ସ୍ବଭାବିକ ହେଉଛି କାଶ୍ମୀରର ଜନ ଜୀବନ : ସମଝୌତା ପରେ ଥର୍ ଏକ୍ସପ୍ରେସକୁ ମଧ୍ୟ ବନ୍ଦ କଲା ପାକିସ୍ତାନ, ଜୈସ୍-ଏ-ମହମ୍ମଦ୍ ଭାରତର ବିଭିନ୍ନ ରାଜ୍ୟରେ ଆକ୍ରମଣ ଯୋଜନା ନେଇ ଗୁଇନ୍ଦା ରିପୋର୍ଟ, ୭ ରାଜ୍ୟକୁ ହାଇ ଆଲର୍ଟ…

Published By : Prameya-News7 Bureau | August 09, 2019 IST

ଶ୍ରୀନଗର ୯|୮: ସୁରକ୍ଷା ବଳୟ ଭିତରେ ଥିବା ଜାମ୍ମୁ କାଶ୍ମୀରର ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି । କାଶ୍ମୀରର କିଛି ସ୍ଥାନରେ ଦୋକାନ ବଜାର ଓ କେତେକ ସ୍ଥାନରେ ସ୍କୁଲ୍‌ ଖୋଲିଥିବା ସେନାମୁଖ୍ୟ ସରକାରଙ୍କୁ ଅବଗତ  କରିଛନ୍ତି । ସେପଟେ ଭାରତ ନିଷ୍ପତ୍ତିରେ ହିଂସ୍ର ପାକିସ୍ତାନ ସୀମାରେ ଲଗାତାର ଗୁଳି ବର୍ଷା କରୁଛି । ଧାରା ୩୭୦ ହଟାଯିବା ପରେ ଆମେରିକା ଠାରୁ କୌଣସି ସହାୟତା ପାଇନଥିବା ପାକ୍‌ ଏବେ ଚୀନ ପାଖରେ ନିଜ ଦୁଃଖ ଜଣାଇଛି । ହେଲେ ଚୀନ ସିଧା ଜଣାଇ ଦେଇଛି ଯେ ସେ ଏହି ମାମଲାରେ କୌଣସି ସହାୟତା କରିପାରିବ ନାହିଁ ।

{"id":142619}

କାଶ୍ମୀର ସ୍ଥିତିରେ ଆସୁଛି ସୁଧାର । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସୁରକ୍ଷା ବଳୟରେ ଥିବା କାଶ୍ମୀର ଅବସ୍ଥା  ଧୀରେ ଧୀରେ ସ୍ବାଭାବିକ ହେଉଛି । ତେବେ କାଶ୍ମୀରର କିଛି ସ୍ଥାନରେ ପଥର ଫିଙ୍ଗାଳିଙ୍କୁ ନେଇ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଛି । ସୁରକ୍ଷାବଳକୁ ହାଇ ଆଲର୍ଟରେ ରଖା ଯାଇଛି । କାଶ୍ମୀରର କିଛି ସ୍ଥାନରେ ଦୋକାନ ବଜାର ଖୋଲିଛି । ସାମ୍ବା, କଠୁଆ ଏବଂ ଉଦ୍ଧମପୁରରେ ସ୍କୁଲ୍  ଖୋଲିଛି। ସକାଳ ୧୧ରୁ ସଂଧ୍ୟା ୫ଟା ଯାଏ ବଜାର ଖୋଲିବାକୁ ଅନୁମତି ମିଳିଛି ।

{"id":142620}

ପରିସ୍ଥିତି ଦେଖି ଅବଶିଷ୍ଟ ଜିଲ୍ଲାରେ ଖୋଲାଯିବ ବୋଲି କୁହାଯାଇଛି । ଲୋକଙ୍କ ଘର ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇବା ଲାଗି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି। ରାଜ୍ୟ ବାହାରେ ରହୁଥିବା ସଂପର୍କୀୟଙ୍କ ସହ ଯୋଗାଯୋଗ ଲାଗି ୪୦୦ଟି ମୋବାଇଲ୍ ଟେଲିଫୋନ ସେଣ୍ଟର ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ଶୁକ୍ରବାର ନମାଜ ପାଇଁ ଧାରା ୧୪୪ କୋହଳ କରାଯାଇଛି । ଲୋକେ ସ୍ବାଭାବିକ ଚଳ ପ୍ରଚଳ କରୁଛନ୍ତି ବୋଲି ସେନାମୁଖ୍ୟ ଜେନେରାଲ ବିପିନ ରାୱତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରିଛନ୍ତି । ଜମ୍ମୁ ଜିଲ୍ଲାରୁ ୧୪୪ ଧାରା ହଟିଛି । ଆସନ୍ତାକାଲି ସମସ୍ତ ସ୍କୁଲ ଏବଂ କଲେଜ ଖୋଲାୟିବ । ମାତ୍ର ଇଣ୍ଟରନେଟ୍ ସେବା ଉପରେ ଅଙ୍କୁଶ ଲାଗିଛି ।

