ଦ୍ବିତୀୟ ଥର ପାଇଁ ଆଜି ପୁଣି ଖୋଲୁଛି କେରଳର ସାବରିମାଳା ମନ୍ଦିର ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Published By : Prameya-News7 Bureau | November 05, 2018 IST

କେରଳ ୫|୧୧: ଦ୍ବିତୀୟ ଥର ପାଇଁ ଆଜି ପୁଣି ଖୋଲୁଛି କେରଳର ସାବରିମାଳା ମନ୍ଦିର । ତେବେ ସମ୍ଭାବ୍ୟ ହିଂସା ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମନ୍ଦିର ସହ ସଂଯୁକ୍ତ ବିଭିନ୍ନ ସଡ଼କ ଓ ପ୍ରମୁଖ ସ୍ଥାନଗୁଡ଼ିକରେ ପୁଲିସ ଛାଉଣୀ କରାଯାଇଛି। ସେହିଭଳି ଅଧିକାଂଶ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ପମ୍ବାଠାରୁ ସନ୍ନିଧନମ୍  ମଧ୍ୟରେ ପ୍ରାୟ ୧୫୦୦ ପୁଲିସ ମୁତୟନ କରାଯାଇଛି। ସାବରିମାଳା ମନ୍ଦିରରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ବେ ତାକୁ ବିରୋଧ କରାଯାଉଛି । ୧୦ରୁ ୫୨ ବର୍ଷ ବୟସର ମହିଳାମାନେ ମନ୍ଦିରରେ ପଶିପାରିବେ ନାହିଁ ବୋଲି ସ୍ଥାନୀୟ ଲୋକ ଏବଂ ମନ୍ଦିର ଟ୍ରଷ୍ଟ  ଜିଦରେ ଅଡ଼ିବସିଛନ୍ତି । ତେଣୁ ଏଠାରେ ହିଂସା ଘଟିପାରେ ବୋଲି ଆଶଙ୍କା କରାଯାଉଛି । ସୁପ୍ରିମକୋର୍ଟଙ୍କ ରାୟ ପରେ କିଛି ମହିଳା ସମାଜସେବୀ ମନ୍ଦିରରେ ପ୍ରବେଶ ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି । ସେମାନଙ୍କୁ ମନ୍ଦିର ଦ୍ବାରରୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଯଦିଓ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ମହିଳାମାନଙ୍କୁ ଅନୁମତି ଦେଇଛନ୍ତି, କିନ୍ତୁ ଭୀଷଣ ବିରୋଧ ଯୋଗୁ ଏହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ଜଣେ ହେଲେ ବି ମହିଳା ମନ୍ଦିରରେ ପଶିବାକୁ ସୁଯୋଗ ପାଇନାହାନ୍ତି । ଅନ୍ୟପକ୍ଷରେ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ସକାଶେ ହିନ୍ଦୁ ଗୋଷ୍ଠୀମାନଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଏକ ସ୍ବତନ୍ତ୍ର ପରାମର୍ଶ ଦିଆଯାଇଛି। ଆଜି ମନ୍ଦିର ନିକଟକୁ କୌଣସି ମହିଳା ସାମ୍ବାଦିକା ନଯିବା ପାଇଁ ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.