ଏଥର ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା: ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରି ପାଖରେ ଜାରି ହେବ ୧୪୪ ଧାରା
2/06/2020 at 10:15 PM

ପୁରୀ୨/୬: କରୋନା କଟକଣା ଭିତରେ ପୁରୀରେ ଏଥର ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଆସନ୍ତା ୫ତାରିଖ ଶୁକ୍ରବାର ସ୍ନାନପୂର୍ଣ୍ଣିମା ପୂର୍ବରୁ ଅର୍ଥାତ୍ ୪ ତାରିଖ ରାତି ୧୦ରୁ ୬ ତାରିଖ ରାତି ୨ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରି ପାଖରେ ଜାରି ହେବ ୧୪୪ଧାରା । ମାର୍କେଟ ଛକରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣୀଖିଆ ଛକ, ଦୋଳମଣ୍ଡପ ସାହି ଯାଏଁ ସାଧାରଣ ଲୋକଙ୍କ ଯିବା ଆସିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ ।
କରୋନା ପାଇଁ କେବଳ ଭକ୍ତ ନୁହନ୍ତି ଭଗବାନ ବି ସାମାଜିକ ଦୂରତା ନିୟମକୁ ପାଳନ କରୁଛନ୍ତି । ଭକ୍ତଙ୍କ ଠାରୁ ଭଗବାନଙ୍କୁ ଅଲଗା କରିଦେଇଛି ଏହି କରୋନା ଭାଇରସ ସଂକ୍ରମଣ ଭୟ । ଏଥର ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ତ ହେବ ହେଲେ ବିନା ଭକ୍ତରେ । ସ୍ନାନବେଦୀରେ ଶ୍ରୀଜିଉମାନଙ୍କ ସର୍ବସାଧାରଣ ଦର୍ଶନ ବାରଣ କରାଯାଇଥିବାରୁ ଶ୍ରୀମନ୍ଦିର ଚାରିପାଖରେ ୧୪୪ଧାରା ଜାରି କରାଯାଇଛି । କରୋନା ମୁକାବିଲା ପରିସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୫ ତାରିଖ ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଅର୍ଥାତ୍ ୪ତାରିଖ ରାତି ୧୦ଟା ଠାରୁ ୬ତାରିଖ ରାତି ୨ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।
ପୁରୀ ମାର୍କେଟ୍ ଛକ ଠାରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକ ଠାରୁ ଲବଣୀଖିଆ ଛକ ଭାୟା ମରିଚିକୋଟ୍ ଲେନ୍, ଲବଣୀଖିଆ ଛକ ଠାରୁ ଦୋଳମଣ୍ଡପ ସାହି ରାସ୍ତା ଭାୟା ଜେନାରି ଗଛ ଛକ, ଜହ୍ନିମୁଣ୍ଡିଆ ଛକ ଠାରୁ ବାଲି ସାହି ରାସ୍ତା ଭାୟା ଭୋଗଯାଗା ଏବଂ ଖୁଣ୍ଟିଆ ସାହି ଛକ, ସୁଦର୍ଶନ ଗେଷ୍ଟ ହାଉସ ଛକ ଭାୟା ବାଲିସାହି ରାସ୍ତାର କଦମ୍ବଗଡ଼ ଛକ, ହରଚଣ୍ଡୀ ସାହି ରାସ୍ତା ମାଛହାଟ ଛକ ଭାୟା ବରାହୀ ଛକ ଏବଂ ପ୍ୟ୍ଚୁଆତି ଜାଗା, ମାଛହାଟ ଛକ ଠାରୁ ଲୋକନାଥ ରୋଡ଼ର ବୃଷଭ ଛକ ଭାୟା ଶୀତଳପିଣ୍ଡା ଛକ, ବାରବାଟୀ ଜାଗା ଏବଂ ବୈଠକି ପିଣ୍ଡା, ଛପନ ଛକ, ମଙ୍ଗଳାହାଟ ମଲ୍ଲିକା ଛକ, ବାଲିସ୍କୁଲ, ମିଶ୍ର ସାହି, ସାତବଖରା ଜାଗା, ପାଣ୍ଡେ ଜାଗା, ଚୁଡ଼ଙ୍ଗ ସାହି ୟୁପି ସ୍କୁଲ, ବାନାମ୍ବର ଛକ, ଶନି ମନ୍ଦିର, ଇଣ୍ଡିଆନ୍ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯିବ ।
ଦେବସ୍ନାନ ନୀତି ସମୟରେ ସ୍ନାନବେଦୀରେ ଶ୍ରୀଜିଉଙ୍କ ଦର୍ଶନ ଉଦେଶ୍ୟରେ ପୋଲିସ ପ୍ରଶାସନ ଦ୍ବାରା ବାରଣ କରାଯାଇଥିବା ଉକ୍ତ ଅଂଚଳ ଗୁଡ଼ିକରେ ଭିଡ଼ ନକରିବାକୁ ଜନ ସାଧାରଣଙ୍କୁ ସୂଚନା ଦେଇଛି ପ୍ରଶାସନ। ସେପଟେ ଆଜି ଶ୍ରୀମନ୍ଦିର ଭିତରେ ପରମ୍ପରା ମୁତାବକ ରୁକ୍ମିଣୀ ହରଣ ଏକାଦଶୀ ନୀତି ସମ୍ପନ୍ନ ହୋଇଛି । ଏହାପରେ ଚମ୍ପକ ଦ୍ବାଦଶୀ ନୀତି କରାଯିବ । ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ରୁକ୍ମିଣୀ ହରଣ ଏକାଦଶୀ ଶୋଭାଯାତ୍ରା ଜମ୍ବେଶ୍ବର ମନ୍ଦିରକୁ ଯିବ ।
ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ଦେବସ୍ନାନ । ସିଧାସଳଖ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତମାନେ ଏଥର ଘରେ ବସି ଟେଲିଭିଜନ ମାଧ୍ୟମରେ ସ୍ନାନଯାତ୍ରାର ସିଧା ପ୍ରସାରଣ ଦେଖିବେ ।