ନକଲି ପଟ୍ଟା ଦେଖାଇ ଚାଲିଥିବା ଜମି ବିକ୍ରି, ରାକେଟ୍‌ର ପର୍ଦ୍ଦାଫାଶ କଲା ପୋଲିସ, ୭ ଗିରଫ

Published By : Prameya-News7 Bureau | November 02, 2021 IST

ଦେବଗଡ ୦୨।୧୧:  ନକଲି ଜମି ପଟ୍ଟା କରି ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାଶ କରିଛି ଦେବଗଡ ଥାନା ଆଦର୍ଶ ପୋଲିସ। ଦେବଗଡ ସହର ରଜାମୁଣ୍ଡା ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତିଲେଇବଣୀ ଅଞ୍ଚଳରେ ଏକ ଜାଗା କିଣି ରେଜେଷ୍ଟ୍ରି କରିଥିଲେ।  ନକଲି କାଗଜପତ୍ର ଦାଖଲ କରି ଜମି ବିକ୍ରି କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ସେ ଏକ ରାକେଟ ଦ୍ଵାରା ଠକେଇର ଶୀକାର ହୋଇଥିବା ଜାଣିବା ପରେ ଦେବଗଡ ଆଦର୍ଶ ଥାନା ପୋଲିସରେ ଲିଖିତ ଅଭିଯୋଗ କରିଥିଲେ ।

ଏହି ଘଟଣାର ତଦନ୍ତ ବେଳେ ଏକ ରାକେଟ୍ ନକଲି ଜମି ପଟ୍ଟା, ଆଧାର କାର୍ଡ ତିଆରି କରି ବେଆଇନ ଭାବରେ ଜମି ବିକ୍ରି କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି ରାକେଟ୍ ମିଥ୍ୟା ନକଲି କାଗଜପତ୍ର ଦାଖଲ କରି ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିବା ମଧ୍ୟ ଜଣାପଡିଛି। ଏତଦ ବ୍ୟତୀତ ବିଭିନ୍ନ କୋର୍ଟରେ ନକଲି ପଟ୍ଟା ଦେଇ ଅପରାଧୀମାନଙ୍କୁ ଜାମିନରେ ଖଲାସ କରାଯାଇଥିବା ପୋଲିସ ତଦନ୍ତ ସମୟରେ ଜଣାପଡିଛି । ଏହି ଘଟଣାକୁ ନେଇ ପୋଲିସ ସାତ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ନକଲି ଜମି ପଟ୍ଟା, ନକଲି ଆଧାର କାର୍ଡ, ନକଲି ରବର ଷ୍ଟାମ୍ପ ବ୍ୟବହାର କରି ଅନେକ ସ୍ଥାନରେ ଠକେଇ କରିଥିବା ପ୍ରମାଣ ମିଳିଛି ।

ଏହି ଘଟଣାରେ ଦେବଗଡ ସହର ବଣିଆ ସାହିର ରାଜେନ୍ଦ୍ର ଡଗରା, କୈଳାଶ ଗ୍ରାମର ତପନ ନାଏକ, କପାସିରା ଗ୍ରାମର ଉମାକାନ୍ତ ଗଡନାୟକ, କାଲକାଠ ଗ୍ରାମର ଉମାକାନ୍ତ ପ୍ରଧାନ, ବାରକୋଟର ମୋହନ ନାଏକ, ଜମନକିରାର ଅଖିଳ ଜାମୁଡାଳିଆ, ବାହାଡାପଶି ଗ୍ରାମର ଅଜୟ କୁମାର ବାଗଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଗିରଫ ବ୍ୟକ୍ତିଙ୍କ ପାଖରୁ ବିଭିନ୍ନ ବ୍ୟକ୍ତିଙ୍କ ଜମି ପଟ୍ଟା, ନକଲି ରବର ଷ୍ଟାମ୍ପ, କମ୍ପ୍ୟୁଟର, ପ୍ରିଣ୍ଟର, ସ୍କାନର, ମୋବାଇଲ ଫୋନ, ବ୍ୟାଙ୍କ ପାସବୁକ, ଆଧାର କାର୍ଡ ଜବତ କରିଛି। ଏନେଇ ଦେବଗଡ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.