ଟି-୨୦ ବିଶ୍ବକପ ଟିମରେ ଚହଲଙ୍କୁ ସ୍ଥାନ ନମିଳିବା ନେଇ ଭଡକିଲେ ସେହଓ୍ବାଗ, ଚୟନକର୍ତ୍ତାଙ୍କୁ ଟାର୍ଗେଟ୍‌ କରି କହିଲେ ଏମିତି...

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮/୦୯ : ଭାରତୀୟ ଦଳର ଷ୍ଟାର ସ୍ପିନର ତଥା​‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଟିମର ସଦସ୍ୟ ଥିବା ଯୁଜବେନ୍ଦ୍ର ଚହଲଙ୍କୁ କାହିଁକି ବିଶ୍ବକପ ଟିମରେ ସ୍ଥାନ ମିଳିଲା ନାହିଁ ? ସେ ନେଇ ଅନେକ କ୍ରିକେଟ ପ୍ରଶଂସକ ଚୟନ କମିଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ଖେଳାଳୀ ବିରେନ୍ଦ୍ର ସେହସ୍ବାଗ । ତାଙ୍କ ପୂର୍ବରୁ ଅନେକ ପୂର୍ବତନ ମହାନ କ୍ରିକେଟର, ଚହଲଙ୍କୁ ସ୍ଥାନ ମିଳିନଥିବାରୁ କ୍ଷୁବ୍ଧ ହୋଇଥିଲେ । ଚହଲଙ୍କୁ ବିଶ୍ପକପ ଟିମରେ ସାମିଲ କରାନଯିବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସେହଓ୍ବାଗ ।

କ୍ରିକବଜ୍‌କୁ ସାକ୍ଷାତକାର ଦେଇ ସେହସ୍ବାଗ କହିଛନ୍ତି, ‘ଚହଲ ବିଶ୍ବକପ ଟିମ ପାଇଁ ସବୁଠାରୁ ଉପଯୋଗୀ ବୋଲର । ଚୟନକର୍ତ୍ତା ଏହା ଉତ୍ତରଦାୟୀ ହେବା ଉଚିତ ଯେ ସେମାନେ କାହିଁକି ଚହଲଙ୍କୁ ଟି-୨୦ ବିଶ୍ବକପ ଦଳରେ ସାମିଲ କଲେ ନାହିଁ । ଚହଲ ଲଗାତାର ଭାବେ ଭଲ ବୋଲିଂ କରିଆସୁଛନ୍ତି । କିନ୍ତୁ କାହିଁକି ତାଙ୍କୁ ଟିମରୁ ବାଦ୍‌ ଦିଆଲା ତାହା ବୁଝି ହେଉନାହିଁ । ଚହଲ ଯେଉଁଭଳି ଭାବେ ବୋଲିଂ କରୁଛନ୍ତି ଟି-୨୦ ବିଶ୍ବକପରେ ଯେକୌଣସି ଟିମ ପାଇଁ ସେ ପ୍ରଭାବଶାଳୀ ସାବ୍ୟସ୍ତ ହେବେ ।’

ଏହି ପୂର୍ବତନ ଭାରତୀୟ ଓପନର କହିଛନ୍ତି, ଗତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚହଲଙ୍କ ବୋଲିଂକୁ ଦେଖିଲେ ପ୍ରମାଣିତ ହେଉଛି ଯେ ଚହଲ କେତେ ଭଲ ବୋଲିଂ କରୁଛନ୍ତି । ଚହଲ ଏବଂ ମ୍ୟାକ୍ସଓ୍ବେଲ ଦୁହେଁ ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ଉଭୟ ମିଡିଲ ଓଭରରେ ଲଗାତାର ଓ୍ବିକେଟ ନେବାରୁ ପୁରା ମ୍ୟାଚର ଗତି ବଦଳିଯାଇଥିଲା । ସେହି ମ୍ୟାଚରେ ଚହଲ ମାତ୍ର ୧୧ ରନ ଦେଇ ୩ଟି ଓ୍ବିକେଟ ନେଇଥିଲେ । ବିରେନ୍ଦ୍ର ସେହଓ୍ବାଗଙ୍କ ପୂର୍ବରୁ ହରଭଜନ ସିଂହ ମଧ୍ୟ ଚହଲଙ୍କୁ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ସ୍ଥାନ ନମିଳିବା ନେଇ ପ୍ରଶ୍ନ ଉଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.