ଏଥର ରାଜଭବନ ନୁହେଁ, ପ୍ରଦର୍ଶନୀ ପଡିଆରେ ହେବ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ, ସୁରକ୍ଷା ସମୀକ୍ଷା କଲେ ଡିଜି
26/05/2019 at 10:06 PM

ଭୁବନେଶ୍ବର ୨୬।୫: ଲଗାତାର ପଞ୍ଚମବାର ରାଜ୍ୟର ଶାସନଡୋରୀ ସମ୍ଭାଳିବାକୁ ଯାଉଛନ୍ତି ନବୀନ। ଏଥିପାଇଁ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ରବିବାର ନବୀନ ଦାବି ଉପସ୍ଥାପନ କରିଛନ୍ତି । ଆସନ୍ତା ୨୯ ତାରିଖରେ ନବୀନ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ସବୁଥର ଭଳି ଏଥର ରାଜଭବନରେ ନୁହେଁ ଜନତାଙ୍କ ଗହଣରେ ବିଜୁଜନତା ଦଳ ସୁପ୍ରିମୋ ନୂଆ ସରକାରର ଦାୟିତ୍ବ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ପ୍ରଦର୍ଶନୀ ପଡିଆକୁ ମନୋନୀତ କରାଯାଇଛି। ଏଣୁ ଶପଥ ଗ୍ରହଣ ଉତ୍ସବର ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ତଦାରଖ ପାଇଁ ରାଜ୍ୟ ପୋଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ରବିବାର ନିଜେ ପ୍ରଦର୍ଶନୀ ପଡିଆ ବୁଲି ଦେଖିବା ସହ ସୁରକ୍ଷା ସମୀକ୍ଷା କରିଛନ୍ତି ।

ଡିଜିଙ୍କ ସୁରକ୍ଷା ସମୀକ୍ଷା ବୈଠକରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଡିସିପି ଅନୁପ ସାହୁ ଓ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଯୋଗଦେଇଥିବା ବେଳେ ନବୀନଙ୍କ ଶପଥଗ୍ରହଣ ଉତ୍ସବକୁ ଆସିବାକୁ ଥିବା ଲେକେ, ସେମାନଙ୍କ ସଂଖ୍ୟା ଓ ସେମାନଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି । ଏଥିରେ ଉତ୍ସବକୁ ୫ ହଜାରରୁ ଊର୍ଦ୍ଧ୍ବ ଦଳୀୟ କର୍ମୀ ଓ ସମର୍ଥକ ଆସିବାକୁ ଥିବା ବେଳେ ସମଗ୍ର ପଡିଆକୁ ସିସିଟିଭି ସର୍ଭିଲିଆନ୍ସରେ ରଖିବା ପାଇଁ ନିଷ୍ପତି ହୋଇଛି। ଏହା ଛଡା ମେଟାଲ ଡିଟେକ୍ଟର ଓ ପ୍ରଦର୍ଶନୀ ପଡିଆ ନିକଟସ୍ଥ ଉଚ୍ଚ ବିଲ୍ଡିଂ ମାନଙ୍କରେ ମଧ୍ୟ ପୋଲିସ ମୁତନ ପାଇଁ ଆଲୋଚନା ହୋଇଥିବା ଜଣାପଡିଛି।

ସେହିପରି ଉତ୍ସବକୁ ଆସିବାକୁ ଥିବା ଯାନବାହନର ସ୍ବତନ୍ତ୍ର ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ ଉପରେ ମଧ୍ୟ ଯଥେଷ୍ଠ ଗୁରୁତ୍ବ ଦିଆଯାଇଛି। ଏହା ଛଡା ୨୪ ଘଣ୍ଟା ପୂର୍ବରୁ ପ୍ରମୁଖ ସ୍ଥାନ ଯେପରିକି ରେଳ ଷ୍ଟେସନ, ବସଷ୍ଟାଣ୍ଡ, ବସଷ୍ଟପ୍ ଗୁଡିକରେ ସମସ୍ତ ଗାଡି ଓ ବ୍ୟକ୍ତିଙ୍କୁ କଡାକଡି ଯାଞ୍ଚ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି।