ସୁରକ୍ଷା ଏଜେନ୍ସିକୁ ୨୦ ଦିନ ପୂର୍ବରୁ ଜଣା ଥିଲା କୃଷକଙ୍କ 'ମିଶନ ଲାଲକିଲ୍ଲା' ବିଷୟରେ, ବୈଠକରେ ମଧ୍ୟ ହୋଇଥିଲା ଆଲୋଚନା, ହେଲେ...

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮।୦୧: ଜାନୁଆରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ପରେଡ୍ ସମୟରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସା ପାଇଁ ଗୁଇନ୍ଦା ବିଭାଗର ବିଫଳତାକୁ ଦାୟୀ କରାଯାଉଛି। ମାତ୍ର ସୂତ୍ର ଅନୁଯାୟୀ, ଏଜେନ୍ସିକୁ ପ୍ରାୟ ୨୦ ଦିନ ପୂର୍ବରୁ ହିଁ ଜଣା ଥିଲା ଯେ, ପ୍ରଦର୍ଶନକାରୀ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି। ଜାନୁଆରୀର ପ୍ରଥମ ସପ୍ତାହରେ ଏଜେନ୍ସି ବ୍ୟୁରୋର ସ୍ଵତନ୍ତ୍ର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ଏହି ବିଷୟରେ ଆଲୋଚନା ହୋଇଥିଲା ଯେ, ପ୍ରତିବନ୍ଧିତ ସଂଗଠନ ଶିଖ ଫର  ଜଷ୍ଟିସ(ଏସଏଫଜେ) ଲାଲକିଲ୍ଲାରେ ଖଲିସ୍ତାନୀ ପତାକା ଉଡାଇ ପାରନ୍ତି।

ବୈଠକରେ ଏହି ସ୍ଥିତିର ମୁକାବିଲା ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ର, ଏସପିଜି, ହରିୟାଣା ପୋଲିସର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ଦିଲ୍ଲୀ ପୋଲିସର ୮ ଉଚ୍ଚପଦସ୍ଥ ଅଧିକାରୀ, ଗୁଇନ୍ଦା ବିଭାଗର ଶୀର୍ଷ ୧୨ ଅଧିକାରୀ ଯୋଗ ଦେଇଥିଲେ।

ସୂତ୍ର ଅନୁଯାୟୀ, ବୈଠକରେ ଏହା ମଧ୍ୟ ଆଲୋଚନା  ହୋଇଥିଲା ଯେ, ଲାଲକିଲ୍ଲାକୁ ଜାନୁଆରୀ ୨୦ରୁ ଜାନୁଆରୀ ୨୭ ପର୍ଯ୍ୟନ୍ତ ବନ୍ଦ କରାଯାଉ। ଏହାକୁ ନେଇ ଦିଲ୍ଲୀ ପୋଲିସଠୁ ଜବାବ ଲୋଡା ଯାଇଥିଲା। ସୁରକ୍ଷା ଏଜେନ୍ସିକୁ ମଧ୍ୟ ଦିଲ୍ଲୀର ଐତିହାସିକ ସ୍ମାରକୀଗୁଡିକର ସୁରକ୍ଷା ବଢାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦ୍ଵାରା ପ୍ରଦର୍ଶନକାରୀଙ୍କ ଯେ କୌଣସି ପ୍ରକାରର ହୀନ ପ୍ରୟାସ ଏବଂ ଗତିବିଧିକୁ ରୋକାଯାଇ ପାରିବ।

ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଅନୁଯାୟୀ, ବୈଠକରେ ଏହା ମଧ୍ୟ କୁହାଯାଇଥିଲା ଯେ, ଶିଖ୍ ପ୍ରତି ବର୍ଷ ସାଧାରଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳନ କରନ୍ତି। ଚଳିତ ବର୍ଷ ଏହି ସଂଗଠନର ଅନେକ ନେତା ଦେଶରେ ଚାଲିଥିବା କୃଷକ ଆନ୍ଦୋଳନରେ ଉପସ୍ଥିତ ଥିଲେ। ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କୁ ଏହି କଠୋରପନ୍ଥୀ ନେତାଙ୍କ ତରଫରୁ ଆର୍ଥିକ ସହାୟତା ମିଳୁଥିଲା।

ଜାନୁଆରୀ ୨୬ ମଧ୍ୟାହ୍ନ ୧୨ଟାରେ ଏଜେନ୍ସିକୁ ଏହାର ସୂଚନା ମଧ୍ୟ ମିଳିଥିଲା ଯେ, ଟ୍ରାକ୍ଟର ରାଲି ବାହାର କରୁଥିବା କୃଷକ ପ୍ରଧାନମନ୍ତ୍ରୀ ବାସଭବନ, ଗୃହ ମନ୍ତ୍ରୀ ବାସଭାବନ, ରାଜପଥ, ଇଣ୍ଡିଆ ଗେଟ୍ ଓ ଲାଲକିଲ୍ଲା ଅଭିମୁଖେ ଯାଇ ପାରନ୍ତି। ଏହି ସୂଚନା ଦିଲ୍ଲୀର ସୁରକ୍ଷାରେ ନିୟୋଜିତ ସମସ୍ତ ପୋଲିସ ଅଧିକାରୀଙ୍କୁ ମଧ୍ୟ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.