ସେଲଫି ନେବା ଚକ୍କରରେ କୂଅରେ ପଡ଼ିଗଲେ ଯୁବତୀ : ମୃତ୍ୟୁ
5/11/2019 at 4:59 PM

ଚେନ୍ନାଇ ୫/୧୧: ଚେନ୍ନାଇରେ କୂଅର ସିଡ଼ିରେ ସେଲଫି ନେବା ଚକ୍କରରେ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାଟି ଘଟିଛି ଚେନ୍ନାଇର ପଟ୍ଟାବିରାମ ଅଞ୍ଚଳରେ। ପୋଲିସଙ୍କ କହିବାନୁସାରେ ୨୪ବର୍ଷ ବୟସ୍କା ଟି. ମର୍ସି ଷ୍ଟେଫିଙ୍କ ନିକଟରେ ଡି. ଅପ୍ପୁଙ୍କ ସହ ନିର୍ବନ୍ଧ ହୋଇଥିଲା। ଦୁହେଁ ଗତକାଲି କାଣ୍ଡିଗାଈ ଗାଁ ପାଖରେ ଏକ କ୍ଷେତରେ ଥିବା କୂଅ ପାଖରେ ଥିଲେ। ସେତିକିବେଳେ ମର୍ସି ସେଲଫି ନେବାକୁ ଇଚ୍ଛା କରିଥିଲେ।
କୂଅର ଗୋଟିଏ ପାଖରେ ସିଡ଼ି ଥିଲା,ମର୍ସି ଏବଂ ଅପ୍ପୁ ସିଡ଼ିରେ ବସି ଫଟୋ କ୍ଲିକ୍ କରୁଥିଲେ। ମର୍ସି ସିଡ଼ି କଣରେ ବସିଥିଲେ। ହଠାତ୍ ସେ ଭାରସାମ୍ୟ ହରାଇବା ଫଳରେ ସେ କୂଅରେ ପଡ଼ିଯାଇଥିଲେ। ଅପ୍ପୁ ମଧ୍ୟ ତାଙ୍କୁ ବଞ୍ଚାଇବା ଉଦ୍ୟମ କରି ପଡ଼ି ଯାଇଥିଲେ। ଚିତ୍କାର ଶୁଣି ଜଣେ ଚାଷୀ ସେଠାକୁ ଆସିଥିଲେ।
ଘଟଣାସ୍ଥଳରେ ଚାଷୀ ପହଞ୍ଚି ଅପ୍ପୁଙ୍କ ଜୀବନ ବଞ୍ଚାଇଥିଲେ କିନ୍ତୁ ମର୍ସି ମିଳିନଥିଲେ। ଏହା ଜଣା ପଡ଼ିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଟିମ୍ ମର୍ସିଙ୍କ ମୃତଦେହ କୂଅରୁ ବାହାର କରିଥିଲେ। ମର୍ସିଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଥିଲା।

ଅପ୍ପୁଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେ ଏବେ ବିପଦମୁକ୍ତ ବୋଲି ଜଣାପଡ଼ିଛି।