ସଚିବମାନେ ବୁଲିବେ ଜିଲ୍ଲା : ୩ ମାସିଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେ ରାଜ୍ୟ ସରକାର
30/12/2019 at 1:32 PM

ଭୁବନେଶ୍ବର ୩୦/୧୨: ବାବୁମାନଙ୍କ ପାଇଁ ଜିଲ୍ଲା ବୁଲିବା ବ୍ଲୁ ପ୍ରିଣ୍ଟ । ଏଣିକି ବିଭାଗୀୟ ସଚିବମାନେ ବିଭିନ୍ନ ଜିଲ୍ଲା ବୁଲି ବିକାଶ କାର୍ଯ୍ୟର ତଦାରଖ କରି ଯୋଜନା ଓ ସମନ୍ବୟ ବିଭାଗକୁ ଦେବେ ରିପୋର୍ଟ । ଏଥିପାଇଁ ୩ ମାସିଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କେଉଁ ବାବୁ କେଉଁ ଜିଲ୍ଲାକୁ ଯିବେ ତାର ତାଲିକା ପ୍ରକାଶ କରିଛନ୍ତି ସରକାର ।
ଏହା ସହିତ କେଉଁ ଯୋଜନା ଉପରେ ବେଶୀ ଫୋକସ୍ ଦେବେ ତାହା ମଧ୍ୟ ସ୍ଥିର ହୋଇଛି । ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ମମତା ଯୋଜନା, ବିଜୁ ପକ୍କା ଘର ଯୋଜନା, କ୍ଷୁଦ୍ର ଜଳସେଚନ, ମିଶନ ଶକ୍ତି, ନିରାମୟ, ଖାଦ୍ୟ ସୁରକ୍ଷା ଯୋଜନା, ପିଇବା ପାଣି, ଗ୍ରାମ୍ୟ ବିଦ୍ୟୁତକରଣ, ମଧ୍ୟାହ୍ନ ଭୋଜନ ଆଦି ଯୋଜନା ଉପରେ ଧ୍ୟାନ ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଯେଉଁ ସଚିବମାନଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ସେମାନଙ୍କ ଭିତରୁ ପି.କେ ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା, ପି.କେ ଜେନାଙ୍କୁ କଳାହାଣ୍ଡି, ମୋନା ଶର୍ମାଙ୍କୁ ସମ୍ବଲପୁର, ସଞ୍ଜୀବ ଚୋପ୍ରାଙ୍କୁ କନ୍ଧମାଳ, ଅନୁ ଗର୍ଗଙ୍କୁ ରାୟଗଡା, ସୌରଭ ଗର୍ଗଙ୍କୁ ମୟୁରଭଞ୍ଜ, ଡି.କେ ସିଂହଙ୍କୁ କେନ୍ଦୁଝର ଜିଲ୍ଲା ଦାୟିତ୍ବ ଦିଆଯାଇଛି ।
ଏହିଭଳି ୧୯ ଜଣ ସଚିବ ବିଭିନ୍ନ ଜିଲ୍ଲା ବୁଲି ସରକାର ନିର୍ଦ୍ଧାରିତ କରିଥିବ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିବେ । ସମୀକ୍ଷା ପରେ ୭ ଦିନ ଭିତରେ ଯୋଜନା ଓ ସମନ୍ବୟ ବିଭାଗକୁ ରିପୋର୍ଟ ଦେବେ ବାବୁ । ତାଙ୍କରି ରିପୋର୍ଟ ଆଧାରରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ।