ଧୋନୀଙ୍କ ଘର ପାଇଁ ପୋଲିସ୍‌ ସୁରକ୍ଷା ବଢ଼ିଲା, ସୋସିଆଲ୍‌ ମିଡିଆରେ ଝିଅ ଜୀଭାଙ୍କୁ ଧମକ ପରେ ପ୍ରଶାସନ ନେଲା ପଦକ୍ଷେପ

Published By : Prameya-News7 Bureau | October 11, 2020 IST

ରାଞ୍ଚି ୧୧/୧୦: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍‌ ସିଏସ୍‌କେ ବାରମ୍ବାର ପରାଜୟର ସାମ୍ନା କରୁଛି। ଯାହାକୁ ନେଇ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। କେହିକେହି ଟିମ୍‌ର ପରାଜୟର କାରଣ କହୁଥିବା ବେଳେ କେହି ଦୁଃଖପ୍ରକାଶ କରୁଛନ୍ତି। କିନ୍ତୁ କିଛି ହୀନ ମାନସିକତାର ବ୍ୟକ୍ତି ଧୋନୀଙ୍କ ୫ ବର୍ଷର କୁନି ଝିଅକୁ ଦୁଷ୍କର୍ମ ଧମକ ଦେଇଛନ୍ତି। ଏହାପରେ ଧୋନୀଙ୍କ ଝିଅ ଜୀଭାର ସୁରକ୍ଷା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

{"id":342513,"sizeSlug":"large"}

ଧୋନୀଙ୍କ ପତ୍ନୀ ସାକ୍ଷୀଙ୍କୁ ଇନ୍‌ଷ୍ଟାଗ୍ରାମରେ ଝିଅ ଜୀଭା ପାଇଁ ମିଳିଥିବା ଧମକ ପରେ ରାଞ୍ଜି ପୋଲିସ ତତ୍ପରତା ପ୍ରକାଶ କରିଛି। ଧୋନୀଙ୍କ ସିମାଲିୟା ସ୍ଥିତ ଫାର୍ମ ହାଉସ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପୋଲିସ। ସିମାଲିୟା ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଯାଇଥିବା ବେଳେ ଧୋନୀଙ୍କ ଘର ବାହାରେ ଷ୍ଟାଟିକ୍‌ ଫୋର୍ସ ମୁତୟନ କରାଯାଇଛି।

ଜୀଭାଙ୍କୁ ଧମକ ମିଳିବା​ ଘଟଣାକୁ ଘୋର ନିନ୍ଦା କରିଛନ୍ତି ଝାରଖଣ୍ଡ କ୍ରିକେଟ୍‌ ଆସୋସିଏସନ୍‌ ଉପ ସଭାପତି ଅଜୟ ନାଥ ସହଦେବ। ଏମିତି ଏକ ଘଟଣା ଅତ୍ୟନ୍ତ ନିନ୍ଦନୀୟ। କ୍ରିକେଟ ମନୋରଞ୍ଜନ ପାଇଁ ଦେଖିବା ଦରକାର ଆଉ କିଛି ପାଇଁ ନୁହେଁ ବୋଲି ସେ କହିଛନ୍ତି। ସେପଟେ ରାଜ୍ୟର ଅନ୍ୟ କ୍ରୀଡ଼ାବିତମାନେ ଏହି ଘଟଣାକୁ ନେଇ ବିରୋଧ  ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଧୋନୀ ଆଇପିଏଲ ପାଇଁ ୟୁଏଇ ଗସ୍ତରେ ଥିବା ବେଳେ ପତ୍ନୀ ଓ ଝିଅ ରାଞ୍ଚି ସ୍ଥିତ ଫାର୍ମ ହାଉସ୍‌ରେ ରହୁଛନ୍ତି। କୋଭିଡ ୧୯ ପାଇଁ ସେମାନେ ଧୋନୀଙ୍କ ସହ ୟୁଏଇ ଯାଇନାହାନ୍ତି । ତେଣୁ ଏହି ସମୟରେ ଜୀଭାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ରାଜ୍ୟ ପୋଲିସ ପ୍ରଶାସନ ସଜାଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.