ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ୍ ପୋଲିସ ଫୋର୍ସ : ପୁରୀସହର ୭ଟି ଜୋନ୍‌ରେ ବିଭକ୍ତ, ନଜର ରଖିବ ସିସିଟିଭି

Published By : Prameya-News7 Bureau | June 04, 2020 IST

ପୁରୀ ୪।୬: ପୁରୀରେ ଆଜି ରାତିରୁ ୧୪୪ ଧାରା ଜାରି ହେବ। ବିନା ଭକ୍ତରେ ହେବ ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା। ସୀମିତ ସଂଖ୍ୟକ ସେବାୟତ ଓ କୋଭିଡ-୧୯ ସାମାଜିକ କଟକଣା ମଧ୍ୟରେ ଏହି ଯାତ୍ରା ହେବ। ମୋଟ୍ ୩୭ ପ୍ଲାଟୁନ୍ ଫୋର୍ସ ସହ ୧୫୦ ଅଫିସର ମୁତୟନ ହେବେ । ରାତି ଗୋଟାଏରୁ ମହାପ୍ରଭୁଙ୍କ ପହଣ୍ଡି ହେବ।

ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିନା ଭକ୍ତ ଓ ୧୪୪ ଧାରା ଜାରି ମଧ୍ୟରେ ଏହି ଯାତ୍ରା ହେବ। ସମଗ୍ର ସହରକୁ ୭ଟି ଜୋନରେ ବିଭକ୍ତ କରାଯାଇଛି। ୨ ଜଣ କମାଡାଣ୍ଟ, ୬ ଜଣ ଅତିରିକ୍ତ ଏସପି, ୧୯ ଜଣ ଡ଼ିଏସପି, ୪୪ ଜଣ ଇନ୍ସପେକ୍ଟର, ୧୫୭ ଜଣ ଏସଆଇ/ଏଏସଆଇ, ୩୪ ଜଣ ହାବିଲଦାର, ୧୭୩ ଜଣ କନେଷ୍ଟବଳ, ୨୪ ଜଣ ଟ୍ରାଫିକ କନେଷ୍ଟବଳ, ୬୬୫ଜଣ ହୋମଗାର୍ଡ ଓ ୩୮ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।

ସ୍ନାନଯାତ୍ରା ପାଇଁ ବ୍ୟାପକ ସିସିଟିଭି କ୍ୟାମେରା ସହ ବିଭିନ୍ନ ସ୍ଥାନରେ ପ୍ରବେଶ ପଥ ରହିଛି। ପରିଚୟପତ୍ରଧାରୀ ସେବାୟତଙ୍କୁ ଶ୍ରୀମନ୍ଦିର ଚାରିଦ୍ବାର ଦେଇ ଛଡ଼ାଯିବ। ସହରକୁ ୭ଟି ଜୋନରେ ବିଭକ୍ତ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ବଡଦାଣ୍ଡ, ବାଲିସାହିରୁ ଦୋଳମଣ୍ଡପ ସାହି, ବାଲିସାହିରୁ ଲୋକନାଥ ମନ୍ଦିର, ଲୋକନାଥ ମନ୍ଦିର ରାସ୍ତାରୁ ମଙ୍ଗଳାଘାଟ, ହସ୍ପିଟାଲ ଛକରୁ ସୁବାସ ବୋଷ ଛକ ଓ ପୁରୀର ପ୍ରବେଶ ପଥକୁ ୭ଟି ଜୋନରେ ଭାଗ କରାଯାଇଛି। ସ୍ବତନ୍ତ୍ର ଡ୍ରାଇଭ ପାର୍ଟ ସହ ୯ଟି ମୋବାଇଲ ପାର୍ଟ ମୁତୟନ ରହିବେ। ଅନ୍ୟପଟରେ ଗତକାଲି ରାତିରେ ମହାପ୍ରଭୁଙ୍କ ବାହୁଟକଣ୍ଟ ଓ କୋଠସୁଆଁସିଆ ସେବକଙ୍କ ଦ୍ବାରା ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧା ଯିବା ପରେ ଆଜି ମହାପ୍ରଭୁଙ୍କ ସେନାପଟା ଲାଗି କରାଯାଇଥିଲା।

ଲୋକେ ଘରେ ବସି ଟିଭି ମାଧ୍ୟମରେ ଦେବସ୍ନାନ ପୂର୍ଣ୍ଣିମା ସିଧା ପ୍ରସାରଣ ଦେଖିପାରିବେ। ଏଥିପାଇଁ ସ୍ନାନମଣ୍ଡପ ସମୁଖ ବଡଦାଣ୍ଡରେ ମଞ୍ଚା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.