୍ଦୀ ଏକ୍ସପ୍ରେସ୍ । ଶେଷରେ ରାମଉଦ୍ଧବଙ୍କୁ ଅନ୍ୟ ଏକ ଟ୍ରେନରେ ସାଧାରଣ କୋଚ୍ ରେ ହଇରାଣ ହୋଇ ଗାଜିଆବାଦ ଯିବାକୁ ପଡ଼ିଥିଲା । ଏଭଳି ଘଟଣାକୁ ଦେଖିଲେ ଆମ ମନରେ ଏଭଳି ପ୍ରଶ୍ନ ଉଠୁଛି ଯେ, ସତରେ କ’ଣ ଆମ ଦେଶ ସ୍ବାଧୀନ ହୋଇଛି କି ?