ଅହମ୍ମଦାବାଦ ଦେଖିନି ଏମିତି ସୁରକ୍ଷା : ଟ୍ରମ୍ପଙ୍କ ଗସ୍ତ ବେଳେ ସୁରକ୍ଷା ଦାୟିତ୍ବରେ ୧୦ହଜାର ପୋଲିସ ଓ ଯବାନ, ଆକାଶରେ ରହିବେ ୭ ଉଡାଜାହାଜ ସହ ଡଜନେ ହେଲିକପ୍ଟର

Published By : Prameya-News7 Bureau | February 18, 2020 IST

ନୂଆଦିଲ୍ଲୀ ୧୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ସେ ଦିଲ୍ଲୀ, ଅହମ୍ମଦାବାଦ, ଆଗ୍ରା ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଥର ଭାରତ ଗସ୍ତରେ ଆସୁଥିବା ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାଗତ ପାଇଁ ଅହମ୍ମଦାବାଦ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ଏଠାରେ ଟ୍ରମ୍ପ୍ ଏବଂ ନରେନ୍ଦ୍ର ମୋଦି ବିଶ୍ବର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମରେ ଉଦବୋଧନ ଦେବେ । ଏହା ବ୍ୟତୀତ ବିମାନବନ୍ଦରରୁ ମୋଟେରା ଷ୍ଟାଡିୟମ୍ ପର୍ଯ୍ୟନ୍ତ ଉଭୟ ରୋଡ୍ ସୋ କରିବେ ।

ମୋଟେରା ଷ୍ଟାଡିୟମ୍ ରେ ‘କେମ୍ ଛୋ ଟ୍ରମ୍ପ୍’ ନାଁରେ ହେବାକୁ ଥିବା କାର୍ଯ୍ୟକ୍ରମର ନାଁ ପରିବର୍ତ୍ତନ କରି ‘ନମସ୍ତେ ଟ୍ରମ୍ପ୍’ କରାଯାଇଛି । ଏ ନେଇ ସୂଚନା ଅହମ୍ମଦାବାଦ ପୋଲିସ ସୂଚନା ଦେବା ସହ ପୋଷ୍ଟର ମଧ୍ୟ ଜାରି କରିଛି । ୨୪ ଫେବୃଆରୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।  ଏହି କାର୍ଯ୍ୟକ୍ରମ ଟ୍ରମ୍ପଙ୍କ ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ।

ଅହମ୍ମଦାବାଦ ବିମାନବନ୍ଦରରେ ଆମେରିକା ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପ ବିମାନବନ୍ଦରରୁ ସାବରମତୀ ଆଶ୍ରମ ଯାଏଁ ପ୍ରାୟ ୭କିଲୋମିଟରର ରୋଡ୍ ସୋ କରିବେ । ଏହି ରୋଡ୍ ସୋ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ସମର୍ଥକଙ୍କ ଭିଡ ଜମିବ । ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଉଭୟ ମୋଟେରା କ୍ରିକେଟ୍ ଷ୍ଟାଡିୟମ୍ ର ଉଦଘାଟନ କରିବେ । ଷ୍ଟାଡିୟମ୍ ର ଉଦଘାଟନ ପରେ ଏଠାରେ ମଧ୍ୟ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ କରାଯିବ । କାର୍ଯ୍ୟକ୍ରମରେ ଉଭୟ ନେତା ଉଦବୋଧନ ଦେବେ । ଆମେରିକାରେ ହାଓଡି ମୋଦି କାର୍ଯ୍ୟକ୍ରମ ଭଳି ଏହି କାର୍ଯ୍ୟକ୍ରମ କରାଯିବ ।

୨୪ ଫେବୃଆରୀ ଦିନ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଆଗ୍ରା ଯାଇ ତାଜମହଲ ପରିଦର୍ଶନ କରିବେ । ଉଭୟେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଆଗ୍ରାରେ ରହିବେ । ୨୫ ଫେବୃଆରୀରେ ଦେଶର ବଡ ବ୍ୟବସାୟୀଙ୍କୁ ଭେଟିବେ ।

ଆହମ୍ମଦାବାଦରେ ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ସହରରେ ୧୦ହଜାର ସୁରକ୍ଷା କର୍ମୀ ମୁତୟନ ରହିବେ । ସେମାନଙ୍କ ମଧ୍ୟରେ ୬୫ ସହକାରୀ କମିଶନର, ୨୦୦ ଇନ୍ସପେକ୍ଟର, ୮୦୦ ସବ୍ ଇନ୍ସପେକ୍ଟର ରହିଛନ୍ତି । ଏହା ବ୍ୟତୀତ ରାସ୍ତାରେ ଏନଏସଜିର ଏକ ଟିମ୍ ମୁତୟନ କରାଯିବ । ଏହାସହ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ନିୟୋଜିତ କରାଯିବ । ଟ୍ରମ୍ପ ଭାରତ ଆସିବା ସମୟରେ ୭ବିମାନ ମୁତୟନ ରହିବ । ସେଥିରେ ଏୟାରଫୋର୍ସ ଓ୍ବାନ୍ ସହ ହେଲିକପ୍ଟର, କାର୍ଗୋ, ଅନ୍ୟ ଗାଡି ରହିବ ।

ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଅହମ୍ମଦାବାଦ-ମେହସାଣା ରାସ୍ତା ବନ୍ଦ କରିଦିଆଯିବ । ୨୪ ଫେବୃଆରୀ ସକାଳ ୧୦ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ କରିଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.