କରୋନା ପାଇଁ ଆମେରିକା ରାଷ୍ଟ୍ରପତି ଘୋଷଣା କଲେ ୨ଲକ୍ଷ କୋଟି ଡଲାରର ପ୍ୟାକେଜ୍ : ପ୍ରତ୍ୟେକ ଯୁବକଙ୍କୁ ୧୨୦୦ ଏବଂ ପ୍ରତ୍ୟେକ ପିଲାଙ୍କୁ ୫୦୦ ଡଲାର

Published By : Prameya-News7 Bureau | March 26, 2020 IST

ଓ୍ବାଶିଂଟନ୍ ୨୬।୩: ମାହାମାରୀ କରୋନା ଭାଇରସ୍ ସାରା ବିଶ୍ବରେ ବ୍ୟାପିସାରିଲାଣି । ଏଭଳି ସ୍ଥିତିରେ କେତେକ ଦେଶରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇସାରିଲାଣି । ସେହି ଦେଶଗୁଡିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସେହି ଦେଶଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଆମେରିକା |

ବର୍ତ୍ତମାନ ଏହି ମହାମାରୀକୁ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆମେରିକୀୟ ଇତିହାସରେ ସବୁଠାରୁ ବଡ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଟ୍ରମ୍ପ୍ ପ୍ରଶାସନ ୨ ଲକ୍ଷ କୋଟି ଡଲାରର ଐତିହାସିକ ପ୍ୟାକେଜ ଘୋଷଣା କରିଛନ୍ତି । କରୋନା ସହ ଲଢିବା ପାଇଁ ଏହି ପ୍ୟାକେଜ୍ ର ଘୋଷଣା କରାଯାଇଛି । ଏହି ଆର୍ଥିକ ପ୍ୟାକେଜରେ ଆମେରିକା ତାକ ନାଗରିକମାନଙ୍କ ପାଇଁ ଏକ ରାଶି ସ୍ଥିର କରିଛି । ପ୍ରତ୍ୟେକ ଆମେରିକୀୟ ଯୁବକଙ୍କୁ ୧୨୦୦ ଡଲାର ଏବଂ ପ୍ରତ୍ୟେକ ପିଲାଙ୍କୁ ୫୦୦ ଡଲାର ଦିଆଯିବ | ଟ୍ରମ୍ପ୍ ସରକାର ଏହି ଆର୍ଥିକ ସହାୟତାକୁ ହିତାଧିକାରୀଙ୍କ ଆକାଉଣ୍ଟରେ ସିଧାସଳଖ ଡିପୋଜିଟ୍ କରିବେ ।

କରୋନା ସହିତ ଲଢିବା ପାଇଁ ଆମେରିକା ହ୍ବାଇଟ୍ ହାଉସ୍ ଏହି ନିଷ୍ପତ୍ତି ନେଇଛି । ଯାହା ଉପରେ ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ନେତାମାନେ ସହମତ ପ୍ରକାଶ କରିଛନ୍ତି । ଆମେରିକା କହିଛି ଯେ, ଏହା ଦ୍ବାରା ବ୍ୟବସାୟୀ, ଶ୍ରମିକ ଏବଂ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସହାୟତା ମିଳିବ । ଏହା ବ୍ୟତୀତ ଆମେରିକା ସରକାର କହିଛନ୍ତି ଯେ, କରୋନା ଭାଇରସ୍ କାରଣରୁ ଛୋଟ ବ୍ୟବସାୟ ପାଇଁ ୩୬୭ ଅରବ ଡଲାର ଯୋଗାଇ ଦିଆଯିବ ଯାହାଦ୍ବାରା ସେମାନଙ୍କର ଯେଉଁ କର୍ମଚାରୀଙ୍କୁ ବାଧ୍ୟବାଧକତାରେ ଘରେ ରହିବାକୁ ପଡୁଛି ସେମାନେ ଦରମା ପାଇପାରିବେ | ବୃହତ ଶିଳ୍ପକୁ ଶସ୍ତାରେ ଋଣ ଦିଆଯିବ ଯାହାଦ୍ବାରା ସେମାନେ ସମସ୍ୟା ସମୟରେ ସେମାନଙ୍କ ବ୍ୟବସାୟ କରିପାରିବେ।

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନା ଭାଇରସ୍ ବିପଦକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ନିର୍ବାଚନ ଲଢିବାକୁ ଯାଉଥିବା ରାଷ୍ଟ୍ରପତି ଟ୍ରମ୍ପ୍ କରୋନାକୁ ନେଇ କୌଣସି ପ୍ରକାର ଅବହେଳା କରିବାକୁ ଚାହୁଁନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.