{"id":142621}

ସେପଟେ କାଶ୍ମୀର ଯାଉଥିବା ସିପିଏମ୍ ମହାସଚିବ ସୀତାରାମ ୟେଚୁରୀଙ୍କୁ ଶ୍ରୀନଗରରେ ଅଟକାଇ ଦିଆଯାଇଛି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ନେଇ ପାକିସ୍ତାନ ଏବେ ହିଂସ୍ର ହୋଇଉଠିଛି  । ସୀମାରେ ପାକ୍ ସେନା ନିକଟସ୍ଥ ଗାଁ ଗୁଡିକୁ ଟାର୍ଗେଟ୍‌ କରି ଲଗାତାର ଗୁଳିବର୍ଷା କରୁଛି । ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଉଛି । ସେପଟେ ସମଝୌତା ଏକ୍ସପ୍ରେସ ପରେ ପାକିସ୍ତାନର ଖୋକ୍ରାପାର ଓ ଭାରତର ମୋନାବାଓ କୁ ଯୋଡୁଥିବା ଥର ଏକ୍ସପ୍ରେସକୁ ବନ୍ଦ କରିଛି ପାକିସ୍ତାନ ।

{"id":142624}

ସେପଟେ ଅନ୍ତରାଷ୍ଟ୍ରୀୟ ସମୁଦାୟର ସମର୍ଥନ ଜୁଟାଇବା ଲାଗି ସବୁପ୍ରକାର ଚେଷ୍ଟା ଚଳାଇଛି ପାକିସ୍ତାନ । ଏଦିଗରେ ଆମେରିକାଠାରୁ କୌଣସି ସହାୟତା ମିଳୁନଥିବା ଦେଖି ଚୀନ ମୁହାଁ ହୋଇଥିବା ପାକିସ୍ତାନକୁ ସେଠୁ ବି ନିରାଶ ହେବାକୁ ପଡିଛି । ପାକ ବିଦେଶମନ୍ତ୍ରୀ ସାହା ମହମୁଦ କ୍ୟୁରେସି ଚୀନ ଗସ୍ତ କରି କାଶ୍ମୀର ନେଇ ଦୁଃଖ ଜଣାଇଥିଲେ ବି ଚୀନ ଏ ନେଇ କୌଣସି ସହାୟତା କରିପାରିବ ନାହିଁ ବୋଲି ସିଧା ଜଣାଇ ଦେଇଛି ।

{"id":142625}

ଏପଟେ ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନକୁ କଡା ସମାଲୋଚନା କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପାକିସ୍ତାନ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ କେବଳ ବାଉଳି ଚାଉଳି ହେଉଛି । ଉଭୟ ଦେଶ ମଧ୍ୟରେ ରେଳସେବା ବନ୍ଦ କରିବା ସହ ବାଣିଜ୍ୟିକ ଓ କୁଟନୈତିକ ସଂପର୍କ ତୁଟାଇବା ପାକିସ୍ତାନର ବାଚଳାମି । ପାକିସ୍ତାନକୁ ଦୁନିଆର ସବୁ ମଞ୍ଚରେ ଉଚିତ୍‌ ଜବାବ ମିଳିବ ।

{"id":142627}

ଭାରତ ଜାମ୍ମୁ କାଶ୍ମୀର ଉପରେ ଯେଉଁ ନିଷ୍ପତ୍ତି ନେଇ ସେନେଇ ଦୁନିଆକୁ ଜଣାଇ ଦିଆଯାଇଛି । ଏହା ଭାରତର ଅନ୍ତରୀଣ ମାମଲା ଏଥିରେ କାହାର କୌଣସି ଦେଶ ମୁଣ୍ଡଖେଳାଇବାକ ଆବଶ୍ୟକତା ନାହିଁ । ପାକିସ୍ତାନ ଯାହା ବି ନିଷ୍ପତ୍ତି ନେଉଛି ତାହା ଉପରେ ପୁନର୍ବିଚାର କରିବାକୁ ପାକିସ୍ତାନକୁ କୁହାଯାଇଛି ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି ।

{"id":142628}

ଏପଟେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ୍ ଭାରତର ବିଭିନ୍ନ ରାଜ୍ୟରେ ଆକ୍ରମଣ ଯୋଜନା କରିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଦିଲ୍ଲୀ, ରାଜସ୍ଥାନ, ପଂଜାବ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ହାଇ ଆଲର୍ଟ ଜାରି ହୋଇଛି । ଦେଶର ସମସ୍ତ ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.