ଆଧ୍ୟାତ୍ମିକ ଚିକିତ୍ସା ନାଁରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ : ଭଣ୍ଡବାବା, ମହିଳା ସେକ୍ରେଟାରୀଙ୍କ ସମେତ ୩ ଗିରଫ

Published By : Prameya-News7 Bureau | October 01, 2018 IST

ନୂଆଦିଲ୍ଲୀ ୧|୧୦: ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଥିବା ଆସାଲତପୁର ଗାଁର 'ଆୟଦ ପରମ ଯୋଗପୀଠ'ର ବାବା ହରିନାରାୟଣଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀ ପୋଲିସ ଗିରଫ କରିଛି । ୨୪ବର୍ଷ ବୟସ୍କା ଜଣେ ଶିକ୍ଷୟିତ୍ରୀ ବାବା ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ପୀଡିତାଙ୍କ କହିବା ଅନୁସାରେ ଅଳ୍ପଦିନ ତଳେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଥିବା ସ୍କୁଲରେ ସେ ଶିକ୍ଷକତା କରିବା ଆରମ୍ଭ କରିଥିଲେ । ସେଠାରେ ତାଙ୍କର ଜଣେ ବରିଷ୍ଠ ଶିକ୍ଷୟିତ୍ରୀଙ୍କ ସହ ବନ୍ଧୁତା ହୋଇଥିଲା । ମଝିରେ ମଝିରେ ବିନା କାରଣରେ ସେ ଅସୁସ୍ଥ ହୋଇପଡୁଥିବାରୁ ବରିଷ୍ଠ ଶିକ୍ଷୟିତ୍ରୀ ତାଙ୍କୁ ହରିନାରାୟଣ ବାବାଙ୍କ ଆଧ୍ୟାତ୍ମିକ ଚିକିତ୍ସା ସଂପର୍କରେ କହିଥିଲେ । ହରିନାରାୟଣଙ୍କ ଚିକିତ୍ସାରେ ସଫଳତା ଶହେ ପ୍ରତିଶତ ବୋଲି ବରିଷ୍ଠ ଶିକ୍ଷୟିତ୍ରୀ ବାରମ୍ବାର ତାଙ୍କୁ ବୁଝାଇବା ସହ ହରିନାରାୟଣଙ୍କ ଆଶ୍ରମକୁ ଯିବାଲାଗି ପ୍ରବର୍ତ୍ତାଇଥିଲେ । ଫଳରେ ଆଶ୍ରମକୁ ଯିବା ପାଇଁ ସେ ରାଜି ହୋଇଥିଲେ । ଆଶ୍ରମକୁ ଯିବା ପୂର୍ବରୁ କେବଳ ଫଳାହାର କରି ରହିବା ପାଇଁ ତାଙ୍କୁ ବରିଷ୍ଠ ଶିକ୍ଷୟିତ୍ରୀ କହିଥିଲେ । ଫଳରେ ଯେଉଁଦିନ ଆଶ୍ରମକୁ ଯିବା ପାଇଁ ଦିନଧାର୍ଯ୍ୟ ହୋଇଥିଲା ସେହିଦିନ ସେ ସଂପୂର୍ଣ୍ଣ ଫଳାହାର କରି ରହିଥିଲେ । ଅପରାହ୍ନରେ ସ୍କୁଲ ଛୁଟି ହେବାପରେ ସେ ବରିଷ୍ଠ ଶିକ୍ଷୟିତ୍ରୀଙ୍କ ସହ ହରିନାରାୟଣଙ୍କ ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ହରିନାରାୟଣଙ୍କ ଜଣେ ମହିଳା ସେକ୍ରେଟାରୀ ତାଙ୍କ ସହ ଦୀର୍ଘ ସମୟ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରିଥିଲେ । ବହୁତ ବିଳମ୍ବ ହେବା ସହ ସେ ଥକିପଡିଥିବାରୁ ଆଉ ଦିନେ ବାବଙ୍କ ପାଖକୁ ଆସିବେ ବୋଲି କହି ଘରକୁ ଯିବାକୁ ବାହାରିଥିଲେ । ତେବେ ଚିକିତ୍ସା ରାତିରେ ହେବ ଏବଂ ଆଶ୍ରମରେ ରାତିସାରା ରହିବାକୁ ପଡିବ ବୋଲି ବରିଷ୍ଠ ଶିକ୍ଷୟିତ୍ରୀ ତାଙ୍କୁ କହିଥିଲେ । ଆଶ୍ରମରେ ରାତିରେ ରହିବା ପାଇଁ ପ୍ରଥମେ ସେ ମନା କରିଥିଲେ । କିନ୍ତୁ ବରିଷ୍ଠ ଶିକ୍ଷୟିତ୍ରୀ ତାଙ୍କୁ ବୁଝାସୁଝା କରିବା ପରେ ସେ ରାଜି ହୋଇଥିଲେ । ରାତି ପ୍ରାୟ ସାଢେ ୮ଟା ବେଳକୁ ବାବାଙ୍କ ମହିଳା ସେକ୍ରେଟାରୀ ତାଙ୍କୁ ତଳେ ସୁଆଇ ଦେଇ ଦେହର ବିଭିନ୍ନ ଅଙ୍ଗକୁ ଅଦ୍ଭୁତଭାବେ ଯାଞ୍ଚ କରିଥିଲେ ଏବଂ କହିଥିଲେ ଯେ, ତାଙ୍କ ଶରୀରର ନିମ୍ନଭାଗରେ ଥିବା ଚକ୍ର ଗୁଡିକ ବନ୍ଦ ରହିଛି ଏବଂ ସକ୍ରିୟ ହୋଇନାହିଁ । ତେଣୁ ବାବା ସେ ଚକ୍ରଗୁଡିକୁ ସକ୍ରିୟ କରିବେ ଏବଂ ଖୋଲିବେ । କିଛି ସମୟପରେ ସେ ଶୋଇଥିବା ପ୍ରକୋଷ୍ଠ ମଧ୍ୟକୁ ତାଙ୍କର ବରିଷ୍ଠ ଶିକ୍ଷୟିତ୍ରୀ ଅର୍ଦ୍ଧନଗ୍ନ ଅବସ୍ଥାରେ ପ୍ରବେଶ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ତାଙ୍କ ଦେହର ବିଭିନ୍ନ ଅଂଶକୁ ଆପତ୍ତିଜନକଭାବେ ଛୁଇଁବା ଆରମ୍ଭ କରିଥିଲେ । ସେ ଏହାର ପ୍ରତିବାଦ କରିଥିଲେ । କିନ୍ତୁ ବରିଷ୍ଠ ଶିକ୍ଷୟିତ୍ରୀ ତାଙ୍କୁ କହିଥିଲେ ଯେ, ଆଧ୍ୟାତ୍ମିକ ଚିକିତ୍ସା ଏମିତି ହିଁ ହୁଏ । ଏହାପରେ ବାବା ହରିନାରାୟଣ ମଧ୍ୟ ପ୍ରକୋଷ୍ଠ ମଧ୍ୟକୁ ନଗ୍ନ ଅବସ୍ଥାରେ ପ୍ରବେଶ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ପୋଲିସ ଏବଂ ମହିଳା କମିଶନରଙ୍କ ନିକଟରେ ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ । ବାବା ତାଙ୍କ ସହ ଦୁଷ୍କର୍ମ କରିବାବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଏବଂ ବାବାଙ୍କ ମହିଳା ସେକ୍ରେଟାରୀ ତାଙ୍କୁ ସହାୟତା କରିଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ଫଳରେ ବାବା ହରିନାରାୟଣଙ୍କ ସମେତ ବରିଷ୍ଠ ଶିକ୍ଷୟିତ୍ରୀ ଏବଂ ମହିଳା ସେକ୍ରେଟାରୀକୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.