ପୁଣି ସୁରକ୍ଷା ବଳଙ୍କୁ ସଫଳତା, ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ସଫା

Published By : Prameya-News7 Bureau | July 15, 2021 IST

ଗୁମଲା ୧୫/୭: ଗୁରୁବାର ସୁରକ୍ଷା  ବଳଙ୍କୁ ପୁଣି ସଫଳତା ମିଳିଛି। ଝାଡ଼ଖଣ୍ଡର ଗୁମଲାରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ମାଓବାଦୀ ରିଜିଓନାଲ୍‌ କମାଣ୍ଡର ବୁଦ୍ଧେଶ୍ବର ଓରାଉର ସୁରକ୍ଷାବଳଙ୍କ ଗୁଳିରେ ମୃତ୍ୟୁ ହୋଇଛି। ତା ପାଖରୁ ପୋଲିସ ଏକେ ୪୭ ରାଇଫଲ୍‌, ପିସ୍ତଲ, ମୋବାଇଲ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ତାର ଶବକୁ ଗୁମଲା ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଛି।

ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୫୦ କିମି ଦୂର କୁରୁମାଗଢ଼ ଥାନା ଅଞ୍ଚଳର କୋଚଗାନୀ ଗାଁ ପାଖ ପାହାଡ଼ିଆ ଅଞ୍ଚଳରେ ସର୍ଚ୍ଚ  ଅପରେସନ ବେଳେ ସୁରକ୍ଷା ବଳଙ୍କୁ ଏହି ସଫଳତା ମିଳିଛି। ମାଓବାଦୀ ବୁଦ୍ଧେଶ୍ବରର ମୃତ୍ୟୁ ପରେ ଏବେ ତାର ସହଯୋଗୀଙ୍କୁ ଘେରିବା ପାଇଁ ପ୍ରସ୍ତୁତି ଚାଲିଛି।

ଏଥିପାଇଁ ପୋଲିସ ଏବଂ ସିଆରପିଏଫ୍‌ ଯବାନ ପାହଡ଼କୁ ଚାରିପଟୁ ଘେରି ରହିଛନ୍ତି। ବୁଦ୍ଧେଶ୍ବର ଗୁମଲା ବ୍ୟତୀତ ସିମଡେଗା ଏବଂ ଲୋତେହାର ଜିଲ୍ଲାରେ ଅନେକ କାଣ୍ଡ ଭିଆଇଥିଲା। ସେପଟେ ସୁରକ୍ଷାବଳଙ୍କ ଏହି ସଫଳତାରେ ଗୁମଲା ଏସପି ଖୁସି ବ୍ୟକ୍ତ କରିବା ସହ ଅପରେସନ ଜାରି ରହିବା ଦ୍ବାରା ମାଓବାଦୀ ଶକ୍ତିହୀନ ହେବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.