ଆରପାରିରେ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତି

Published By : Prameya-News7 Bureau | July 20, 2020 IST

ଭୁବନେଶ୍ୱର, ୨୦|୦୭:   ଆରପାରିରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ସୋମବାର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।ଏହି ବର୍ଷୀଆନ୍ ଅଭିନେତାଙ୍କୁ ମୃତ୍ୟୁବେଳକୁ ୭୦ ବର୍ଷ ବୟସ ହୋଇଥିଲା । ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ବିଜୟ ମହାନ୍ତି ଅଭିନେତା ଓ ନିର୍ଦ୍ଦେଶକ ଭାବେ ସଫଳ ହୋଇଥିବା ବେଳେ ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତେବେ ହାଇଦ୍ରାବାଦରେ ଚିକିତ୍ସାଧିନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ଓଡିଶା ଅଣାଯାଇଥିଲା । ଏଠାରେ ପୁଣି ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଜି ସନ୍ଧ୍ୟାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।

{"id":303312,"width":750,"height":406,"sizeSlug":"large"}

ଏକାଧାରରେ ଥିଏଟର ଓ ଚଳଚ୍ଚିତ୍ର ଅଭିନୟ ସହ ଅଧ୍ୟାପନା କ୍ଷେତ୍ରରେ ନାମ କମାଇଥିବା ବିଜୟ ମହାନ୍ତି ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ପଣ୍ଡାରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତେବେ ମୟୂରଭଞ୍ଜର ବାରିପଦାରେ ସେ ସ୍କୁଲ ଓ କଲେଜ ଶିକ୍ଷା ଗ୍ରହଣ କରିଥିଲେ । ସ୍ନାତକ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାରେ ନାମ ଲେଖାଇଥିଲେ । ସେ ଥିଲେ ବିଶିଷ୍ଟ ଅଭିନେତା ନସିରୁଦ୍ଦିନ ଶାହ, ରାଜ ବବ୍ବର ଏବଂ ଓମ ପୁରୀଙ୍କ ସହପାଠୀ । ସେଠାରେ ଅଭିନୟ ଶିକ୍ଷା ଶେଷ କରି ୧୯୭୫ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ଅବସ୍ଥାନ କରି ବିଭିନ୍ନ ଥିଏଟରରେ ଅଭିନୟ କରିଥିଲେ । ଏହାପରେ ସେ ଓଡିଶା ଫେରିଥିଲେ । ଓଡିଆ ଚଳଚ୍ଚିତ୍ର ଚିଲିକା ତୀରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର । ସେହି ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ତେବେ ପ୍ରଥମେ ପ୍ରଥମେ ସିନେମାରେ ନେଗେଟିଭ୍ ଭୂମିକା ଏବଂ ପରେ ନାୟକ ଓ ଚରିତ୍ର ଅଭିନେତା ଭାବେ ସେ ବେଶ୍ ଲୋକପ୍ରିୟତା ହାସଲ ସହ ସଫଳ ହୋଇଥିଲେ ବିଜୟ । ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ ସିନେମା ହୋଇଥିଲେ ମଧ୍ୟ ନାଗଫାଶ ଥିଲା ପ୍ରଥମ ରିଲିଜ ଚଳଚ୍ଚିତ୍ର । ଭୁଲି ହୁଏନା ଚଳଚ୍ଚିତ୍ରର ସେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ସମୟ ବଡ ବଳବାନ, ଜଗା ହାତରେ ପଘା, ଭାଇ ହେଲା ଭଗାରୀ, ପୁଅ ମୋର କଳାଠାକୁର, ଦଣ୍ଡା ବାଳୁଙ୍ଗା, ପଥର ଖସୁଛି ବଡ ଦେଉଳୁ, ସାରା ଆକାଶ, ଭୀଷ୍ମ ପ୍ରତିଜ୍ଞା, କିଏ ହେବ ଶୁଆ ପୋଷିଲେ, ସହରୀ ବାଘ ଆଦି ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ରହିଛି । ସେ ୧୫୦ରୁ ଅଧିକ ଚଳଚ୍ଚିତ୍ର ସମେତ ଦୂରଦର୍ଶନର ଅନେକ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ସେ ୨୦୧୪ରେ ଓଡିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ଜୟଦେବ ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ସେ ୬ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ୧୯୮୭ ମସିହାରେ ଓଡିଶା ସିନେ କ୍ରିଟିକ୍ସ ଆଓ୍ୱାର୍ଡସ ପକ୍ଷରୁ ଦଶନ୍ଧୀର ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିକ କରାଯାଇଥିଲା ।

{"id":303320,"width":666,"height":406,"sizeSlug":"large"}

ଅଭିନୟ ସହ ଅଧ୍ୟାପନାରେ ବି ସେ ମାହିର ଥିଲେ । ୧୯୭୭ ମସିହାରେ ସେ ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟରେ ସେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ନିକଟରେ ସେ ଅବସର ନେଇଥିଲେ । ତାଙ୍କ ପତ୍ନୀ ତନ୍ଦ୍ରା ରାଏ ମଧ୍ୟ ଜଣେ ଅଭିନେତ୍ରୀ । ଦୁହେଁ ଅନେକ ସିନେମାରେ ଏକାଠି ଅଭିନୟ କରିଛନ୍ତି ।ସେମାନଙ୍କର ଗୋଟିଏ ଝିଅ ଅଛନ୍ତି । ବିଜୟ ମହାନ୍ତି ଚାକିରୀରୁ ଅବସର ପରେ ୨୦୧୪ରେ ରାଜନୀତିରେ ଯୋଗ ଦେଇଥିଲେ । ସେ କଂଗ୍ରେସ ଟିକେଟରେ ଭୁବନେଶ୍ୱର ଲୋକସଭା ଆସନରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସଫଳତା ପାଇନଥିଲେ । ପରେ ସେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ ଏବଂ ବହୁ ବିଶିଷ୍ଟ ରାଜନେତାଙ୍କ ସମେତ ଅଭିନେତା, କଳାକାର ଓ ବୁଦ୍ଧିଜୀବୀ ଗଭୀର ଶୋକପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.